September 12, 2025

ବାପା, ମା’ଙ୍କ ଆଶା ଭାଙ୍ଗି ଦେଉଛି ନିଶା, ଛାତ୍ରଙ୍କୁ ବାଟବଣା କରୁଛି ବ୍ରାଉନସୁଗାର

 

ଭୁବନେଶ୍ବର : ରାଜଧାନୀର ଖଣ୍ଡଗିରି ଅଞ୍ଚଳର ଯୁବକ ମାନସ(ଛଦ୍ମନାମ)। ବାପା, ମାଙ୍କର ଏକମାତ୍ର ପୁଅ। ଆଶା ଥିଲା, ପୁଅ ଇଞ୍ଜିନୟର ହେବ। ଯୁକ୍ତ ଦୁଇ ପରେ ନାମୀ ଇଞ୍ଜିନିୟରିଂ କଲେଜରେ ଆଡମିସନ ମଧ୍ୟ ହୋଇଥିଲା। କିନ୍ତୁ ଧୀରେ ଧୀରେ କୁସଙ୍ଗରେ ପଡ଼ି ବ୍ରାଉନସୁଗାର ଖାଇବା ଆରମ୍ଭ କରିଥିଲା। କେବଳ ସେତିକି ନୁହେଁ, ନିଶା ବେପାରରେ ମଧ୍ୟ ପାଦ ଥାପିଥିଲା ମାନସ। ଶେଷ‌ରେ ନିଶା ଯୋଗୁଁ ହିଁ ତା’ର କ୍ୟାରିୟର ବରବାଦ ହୋଇଗଲା। ବାପା, ମା’ଙ୍କର ସବୁ ସ୍ବପ୍ନ ଚୂରମାର ହୋଇଗଲା।

ଇଏ କେବଳ ଗୋଟିଏ ଛାତ୍ରର କାହାଣୀ ନୁହେଁ; ରାଜ୍ୟରେ ଏବେ ହଜାର ହଜାର ଛାତ୍ର ନିଶା ଜାଲରେ ପଡ଼ି ନଷ୍ଟ ହୋଇ ଯାଉଛନ୍ତି। ଖାଲି କଲେଜ ଛାତ୍ର ନୁହନ୍ତି, ସହରମାନଙ୍କରେ କିଛି ବଡ଼ବଡ଼ ସ୍କୁଲର ଛାତ୍ରମାନେ ମଧ୍ୟ ନିଶା କବଳରେ ପଡ଼ି ବାଟବଣା ହୋଇ ଯାଉଛନ୍ତି। ଯାହା ଚିନ୍ତାଜନକ ପାଲଟିଛି। ନ୍ୟାସନାଲ ସର୍ଭେ ଅଫ୍ ଡ୍ରଗ୍ ଆଣ୍ଡ ସବଷ୍ଟାଣ୍ଟେସ୍ ଆବ୍ୟୁଜ୍ ୨୦୧୯ ରିପୋର୍ଟ ଅନୁସାରେ ରାଜ୍ୟରେ ପ୍ରାୟ ୪ ଲକ୍ଷ ଲୋକ ବ୍ରାଉନସୁଗାର, ହେରୋଇନ୍, କୋକେନ୍, ଅଫିମ ଓ ସେହିଭଳି ନିଶାଦ୍ରବ୍ୟ ସେବନ କରୁଛନ୍ତି। ୧୮ରୁ ୩୫ ବର୍ଷ ବୟସ୍କଙ୍କ ସଂଖ୍ୟା ୬୫ ପ୍ରତିଶତ ଥିବାବେଳେ ୧୦ରୁ ୧୭ ବର୍ଷ ବୟସ୍କଙ୍କ ସଂଖ୍ୟା ପ୍ରାୟ ୧୫ ପ୍ରତିଶତ। ରାଜ୍ୟରେ ଏହି ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢ଼ିବାରେ ଲାଗିଛି। ନିଶା ବିରୋଧୀ ଅଭିଯାନ କ୍ଷେତ୍ରରେ କାମ କରୁଥିବା କମ୍ୟୁନିଟି ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁସାରେ ଏବେ ସୁଦ୍ଧା ବ୍ରାଉନସୁଗାର ନିଶା ସେବନକାରୀଙ୍କ ସଂଖ୍ୟା ଯେତିକି କୁହାଯାଉଛି, ବାସ୍ତବ କ୍ଷେତ୍ରରେ ତା’ଠାରୁ ଢେର୍ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ସାରା ବିଶ୍ବରେ ଆଜି ଅନ୍ତର୍ଜାତୀୟ ନିଶା ନିବାରଣ ଦିବସ ପାଳନ ହେଉଥିବାବେଳେ ଏଭଳି ପରିସଂଖ୍ୟାନ ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି।

 

ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ କେବଳ ବ୍ରାଉନସୁଗାର ସେବନକାରୀଙ୍କ ସଂଖ୍ୟା ସାଢ଼େ ୩ ଲକ୍ଷରୁ ଅଧିକ ହେବ। ସାରା ରାଜ୍ୟରେ ସେବନକାରୀଙ୍କ ସଂଖ୍ୟାର ପ୍ରାୟ ୩୫ରୁ ୪୦ ପ୍ରତିଶତ କେବଳ ଖୋର୍ଦ୍ଧା, କଟକ ଓ ପୁରୀର ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ନିଶା କବଳରେ ପଡ଼ିଥିବା ଛାତ୍ରଙ୍କ ସଂଖ୍ୟା ଦେଢ଼ ଲକ୍ଷରୁ ଅଧିକ ହେବ। କେବଳ ରାଜଧାନୀରେ ବ୍ରାଉନସୁଗାର ସେବନକାରୀ ଛାତ୍ରଙ୍କ ସଂଖ୍ୟା ୫୦ ହଜାର ଟପିଯିବ ବୋଲି ଅନୁମାନ କରାଯାଉଛି।

କମ୍ୟୁନିଟି ଫାଉଣ୍ଡେସନ ଅଫ୍ ଇଣ୍ଡିଆର ନିର୍ଦ୍ଦେଶକ ଶ୍ରୀହର୍ଷ ମହାନ୍ତିଙ୍କ କହିବା ଅନୁସାରେ, ବ୍ରାଉନସୁଗାର ଏବେ ସବୁ ଜାଗାରେ ସହଜରେ ଉପଲବ୍ଧ ହୋଇପାରୁଛି। ଅନ୍‌ଲାଇନ୍‌ରେ ଅର୍ଥ କାରବାର ସହଜ ହୋଇଥିବାରୁ ବ୍ରାଉନସୁଗାଗର ବେପାର ବଢ଼ି ଚାଲିଛି। ଛାତ୍ର ଓ ଯୁବ ଗୋଷ୍ଠୀଙ୍କୁ ନିଶା କବଳରୁ ରକ୍ଷା କରିବାକୁ ହେଲେ ପରିବାର ଓ ଅଭିଭାବକଙ୍କୁ ପ୍ରତ୍ୟକ୍ଷ ଭାବେ ଦାୟିତ୍ବ ନେବାକୁ ପଡ଼ିବ। କିଛି ବର୍ଷ ହେଲା କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍ ଏକ ଅଭିଯାନ ଆରମ୍ଭ କରି ରାଜ୍ୟରେ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିବା ସହ କିଛି ନିଶା ବେପା‌ରୀଙ୍କୁ ଗିରଫ କରୁଛି। ଏହା ଦ୍ବାରା କିଛି ମାତ୍ରାରେ ନିଶା କାରବାରର ଚେନ୍ ଭାଙ୍ଗୁଛି। ତେବେ ପୂରା ଚେନକୁ ଭାଙ୍ଗିବା ସହ ବ୍ରାଉନସୁାଗର କାରବାରର ଚେର ଉପାଡ଼ିବାକୁ ହେଲେ ଆହୁରି ଜୋରଦାର ଅଭିଯାନର ଆବଶ୍ୟକତା ରହିଛି।

Spread the love