
ସମ୍ବଲପୁର : ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ସହ ସାମାଜିକ କ୍ଷେତ୍ରରେ ଆଖିଦୃଶିଆ ପରିବର୍ତ୍ତନ ଆଣିଥିବା ଦେଶର ବଛାବଛା କିଛି ବ୍ୟକ୍ତିତ୍ବଙ୍କୁ ଷ୍ଟାର୍ ଇଣ୍ଡିଆ ପକ୍ଷରୁ ସୁପର୍ ହିରୋ ମାନ୍ୟତା ପ୍ରଦାନ ସହ ସାମାଜିକ ପ୍ରଭାବ ପୁରସ୍କାର (ସୋସିଆଲ୍ ଇମ୍ପାକ୍ଟ ଆୱାର୍ଡ) ପ୍ରଦାନ କରାଯାଇଛି। ଏଥିରେ ଓଡ଼ିଶାରୁ ଏକମାତ୍ର ବ୍ୟକ୍ତିଭାବେ ଜଣାଶୁଣା ସମ୍ବଲପୁରୀ ହସ୍ତତନ୍ତ ଡିଜାଇନର୍ ସୁଜିତ୍ ମେହେର ପୁରସ୍କୃତ ହୋଇଛନ୍ତି।
ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ବିଶେଷ କରି ସମ୍ବଲପୁରୀ ପୋଷାକକୁ ବିଶ୍ବ ବଜାରରେ ବ୍ରାଣ୍ଡିଂ କରାଇବା ଦିଗରେ ସୁଜିତ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଦୀର୍ଘ ବର୍ଷ ଧରି ଓଡ଼ିଶାର ହସ୍ତତନ୍ତକୁ ବ୍ରାଣ୍ଡିଂ କରିବା ନେଇ ଉଦ୍ୟମ ହୋଇ ଆସୁଥିବା ବେଳେ ସୁଜିତ ବ୍ୟକ୍ତିଗତ ପ୍ରୟାସରେ ଏହା କରି ପାରିଛନ୍ତି। ଏହାଦ୍ବାରା ହସ୍ତତନ୍ତ ଶାଢ଼ି ଓ ପୋଷାକର ଚାହିଦା ବୃଦ୍ଧି ସହ ବିଦେଶକୁ ରପ୍ତାନିର ବାଟ ପ୍ରଶସ୍ତ ହୋଇଛି। ଆଗାମୀ ଦିନରେ ଏହା ଦ୍ବାରା ରାଜ୍ୟର ବହୁ ବୁଣାକାର ଉପକୃତ ହେବେ ବୋଲି ଆଶା କରାଯାଉଛି।
ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫେସନ୍ ଟେକ୍ନୋଲୋଜି (ନିଫ୍ଟ) ବେଙ୍ଗାଲୁରୁରୁ ଫେସନ୍ ଡିଜାଇନିଂ ପାଠ୍ୟକ୍ରମ ଶେଷ କରିବା ପରେ ସୁଜିତ ଗତ ୭ ବର୍ଷ ହେବ ଓଡ଼ିଶାର ହସ୍ତତନ୍ତକୁ ନେଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ପ୍ରୟୋଗ କରି ଆସିଛନ୍ତି। ଫେସନ୍ ସୋ’ ଗୁଡ଼ିକରେ ସେ ହସ୍ତତନ୍ତର ପ୍ରଚାର ପ୍ରସାର କରିଆସୁଛନ୍ତି। ଫ୍ୟାସନ ଡିଜାଇନର ସୁଜିତ ମେହେରଙ୍କ ନାମ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫେସନ୍ ଟେକ୍ନୋଲୋଜି (ନିଫ୍ଟ)ର ପ୍ରତିଷ୍ଠିତ ପୁରାତନ ଛାତ୍ର (ନୋଟେବଲ ଆଲୁମନି) ତାଲିକାରେ ସ୍ଥାନ ପାଇଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍