April 18, 2025

ବଢ଼଼ିଲା ପତ୍ର ବିନିମୟ ପାଠ୍ୟକ୍ରମ ନାମଲେଖା ଓ ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ଆବେଦନ ଅବଧି

 

କଟକ: ୨୦୨୧-୨୨ ଶିକ୍ଷାବର୍ଷରେ ଉଚ୍ଚ ବିଦ୍ୟାଳୟ ପତ୍ର ବିନିମୟ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ସମୟସୀମାକୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ବର୍ଦ୍ଧିତ କରାଯାଇଛି। ଯୋଗ୍ୟ ଛାତ୍ରଛାତ୍ରୀମାନେ ପରିଷଦର ବିଭିନ୍ନ ଜୋନ କାର୍ଯ୍ୟାଳୟରେ ନାମଲେଖା ପ୍ରକ୍ରିୟା ଶେଷ କରିବା ପାଇଁ ପରିଷଦ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହି ସମୟ ମଧ୍ୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନେ ଆଗାମୀ ନଭେମ୍ବର ମାସରେ ହେବାକୁ ଥିବା ଦଶମ ଶ୍ରେଣୀର ସମେଟିଭ ଆସେସମେଣ୍ଟ-୧ ପରୀକ୍ଷା ଦେବେ। ସେଥିପାଇଁ ଅବଧିକୁ ଆଉ ବର୍ଦ୍ଧିତ କରାଯିବ ନାହିଁ ବୋଲି ପରିଷଦର ଉପସଭାପତି ଡ. ନୀହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

ସେହିପରି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା ନିମନ୍ତେ ଆବେଦନ ସମୟସୀମାକୁ ୩୦ ତାରିଖ ଯାଏ ବର୍ଦ୍ଧିତ କରାଯାଇଛି। ପୂର୍ବରୁ ଏହି ଅବଧି ଅକ୍ଟୋବର ୨୬ ତାରିଖ ଯାଏ ରହିଥିଲା। ଆବଶ୍ୟକତା ଦୃଷ୍ଟିରେ ରଖି ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଭାଗ ନେବା ପାଇଁ ପରିଷଦ ପକ୍ଷରୁ ସ୍ଥିର କରାଯାଇଛି। ଏହି ମେଧାବୃତ୍ତି ପରୀକ୍ଷା ଆସନ୍ତା ଡିସେମ୍ବର ୬ରେ ହେବ ବୋଲି ଜଣାଯାଇଛି। ସେହିପରି ପ୍ରାଥମିକ ବିଦ୍ୟାଳୟ ବୃତ୍ତି ପରୀକ୍ଷାର ପ୍ରବେଶ ପତ୍ର ବୋର୍ଡ ୱେବସାଇଟ୍‍ ଉପଲବ୍ଧ କରାଯାଇଛି। ଛାତ୍ରଛାତ୍ରୀମାନେ ପ୍ରବେଶପତ୍ର ଡାଉନ୍‍ଲୋଡ୍‍ କରି ପରୀକ୍ଷା ଦେବାକୁ ସୂଚନା ଦିଆଯାଇଛି।
Spread the love