July 12, 2025

ପ୍ରଖ୍ୟାତ ବେତାର ଉଦଘୋଷକ ଉପେନ୍ଦ୍ର କୁମାର ପାହାଡ଼ସିଂହଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

 

ଭୁବନେଶ୍ବର: ଆକାଶବାଣୀର ପ୍ରଖ୍ୟାତ ଉଦଘୋଷକ ଉପେନ୍ଦ୍ର କୁମାର ପାହାଡ଼ସିଂହଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକଟ କରିଛନ୍ତି । ବେତାର ସମ୍ବାଦ ପରିବେଷଣ କ୍ଷେତ୍ରରେ ନିଜ ସ୍ୱତନ୍ତ୍ର ଶୈଳୀ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ ବୋଲି ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି ପ୍ରକାଶ କରିଛନ୍ତି ।
ନିଜ ଟ୍ବିଟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି “ଆକାଶବାଣୀର ଲୋକପ୍ରିୟ ସମ୍ବାଦ ପାଠକ ଉପେନ୍ଦ୍ର କୁମାର ପାହାଡ଼ସିଂଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ବେତାର ସମ୍ବାଦ ପରିବେଷଣ କ୍ଷେତ୍ରରେ ନିଜ ସ୍ୱତନ୍ତ୍ର ଶୈଳୀ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଉଛି ।“

ଗତକାଲି ନୂଆଦିଲ୍ଲୀସ୍ଥିତ ନିଜ ବାସଭବନରେ ଶ୍ରୀ ପାହାଡ଼ସିଂହଙ୍କ ହୃଦଘାତରେ ପରଲୋକ ହୋଇଥିଲା । ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା । ନିଜର ଗୁରୁଗମ୍ଭୀର ସ୍ବର ଓ ନିଆରା ପରିବେଷଣ ଶୈଳୀ ପାଇଁ ସେ ଓଡ଼ିଶାବାସୀଙ୍କ ମଧ୍ୟରେ ଲୋକପ୍ରିୟ ଥିଲେ ।

ତାଙ୍କ ପରଲୋକରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିସିସି ସଭାପତି ନିରଂଜନ ପଟ୍ଟନାୟକ, ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

Spread the love