September 12, 2025

ପଶ୍ଚିମ ଓଡ଼ିଶାରେ ‘ଓଡ଼ିଶା ହାଇକୋର୍ଟ’ଙ୍କ ଖଣ୍ଡପୀଠ ସ୍ଥାପନ ନିମନ୍ତେ ସବିଶେଷ ତଥ୍ୟ ଦେବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି: ଆଇନ ଓ ନ୍ୟାୟମନ୍ତ୍ରୀ କିରେନ ରିଜିଜୁ

 

ନୂଆଦିଲ୍ଲୀ: ଓଡ଼ିଶାର ପଶ୍ଚିମ ଓ ଦକ୍ଷିଣାଞ୍ଚଳରେ ଓଡ଼ିଶା ହାଇକୋର୍ଟଙ୍କର ଖଣ୍ଡପୀଠ ସ୍ଥାପନ ନିମନ୍ତେ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଇବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି ଆଜି ଲୋକସଭାରେ ସାଂସଦ ସୁରଶ ପୂଜାରୀଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ୍‌ ରିଜିଜୁ କହିଛନ୍ତି।

ଜଷ୍ଟିସ୍‌ ଯଶୱନ୍ତ ସିଂହ କମିସନ୍‌ଙ୍କ ରିପୋର୍ଟ ସୁପାରିସରେ ପଶ୍ଚିମ ଓଡ଼ିଶାରେ ଓଡ଼ିଶା ହାଇକୋଟଙ୍କ ସ୍ଥାୟୀ ଖଣ୍ଡପୀଠ ଗଠନ ନିମନ୍ତେ ସରକାର ବିଚାର କରିବେ ନା, ଏଥିପ୍ରତି ଆଗ୍ରହୀ ବ୍ୟକ୍ତିବିଶେଷକଙ୍କ ପରାମର୍ଶ କ୍ରମେ କେନ୍ଦ୍ର ସରକାର ରାଜ୍ୟ ସରକାର ଏବଂ ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତିଙ୍କ ସହ ବିଚାରବିମର୍ଶ କରିବେ ବୋଲି ସାଂସଦ ପୂଜାରୀ ପଚାରିଥିଲେ।

ମନ୍ତ୍ରୀ ରିଜିଜୁ କହି‌ଲେ, ଯଶୱନ୍ତ ସିଂହ କମିସନ୍, ୨୦୦୦ ମସିହାର ‘ଡବ୍ଲୁ.ପି. (ସି) ନମ୍ବର ୩୭୯ରେ ସୁପ୍ରିମ୍‌ କୋର୍ଟ ଦେଇଥିବା ରାୟ ଏବଂ ରାଜ୍ୟ ସରକାରଙ୍କ ପୂର୍ଣ୍ଣାଙ୍ଗ ପ୍ରସ୍ତାବକୁ ବିଚାର କରାଯାଇ ପ୍ରମୁଖ ଆସନ ବ୍ୟତୀତ ଅନ୍ୟତ୍ର ହାଇକୋର୍ଟଙ୍କ ଖଣ୍ଡପୀଠ ସ୍ଥାପନ କରାଯାଇଥାଏ। ରାଜ୍ୟ ସରକାରଙ୍କ ପୂର୍ଣ୍ଣାଙ୍ଗ ପ୍ରସ୍ତାବରେ ଖଣ୍ଡପୀଠ ସ୍ଥାପନ ନିମନ୍ତେ ଭିତ୍ତିଭୂମି ଯୋଗାଇ ଦେବା ଓ ବ୍ୟୟଭାର ବହନ କରିବାର ଆଗ୍ରହ ତଥା ସମ୍ପୃକ୍ତ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ରାଜ୍ୟପାଳଙ୍କ ସମ୍ମତି ଆଦି ରହିବା ବାଞ୍ଛନୀୟ।

ଓଡ଼ିଶାର ପଶ୍ଚିମ ଓ ଦକ୍ଷିଣାଞ୍ଚଳରେ ଓଡ଼ିଶା ହାଇକୋର୍ଟଙ୍କ ଖଣ୍ଡପୀଠ ସ୍ଥାପନ ନିମନ୍ତେ ଓଡ଼ିଶା ସରକାର ଅନୁରୋଧ କରିଛନ୍ତି। ଓଡ଼ିଶା ହାଇକୋର୍ଟଙ୍କ ସହ ପରାମର୍ଶ କରି ପ୍ରସ୍ତାବିତ ଖଣ୍ଡପୀଠ ସ୍ଥାପନ ହେବାକୁ ଥିବା ସ୍ଥାନ ନିରୂପଣ ଏବଂ ଖଣ୍ଡପୀଠ ସମ୍ବନ୍ଧୟ ସବିଶେଷ ବିବରଣୀ ପ୍ରସ୍ତୁତି କରିବା ଲାଗି କେନ୍ଦ୍ର ସରକାର ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛନ୍ତି। ତେଣୁ, ଓଡ଼ିଶା ହାଇକୋର୍ଟଙ୍କ ଖଣ୍ଡପୀଠ ସ୍ଥାପନ ସଂକ୍ରାନ୍ତରେ ସମ୍ପ୍ରତି କେନ୍ଦ୍ର ସରକାରଙ୍କ ନିକଟରେ କୌଣସି ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଡ଼ି ରହିନାହିଁ।

Spread the love