November 21, 2024

Satya News

odia news channel

ବନ୍ଦରରେ ପଡ଼ିରହିଛି ୨୭ ହଜାର ଟନ୍ ସାର

 

ଭୁବନେଶ୍ବର : ଅଗଷ୍ଟ ସରିବାକୁ ବସିଲା। କିନ୍ତୁ ଓଡ଼ିଶାକୁ ଆବଶ୍ୟକତା ମୁତାବକ ସାର ମିଳିଲା ନାହିଁ। ମୁଖ୍ୟମନ୍ତ୍ରୀ, କୃଷି ମନ୍ତ୍ରୀଙ୍କ ଚିଠି କିଛି କାମ ଦେଲାନି। ରାଜ୍ୟରେ ୟୁରିଆ ଅଭାବ ଉତ୍କଟ ଆକାର ଧାରଣ କରିଛି। ସାର ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀଙ୍କ ଅସନ୍ତୋଷର ଚିତ୍ର ଦେଖିବାକୁ ମିଳୁଛି। ଗୋଟିଏ ପଟେ ଚାଷୀମାନେ ସାର ପାଇଁ ରାସ୍ତାକୁ ଓହ୍ଲାଉଥିଲା ବେଳେ ଅନ୍ୟ ପଟେ ତିନି ସପ୍ତାହରୁ ଅଧିକ ଦିନ ହେଲା ସାର ଆସି ପାରାଦୀପ ବନ୍ଦରରେ ପଡ଼ି ରହିଛି। ଆଉ କିଛି ସାର ପ୍ରାୟ ୧୦ ଦିନ ହେଲା ଧାମରାରେ ବନ୍ଦରରେ ପଡ଼ିଛି। ରେଳ ବିଭାଗ ରେକ୍‌ ଦେଉ ନ ଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଯେତିକି ସାର ଆସୁଛି, ତାହା ଚାଷୀଙ୍କ ପାଖରେ ଆବଶ୍ୟକ ସମୟରେ ପହଞ୍ଚି ନ ପାରିବା ସମ୍ପୂର୍ଣ୍ଣ ବ୍ୟବସ୍ଥାରେ ଥିବା ଗୁରୁତର ତ୍ରୁଟିକୁ ଧରାଇ ଦେଉଛି।

ବର୍ଷାହାନୀ ଯୋଗୁଁ ଫସଲ ବଞ୍ଚାଇବା ପାଇଁ ଚଳିତ ବର୍ଷ ଅଧିକ ସାର ପ୍ରୟୋଗ ପାଇଁ ପରାମର୍ଶ ଦେଉଛନ୍ତି କୃଷି ବିଶେଷଜ୍ଞ। ବର୍ଷା ଅଭାବରୁ ଧାନ ଫସଲ କ୍ଷତିକୁ ଦୃଷ୍ଟିରେ ରଖି ଅଧିକ ସାର ଆବଶ୍ୟକ କରୁଥିବା ଦେଢ଼ ଲକ୍ଷ ହେକ୍ଟରର ଅତିରିକ୍ତ ଅଣ ଧାନ କପା, ମକା, ପରିବା ଚାଷ କରାଯାଉଛି। ସେହି ଦୃଷ୍ଟିରୁ ଗତ ବର୍ଷ ସାରର ଯେତେ ଆବଶ୍ୟକତା ରହିଥିଲା, ଚଳିତ ବର୍ଷ ଏହାର ଚାହିଦା ବହୁ ଗୁଣରେ ବୃଦ୍ଧି ପାଇଛି। ଅତିରିକ୍ତ ଚାହିଦା ତ ଦୂରର କଥା, ପ୍ରାଥମିକ ଆବଶ୍ୟକତା ଅନୁସାରେ ଯେଉଁ ୩ ଲକ୍ଷ ୧୦ ହଜାର ମେଟ୍ରିକ ଟନ ୟୁରିଆ ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ଅନୁରୋଧ କରାଯାଇଛି, ତାହା ମଧ୍ୟ ଆଜି ପର୍ଯ୍ୟନ୍ତ ମିଳି ପାରିଲା ନାହିଁ। ଆଜି ବି ଓଡ଼ିଶାକୁ ଆହୁରି ୯୩ ହଜାର ମେଟ୍ରିକ ଟନର ୟୁରିଆର ଆବଶ୍ୟକତା ରହିଛି। ଅର୍ଥାତ ବର୍ତ୍ତମାନ ସୁଦ୍ଧା କେବଳ ୨ ଲକ୍ଷ ୧୭ ହଜାର ମେଟ୍ରିକ ଟନ ହିଁ ରାଜ୍ୟକୁ ମିଳିଛି। ଏହାଠାରୁ ଆହୁରି ଦୁର୍ଭାଗ୍ୟଜନକ ସ୍ଥିତି ହେଲା, ୭ ତାରିଖରୁ ପାରାଦୀପକୁ ଆସିଥିବା ୧୦ ହଜାର ମେଟ୍ରିକ ଟନ, ୨୧ ତାରିଖରୁ ଧାମରାକୁ ଆସିଥିବା ୧୭ ହଜାର ୪୦୦ ମେଟ୍ରିକ ଟନ ସାର ସେହିଭଳି ବନ୍ଦରରେ ପଡ଼ି ରହିଛି।

ପାରାଦୀପକୁ ଆସିଥିବା ମୋଟ୍‌ ୧୭ ହଜାର ମେଟ୍ରିକ ଟନରୁ ୭ ହଜାର ମେଟ୍ରିକ ଟନ ୟୁରିଆ ରାଜ୍ୟ ସରକାର ପାଇସାରିଛନ୍ତି। ବାକି ୧୦ ହଜାର ମେଟ୍ରିକ ଟନ ବର୍ତ୍ତମାନ ସୁଦ୍ଧା ପଡ଼ି ରହିଛି। ରେଳ ବିଭାଗ ପକ୍ଷରୁ ରେକ ଦିଆଯାଉନଥିବାରୁ ପାଖରେ ଥାଇ ବି ଚାଷୀଙ୍କୁ ୟୁରିଆ ମିଳି ପାରୁନଥିବା ନେଇ ରାଜ୍ୟ କୃଷି ବିଭାଗ ଡିଡିଏ-ଫର୍ଟିଲାଇଜର କହିଛନ୍ତି। ଯଥାଶୀଘ୍ର ରେକ୍ ଦେବା ନିମନ୍ତେ ପୂର୍ବତଟ ରେଳବାଇକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଏପରିକି ସାର ବିକ୍ରି ପାଇଁ କେନ୍ଦ୍ର ଦ୍ବାରା ସ୍ବୀକୃତିପ୍ରାପ୍ତ ନ୍ୟାସନାଲ ଫର୍ଟିଲାଇଜର ଲିମିଟେଡ ମଧ୍ୟ ରେଳ ବିଭାଗକୁ ରେକ ଦେବାକୁ ଅନୁରୋଧ କରିଛି। ଏହା ସତ୍ତ୍ବେ କୌଣସି ଲାଭ ହୋଇ ନାହିଁ। ଅନ୍ୟ ଦିଗରେ ବନ୍ଦରକୁ ଆସିଥିବା ୨୭ ହଜାର ମେଟ୍ରିକ ଟନ ସାର ପରେ ବି ଆହୁରି ୬୬ ହଜାର ମେଟ୍ରିକ ଟନ ସାରର ଅଭାବ ପଡ଼ିବ। ଏ ଦିଗରେ କେନ୍ଦ୍ର ପକ୍ଷରୁ କୌଣସି ବ୍ୟବସ୍ଥା ହୋଇ ନାହିଁ।

ସୂଚନା ଅନୁଯାୟୀ, ଚଳିତ ବର୍ଷ ଆରମ୍ଭରୁ ହିଁ ଓଡ଼ିଶା ସାର ସଙ୍କଟର ସମ୍ମୁଖୀନ ହୋଇଥିଲା। ଏହି ପ୍ରସଙ୍ଗରେ ପ୍ରଥମେ କୃଷି ମନ୍ତ୍ରୀ କେନ୍ଦ୍ରକୁ ଚିଠି ଲେଖିଥିଲେ। ତାହା ପରେ ମୁଖ୍ୟମନ୍ତ୍ରୀ ମଧ୍ୟ ଚିଠି ଲେଖିଲେ। ବିଜେଡି ସାଂସଦମାନେ କେନ୍ଦ୍ର ସାର ମନ୍ତ୍ରୀଙ୍କୁ ଭେଟି ଲିଖିତ ଦାବିପତ୍ର ଦେଲେ। ଅଗଷ୍ଟ ସୁଦ୍ଧା ବଳକା ସାର ଦିଆଯିବ ବୋଲି କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କୌଣସି ଲାଭ ହୋଇ ନାହିଁ। କେବଳ ୟୁରିଆ ନୁହେଁ ଅନ୍ୟ ସାରଗୁଡ଼ିକ ମଧ୍ୟ ଆବଶ୍ୟକତା ଅନୁସାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଣ ହୋଇ ନାହିଁ। ଡିଏପିରେ ୧ ଲକ୍ଷ ୮୫ ହଜାର ମେଟ୍ରିକ ଟନରୁ ୧ ଲକ୍ଷ ୪୦ ହଜାର ୫୦୦ ମେଟ୍ରିକ, ଏମ୍‌ଓପିରେ ୮୫ ହଜାର ମେଟ୍ରିକ ଟନରୁ ୫୦ ହଜାର ମେଟ୍ରିକ ଟନ, ଏନ୍‌ପିକେ କଂପ୍ଲେକ୍ସ ସାର ୧ ଲକ୍ଷ ୮୨ ହଜାର ମେଟ୍ରିକ ଟନରୁ୧ ଲକ୍ଷ ୫୦ ହଜାର ମେଟ୍ରିକ ଟନ ମିଳିଛି। ଚଳିତ ବର୍ଷ ନୁହେଁ, କିଛି ବର୍ଷ ହେଲା ଓଡ଼ିଶା ଏହିଭଳି ସାର ସଙ୍କଟର ସମ୍ମୁଖୀନ ହେଉଛି। ଗତବର୍ଷ ଶେଷ ପର୍ଯ୍ୟାୟରେ ସାର ଆସିଥିଲେ ମଧ୍ୟ ପର୍ଯ୍ୟାପ୍ତ ନ ଥିଲା। କୋଭିଡ ସ୍ଥିତି ସତ୍ତ୍ବେ ସାର ପାଇଁ ଦୋକାନ ଓ ସମବାୟ କେନ୍ଦ୍ରଗୁଡ଼ିକରେ ଚାଷୀ ଯାତ୍ରା ଭଳି ଭିଡ଼ କରିବାକୁ ବାଧ୍ୟ ହୋଇଥିଲେ। ମହାମାରୀ ଏବଂ ମରୁଡ଼ି ବର୍ଷରେ ଚାଷୀର ଆବଶ୍ୟକତା ପ୍ରତି ସରକାରଙ୍କ ସମ୍ବେଦନଶୂନ୍ୟ ବ୍ୟବହାର ସଙ୍କଟକୁ ଜଟିଳ କରୁଛି।

Spread the love