July 13, 2025

ଦନ୍ତା ହାତୀକୁ ହଦଗଡରେ ଛାଡିଲା ବନ ବିଭାଗ

 

ଭଦ୍ରକ/ଆଗରପଡା: ଗତ ଦୁଇ ଦିନ ହେଲା ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକର ଆଗରପଡା ଓ ଗଣିଜାଙ୍ଗ ଅଞ୍ଚଳରେ ଆତଙ୍କ ଖେଳାଇଥିବା ଜଙ୍ଗଲି ଦନ୍ତାହାତୀକୁ ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ବନ ବିଭାଗ ଓ ପୁଲିସର ମିଳିତ ସହଯୋଗରେ ଗୋଡାଇ ଗୋଡାଇ ନେଇ ଆଗରପଡାର ବଣିଆପଙ୍କ ଜଙ୍ଗଲ ସୀମରେ ଛଡାଯାଇଥିଲା। ଗଣିଜାଙ୍ଗରୁ ସଂଧ୍ୟା ପରେ ହାତୀକୁ ଘୌଡାଇବା ଆରମ୍ଭ କରାଯାଇଥିଲା। ଗଣିଜାଙ୍ଗରୁ ଓଡଙ୍ଗ ପଞ୍ଚାୟତର ବୋଡକ ପାଟଣା ଗ୍ରାମ ରାସ୍ତା ଦେଇ ହାତୀକୁ ଆଗରପଡା ନିଆଯାଇଥିଲା।

ଆଗରପଡାରୁ ହାତୀକୁ ବାଲେଶ୍ବର ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳ କାଳିଆଗଡିଆ, ଆମ୍ବଦା, ଜଡାବାଙ୍କ ଦେଇ ବଣିଆପଙ୍କ ଜଙ୍ଗଲ ରାସ୍ତାରେ ଛାଡି ଦିଆଯାଇଥିଲା। ଏଇ ବଣିଆପଙ୍କ ଜଙ୍ଗଲ ଓ ମରୋମ ଖଣି ରାସ୍ତା ଦେଇ ହାତୀ ନିକଟସ୍ଥ ହଦଗଡ ଡ୍ୟାମ ପାର୍ଶ୍ବ ଜଙ୍ଗଲକୁ ପଳାଇଯାଇଥିବା ନେଇ ବନ ବିଭାଗ ‌ସୂଚନା ଦେଇଛି। ଦିନ ତମାମ ଓ ରାତି ତାମାମ ହାତୀକୁ ଜନ ବସତିରୁ ଘୌଡାଇବା ପାଇଁ ପୁଲିସ ଓ ବନ ବିଭାଗକୁ ନାକେଦମ ହେବାକୁ ପଡିଛି।

ହାତୀ ଗତକାଲି ଗଣିଜାଙ୍ଗ ପଞ୍ଚାୟତର ବିଭିନ୍ନ ଗ୍ରାମରେ ବୁଲିବା ସହ ଲୋକଙ୍କ ବାଡିରେ ପଶି ଡାଳ ପତ୍ର ଓ ପନି ପରିବା ଖାଇଥିଲା। କିନ୍ତୁ କୌଣସି ଲୋକଙ୍କର କିଛି କ୍ଷତି କରି ନଥିଲା। ଏଇ ଜଙ୍ଗଲୀ ହାତୀର ଆତଙ୍କରେ କିନ୍ତୁ ଗତ ତିନି ଦିନ ହେଲା ବନ୍ତ ଓ ଆଗରପଡା ଅଞ୍ଚଳର ଲୋକଙ୍କ ଆଖିରୁ ନିଦ ହଜି ଯାଇଥିଲା। ଗତକାଲି ହାତୀ ଜଙ୍ଗଲକୁ ପଳାଇବା ପରେ ମଧ୍ୟ କାଳେ ହାତୀ ଆସିବ ବୋଲି ଅନେକ ଲୋକ ରାତିସାରା ଶୋଇ ନାହାନ୍ତି। ହାତୀ ଭୟ ଏବେ ବନ୍ତ ବ୍ଲକର ଲୋକଙ୍କୁ ଘାରିଛି। ଜଙ୍ଗଲୀ ହାତୀ ଏବେ ସହର ମୁହାଁ ଘଟଣା ଶୁଣିଲା ବେଳକୁ ଲୋକଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି। କାତ ଶୁଣିବା ଦିନରୁ କେ‌ବେ ଗଣିଜାଙ୍ଗ ଅଞ୍ଚଳକୁ ଜଙ୍ଗଲୀ ହାତୀ ପଶି ଆସିବାର କଥା ଶୁଣାଯାଇନଥିଲା। ଆଉ ମାତ୍ର ୧୦ କିଲୋମିଟର ରାସ୍ତା ଅତିକ୍ରମ କରିଥି‌ଲେ, ଏଇ ଜଙ୍ଗଲୀ ହାତୀ ଭଦ୍ରକ ସହରକୁ ପଶି ଆସିଥାନ୍ତା। ନହେଲେ ବନ୍ତ ବଜାର ଆଡକୁ ପଳାଇ ଯାଇଥାନ୍ତା। ଦିବା ଲୋକରେ ଜଙ୍ଗଲୀ ହାତୀ ସହର ପାଖ ଗାଁରେ ବୁଲିବା ଘଟଣାକୁ ନେଇ ଏବେ ସମସ୍ତେ ଆତଙ୍କିତ ହୋଇଛନ୍ତି। ଜଙ୍ଗଲ କ୍ଷୟ ହେଉଥିବାରୁ ଜଙ୍ଗଲୀ ହାତୀ ଏବେ ଗାଁ ମୁହାଁ ହୋଇଥିବା ବନ ବଭାଗ କହୁଛି। ହାତୀ କିଭଳି ଆଉ ଗାଁ ଆଡକୁ ନଆସିବ ସେଥିପାଇଁ ବନ ବିଭାଗ ପକ୍ଷରୁ ଏଣିକି ଏଇ ଜଙ୍ଗଲ କରିଡରରେ ପଇଁତରା ମରାଯିବ ବୋଲି ବନ ବିଭାଗ ପ୍ରକାଶ କରିଛି ।

Spread the love