August 22, 2025

ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ, ଚିକିତ୍ସା ପାଇଁ ଫୁଲବାଣୀରୁ ହେବ ଏୟାର ଲିପ୍ଟିଙ୍ଗ

 

ରାଜ୍ୟ ନଗର ଉନ୍ନୟନ, ଆଇନ, ପଂଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ ହୋଇ ପଡିଛନ୍ତି। ମନ୍ତ୍ରୀ ଶ୍ରୀ ଜେନା ଜ୍ୱର ଓ ଉଚ୍ଚ ରକ୍ତଚାପ ସହିତ ଅତ୍ୟଧିକ କଫ ଯୋଗୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି। ଏବେ ସେ ଫୁଲବାଣୀ ସର୍କିଟ ହାଉସରେ ଅଛନ୍ତି ଓ ସେଠାରେ ଫୁଲବାଣୀ ଏଡିଏମଓ ଅଭୟ ପଟ୍ଟନାୟକ ଏବଂ ବରିଷ୍ଠ ଡାକ୍ତରମାନେ ଉପସ୍ଥିତ ରହି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ତୀକ୍ଷଣ ନଜର ରଖିଛନ୍ତି। ଅନ୍ୟ ପକ୍ଷରେ ଜିଲାପାଳ ଡାକ୍ତର ବୃନ୍ଦା ଡିଙ୍କ ସମେତ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ, ପୁଲିସ ଓ ଦଳୀୟ କର୍ମୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ଖୁବଶୀଘ୍ର ଭୁବନେଶ୍ୱରରୁ ଏୟାର ଆମ୍ବୁଲାନ୍ସ ଯାଇ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ଆଣିବା ବୋଲି ସୂଚନା ମିଳିଛି। ଜୀବନ ରକ୍ଷାକରି ବ୍ୟବସ୍ଥା ଥିବା ଏକ ୧୦୮ ଆମ୍ବୁଲାନ୍ସ ଆସି ସର୍କିଟ ହାଉସରେ ପହଂଚି ପ୍ରସ୍ତୁତ ହୋଇ ରହିଛି। ବର୍ତମାନ ମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି।

ସୂଚନା ମୁତାବକ, ସେ ୩ ଦିନିଆ କନ୍ଧମାଳ ଗସ୍ତରେ ଯାଇଥିଲେ ଓ ଆଜି ଶେଷ ଦିନରେ ସେଠାରେ ବିଭିନ୍ନ ସଭାସମିତିରେ ଯୋଗ ଦେଇ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ଥିଲା। ସେ ପ୍ରଥମ ଦିନ ଦାରିଙ୍ଗବାଡ଼ି ଓ ବ୍ରାହ୍ମଣୀ ଗାଁ ଗସ୍ତକରି ବିଭିନ୍ନ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେ ସେଠାରେ ରାତ୍ରି ଯାପନ କରିଥିଲେ। ଦ୍ଵିତୀୟ ଦିନ, ଶ୍ରୀ ଜେନା କୋଟଗଡ଼ ଓ ତୁମୁଡିବନ୍ଧ ଗସ୍ତ କରିଥିଲେ। ତେବେ ଗତକାଲି ତୁମୁଡିବନ୍ଧ ଗଲାବେଳେ ବାଲିଗୁଡା ଠାରେ ବିଜେଡିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମନ୍ତ୍ରୀଙ୍କୁ ସ୍ୱାଗତ କରିବା ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାରେ ମନ୍ତ୍ରୀଙ୍କୁ ରାସ୍ତାରେ ବହୁ ସମୟ ଧରି ଅଟକି ରହିବାକୁ ପଡିଥିଲା ଓ ଶ୍ରୀ ଜେନା ମଧ୍ୟ ଏହି ଘଟଣାରେ ବିରକ୍ତି ପ୍ରକାଶ କରିଥିଲେ। ପରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଗତକାଲି ରାତି ୮ଟା ୩୦ମିନିଟରେ ଫୁଲବାଣୀ ଫେରିଥିଲେ ଓ ସର୍କିଟ ହାଉସରେ ରାତ୍ରି ଯାପନ କରିଥିଲେ। ଆଜି ସକାଳେ ସେ ହଠାତ ଅସୁସ୍ଥ ଅନୁଭବ କରିଥିଲେ।

Spread the love