October 21, 2025

ନୂଆ ସ୍କୁଲ ଖୋଲିବାକୁ ୯ରୁ ଆବେଦନ, ୫ ବର୍ଷ ଲାଗି ମିଳିବ ସିଓଆର

 

ଭୁବନେଶ୍ବର : ଘରୋଇ ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ସାର୍ଟିଫିକେଟ୍‌ ଅଫ୍‌ ରେକୋଗ୍‌ନେସନ (ସିଓଆର) ପ୍ରଦାନ ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ୨୦୨୧-୨୨ରୁ ୨୦୨୫-୨୬ ଶିକ୍ଷାବର୍ଷ ଅର୍ଥାତ୍‌ ଆସନ୍ତା ୫ବର୍ଷ ପାଇଁ ସିଓଆର ପ୍ରଦାନ କରାଯିବ। ଯେଉଁ ବିଦ୍ୟାଳୟଗୁଡ଼ିକର ସିଓଆର୍ ନାହିଁ ଏବଂ ୨୦୨୨-୨୩ ଶିକ୍ଷାବର୍ଷରୁ ନୂତନ ବିଦ୍ୟାଳୟ ଖୋଲିବାକୁ ଚାହୁଥିବା ସଂସ୍ଥାଗୁଡ଼ିକ ଏଥିପାଇଁ ଆବେଦନ କରିପାରିବେ। ଜୁଲାଇ ୯ରୁ ଅନ୍‌ଲାଇନ୍‌ ଆବେଦନ ଲାଗି ପୋର୍ଟାଲ ଖୋଲିବ। ଏହି ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର ୯ ପର୍ଯ୍ୟନ୍ତ ଚାଲିବ ବୋଲି ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କ ଦ୍ବାରା ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ଆହୁରି କୁହାଯାଇଛି ଯେ ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ସ୍କୁଲଗୁଡ଼ିକର ଭିତ୍ତିଭୂମି ଯାଞ୍ଚ ହେବ। ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନେ ସମସ୍ତ ଯାଞ୍ଚ ପ୍ରକ୍ରିୟା ଶେଷ କରି ନଭେମ୍ବର ୫ ସୁଦ୍ଧା ଅନ୍‌ଲାଇନ୍‌ରେ ପ୍ରାଥମିକ ଶିକ୍ଷା ନିର୍ଦେଶାଳୟରେ ରିପୋର୍ଟ ଦାଖଲ କରିବେ। ସ୍ଥିତି ଅନୁଧ୍ୟାନ କରିବା ପରେ ଡିସେମ୍ବର ୧୫ ସୁଦ୍ଧା ନିର୍ଦେଶାଳୟ ପକ୍ଷରୁ ନୂଆ ସ୍କୁଲ ଖୋଲିବା ଓ ସିଓଆର ପ୍ରଦାନ ଅନୁମତି ଦିଆଯିବ। ଡିଇଓସ୍ତରରେ ଡିସେମ୍ବର ୩୧ ସୁଦ୍ଧ‌ା ସିଓଆର ଓ ନୂଆ ସ୍କୁଲ ଖୋଲିବା ଲାଗି ଅନୁମତି ଦିଆଯିବ ବୋଲି ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କ ଦ୍ବାରା ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

Spread the love