September 19, 2024

Satya News

odia news channel

ପାର୍ବଣରେ ପରିବେଶ ପ୍ରଦୂଷଣ ଚିନ୍ତା: ବାଜା, ବାଣ, ମୂର୍ତ୍ତି ନିର୍ମାଣରେ କଟକଣା

 

ଭୁବନେଶ୍ୱର : ଆଗକୁ ପାର୍ବଣ ଋତୁ। ତା’ପୂର୍ବରୁ ପରିବେଶ ପ୍ରଦୂଷଣକୁ ନେଇ ରାଜ୍ୟ ସରକାର ଚିନ୍ତାପ୍ରକଟ କରିଛନ୍ତି। ଗଣେଶ ପୂଜା, ଦୁର୍ଗାପୂଜା, ଲକ୍ଷ୍ମୀପୂଜା, କାଳୀପୂଜା ସାଙ୍ଗକୁ ପର୍ବପର୍ବାଣୀରେ ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ଡାକବାଜି ଯନ୍ତ୍ର, ସଙ୍ଗୀତ ଯନ୍ତ୍ର ତଥା ଅମ୍ପ୍ଲିଫାୟାର ବ୍ୟବହାର ଉପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କଟକଣା ଲଗାଇଛି। ଉଚ୍ଚ ଶବ୍ଦ ଉତ୍ପନ୍ନ କରୁଥିବା ଆତସବାଜି ବ୍ୟବହାର ଯୋଗୁଁ ଅଗ୍ନି ଓ ବିସ୍ଫୋରଣ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହେବା ସହ ଏଥିରୁ ନିର୍ଗତ ବିଷାକ୍ତ ଗ୍ୟାସ୍‌, ଧୂଳିକଣା ଓ ଶବ୍ଦରୁ ସ୍ବାସ୍ଥ୍ୟଗତ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ତେଣୁ ଡାକବାଜି ଯନ୍ତ୍ର ଓ ଉଚ୍ଚ ଶବ୍ଦ ସୃଷ୍ଟିକାରୀ ଯନ୍ତ୍ରାଂଶର ବ୍ୟବହାର ଉପରେ କଟକଣା ଜାରି ହୋଇଛି। ବିଶେଷକରି ଶିଶୁ, ବୟସ୍କ, ରୁଗ୍‌ଣ ଲୋକଙ୍କ ସ୍ବାସ୍ଥ୍ୟ ଓ ପରିବେଶକୁ ଦୃଷ୍ଟିରେ ରଖି ଆଗାମୀ ପାର୍ବଣ ଋତୁ ଦୀପାବଳି ଉତ୍ସବ ପର୍ଯ୍ୟନ୍ତ ଅତ୍ୟନ୍ତ ଦାୟିତ୍ଵସମ୍ପନ୍ନ ଭାବେ ନିୟମକୁ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

ବିଭିନ୍ନ ପୂଜା ସମୟରେ କମିଟିର କର୍ମକର୍ତ୍ତା ମୂର୍ତ୍ତି ନିର୍ମାଣରେ ପୋଡ଼ା ମାଟି ତଥା ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ ପରିବର୍ତ୍ତେ ପ୍ରାକୃତିକ ମୃର୍ତ୍ତିକା ବ୍ୟବହାର କରିବାକୁ କୁହାଯାଇଛି। ମୂର୍ତ୍ତିରେ ବିଷାକ୍ତ ରାସାୟନିକ ରଙ୍ଗ ବଦଳରେ ପ୍ରାକୃତିକ ରଙ୍ଗ ବ୍ୟବହାର, ପୂଜା ପରେ ମୂର୍ତ୍ତିକୁ ଜିଲ୍ଲା ପ୍ରଶାସନ ତଥା ପୌର କର୍ତ୍ତୃପକ୍ଷଙ୍କ ଦ୍ବାରା ଚିହ୍ନିତ ଅସ୍ଥାୟୀ ପୋଖରୀରେ ବିସର୍ଜନ, ବିସର୍ଜନ ପୂର୍ବରୁ ମୂର୍ତ୍ତି ଓ ମେଢ଼ରୁ ଫୁଲ ତଥା ଅନ୍ୟ ସାଜସଜ୍ଜା ପଦାର୍ଥକୁ କାଢ଼ି ପୌର କର୍ତ୍ତୃପକ୍ଷଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇବାକୁ କୁହାଯାଇଛି। ଏହାକୁ ବିସର୍ଜନ ସ୍ଥଳରେ ପୋଡ଼ିବାକୁ ବାରଣ କରାଯାଇଛି। ସାଜସଜ୍ଜା ତଥା ପ୍ରସାଦ ବିତରଣ ପାଇଁ ପ୍ଲାଷ୍ଟିକ କିମ୍ବା ଥର୍ମୋକୁଲରେ ତିଆରି ଜିନିଷର ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି।

ମୂର୍ତ୍ତି ବିସର୍ଜନଜନିତ ଜଳ ପ୍ରଦୂଷଣ ସମ୍ବନ୍ଧରେ ଲୋକଙ୍କୁ ସଚେତନ କରିବାକୁ ଜିଲ୍ଲା ପ୍ରଶାସନ ତଥା ପୌରାଞ୍ଚଳ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ମୃର୍ତ୍ତିକା ନିର୍ମିତ ଓ ପ୍ରାକୃତିକ ରଙ୍ଗ ବ୍ୟବହୃତ ମୂର୍ତ୍ତି କିଣିବା, ସମ୍ପୃକ୍ତ ସହରରେ ଅନୁଷ୍ଠିତ ପୂଜାର ସଂଖ୍ୟା ଅନୁପାତରେ ଆବଶ୍ୟକ ଅସ୍ଥାୟୀ ପୋଖରୀ ଖୋଳିବା, ଏ ସମ୍ପର୍କରେ ପୂଜା କମିଟିକୁ ଅବଗତ କରାଇବା, ନଦୀ ତଟବର୍ତ୍ତୀ ଅଞ୍ଚଳରେ ମୂର୍ତ୍ତି ବିସର୍ଜନ ନିମନ୍ତେ ମାଟିବନ୍ଧ ଓ ସିନ୍ଥେଟିକ୍‌ ଲିନର୍‌ ଥାଇ ଅସ୍ଥାୟୀ ପୋଖରୀ ନିର୍ମାଣ, ସେଠାରେ ମୂର୍ତ୍ତି ବସର୍ଜନ ପାଇଁ ପୂଜା କମିଟିକୁ ଅନୁରୋଧ କରିବାକୁ କୁହାଯାଇଛି। ମୂର୍ତ୍ତି ବିସର୍ଜନ ହେବାର ୨୪ ଘଣ୍ଟା ମଧ୍ୟରେ ଅସ୍ଥାୟୀ ପୋଖରୀ ମଧ୍ୟରୁ ବିସର୍ଜିତ ସାମଗ୍ରୀକୁ ବାହାର କରି ନିର୍ଦ୍ଦିଷ୍ଟ ସ୍ଥାନକୁ ସ୍ଥାନାନ୍ତର କରିବା ସଙ୍ଗେ ସଙ୍ଗେ ଅସ୍ଥାୟୀ ପୋଖରୀ ଜଳକୁ ଚୂନ ପକାଇ ବିଶୋଧନ ପରେ ନଦୀ ବା ନାଳକୁ ନିଷ୍କାସିତ କରିବାକୁ ନିର୍ଦେଶ ଦିଆଯାଇଛି।

Spread the love