September 20, 2024

Satya News

odia news channel

ପିପିଲି ପ୍ରବେଶ ପଥରେ ଆଲୋକୀକରଣ ବ୍ୟବସ୍ଥା ଦାବୀରେ ଅନଶନ

ପିପିଲି: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ପିପିଲିର ଉଭୟ ପ୍ରବେଶପଥରେ ଲାଗିଥିବା ହାଇମାକ୍ସ ଲାଇଟ୍‍ ସମେତ ଜାତୀୟ ରାଜପଥରେ ଲାଗିଥିବା ଷ୍ଟ୍ରିଟ୍‍ ଲାଇଟଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରାଇବା ଦାବିରେ ଗୁରୁବାର ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କ ସମେତ ପିପିଲି ବ୍ଲକ ଓ ଏନ୍‍ଏସି ଅଞ୍ଚଳର ନିର୍ବାଚିତ ଜନପ୍ରତିନିଧିମାନେ ଅମରଣ ଅନଶନରେ ବସିଥିଲେ। ତେବେ ୩ଦିନ ମଧ୍ୟରେ ଟୋଲ୍‍ପ୍ଲାଜା ଅଞ୍ଚଳରେ ଲାଗିଥିବା ସମସ୍ତ ଲାଇଟ୍‍ ଓ ୧୫ ଦିନ ମଧ୍ୟରେ ଅନ୍ୟ ଲାଇଟଗୁଡିକ କାର୍ଯ୍ୟକ୍ଷମ ହେବ ବୋଲି ଜାତୀୟ ରାଜପଥ ବିଭାଗ ପକ୍ଷରୁ ଲିଖିତ ପ୍ରତିଶୃତି ପ୍ରଦାନ କରାଯିବା ପରେ ଅନଶନ ପ୍ରତ୍ୟାହୃତ ହୋଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଜାତୀୟ ରାଜପଥ ବିଭାଗ କତ୍ତୃପକ୍ଷଙ୍କ ପକ୍ଷରୁ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ହାଇମାକ୍ସ ଲାଇଟ୍‍ ଓ ଷ୍ଟ୍ରିଟ୍‍ ଲାଇଟ୍‍ ଲଗା ଯାଇଥିଲେ ମଧ୍ୟ ତାହା ଜଳୁନାହିଁ। ଦୀର୍ଘ ବର୍ଷ ଧରି ପିପିଲିର ପ୍ରବେଶପଥ ସମେତ ଜାତୀୟ ରାଜପଥ ଅନ୍ଧାର ରହୁଥିବା ଯୋଗୁଁ ଚୋରୀ, ରାହାଜାନୀ, ଦୁର୍ଘଟଣା ଆଦି ବୃଦ୍ଧି ପାଉଛି। ଜାତୀୟ ରାଜପଥରେ ଲାଗିଥିବା ସମସ୍ତ ହାଇମାକ୍ସ ଲାଇଟ୍‍ ଓ ଷ୍ଟ୍ରିଟ୍‍ ଲାଇଟକୁ ତୁରନ୍ତ କାର୍ଯ୍ୟକ୍ଷମ କରାଇବା ଦାବିରେ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କ ସମେତ ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ, ସୁଶାନ୍ତ କୁମାର ମଲ୍ଲିକ, ପିପିଲି ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଯୁଧିଷ୍ଠୀର ସ୍ୱାଇଁ, ସାଂସଦ ପ୍ରତିନିଧି ତଥା ଜିଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ, ଜିଲା ବିଜେଡି ସାଧାରଣ ସଂପାଦକ କିଶୋର କୁମାର ଛୋଟରାୟ, ପୂର୍ବତନ ଜିଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ, ବିଧାୟକଙ୍କ ପ୍ରତିନିଧି ଆର୍ତ୍ତବନ୍ଧୁ ସାମନ୍ତରାୟ, ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତି ସାହୁ, ଡେଲାଙ୍ଗ ବ୍ଲକ ଉପାଧ୍ୟକ୍ଷ ଦୁର୍ବାଶା ନିଶଙ୍କ, ପିପିଲି ଏନ୍‍ଏସି ଅଧ୍ୟକ୍ଷ ସେକ୍‍ ବାବୁ, ଉପାଧ୍ୟକ୍ଷା ଭାଗ୍ୟବତୀ ମହାରଣା, ରାଜ୍ୟ ବିଜେଡି ସଂପାଦକ ପ୍ରୀୟବ୍ରତ ସାମନ୍ତରାୟ, ଯୁବନେତା ବିନୟ ପଟ୍ଟନାୟକ, ସେକ୍‍ ଆବିଦ, ବିଶ୍ୱଜିତ ଦାଶ, ଜିଲା ବିଜେଡି ସଂପାଦକ ସତ୍ୟଜିତ ରାୟଚୌଧୁରୀଙ୍କ ସମେତ ଶତାଧିକ ନିର୍ବାଚିତ ଜନପ୍ରତିନିଧିମାନେ ଗୁରୁବାର ପୂର୍ବାହ୍ନ ୧୦ଟାଠାରୁ ଜାତୀୟ ରାଜପଥର ପିପିଲି ପ୍ରବେଶ ପଥଠାରେ ଅମରଣ ଅନଶନରେ ବସିଥିଲେ। ଭୁବନେଶ୍ୱର ସ୍ଥିତ ଏନ୍‍ଏଚ୍‍ଏଆଇ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଭାତ କୁମାର ସିଂହ, ଡେପୁଟି ମ୍ୟାନେଜର ପଙ୍କଜ ସିଂଘଲ, ରାଜପଥ ଯନ୍ତ୍ରୀ ବରଦାକାନ୍ତ ସାହୁ ପ୍ରମୁଖ ଆନ୍ଦୋଳନସ୍ଥଳରେ ପହଞ୍ଚି ବିଧାୟକ ଶ୍ରୀମହାରଥୀଙ୍କ ସହ ଆଲୋଚନା କରିଥିଲେ। ପିପିଲି ଟୋଲ୍‍ପ୍ଲାଜା ଅଞ୍ଚଳରେ ଥିବା ସମସ୍ତ ହାଇମାକ୍ସ ଲାଇଟ୍‍ ଓ ଷ୍ଟ୍ରିଟ୍‍ ଲାଇଟଗୁଡିକ ୩ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବ ଏବଂ ମଙ୍ଗଳପୁର ବଜାରରେ ଲାଗିଥିବା ଷ୍ଟ୍ରିଟ୍‍ ଲାଇଟ୍‍ ସମେତ ଦାଣ୍ଡମୁକୁନ୍ଦପୁର ପ୍ରବେଶପଥର ହାଇମାକ୍ସ ଲାଇଟକୁ ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ ସଂଯୋଗ କରାଯିବା ପରେ ୧୫ ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ଜାତୀୟ ରାଜପଥ ବିଭାଗ ପକ୍ଷରୁ ବିଧାୟକଙ୍କୁ ଲିଖିତ ପ୍ରତିଶୃତି ଦିଆଯିବା ପରେ ମଧ୍ୟାହ୍ନ ୧୨ଟା ୪୫ରେ ଅନଶନ ପ୍ରତ୍ୟାହୃତ ହୋଇଥିଲା। ନିଜର ପ୍ରତିଶୃତି ରଖିବାରେ ଜାତୀୟ ରାଜପଥ ବିଭାଗ ଯଦି ଖିଲାପ କରେ ତେବେ ଏହି ଅନଶନ ଟ୍ରେଲର ଥିଲା ଆଗକୁ ଆମେ ଫିଲ୍ମ ଦେଖାଇବୁ ଏବଂ ଏନ୍‍ଏଚ୍‍ଏଆଇ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ରୁଦ୍ରପ୍ରତାପ ଚେତାବନୀ ଦେଇଥିଲେ। ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳ, ଆଇଆଇସି ଅଭିମନ୍ୟୁ ନାୟକ, ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ସେଠାରେ ଉପସ୍ଥିତ ଥିଲେ।

Spread the love