
ଭୁବନେଶ୍ବର: ଆଜି ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବା ପରେ ବିରୋଧୀଙ୍କ ହୋହଲ୍ଲା ଯୋଗୁ ଦିନ ୧୨.୩୪ ପର୍ଯ୍ୟନ୍ତ ଗୃହ ମୁଲତବି ରହିଥିଲା। ଏହା ପରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଛି ଓ ବିଧାନସଭା ସ୍ବାଭାବିକ ରହିଛି । ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ରାଜ୍ୟରେ ମରୁଡ଼ି ପରିସ୍ଥିତି ନେଇ ବିରୋଧୀଙ୍କ ପକ୍ଷରୁ ଅଣା ଯାଇଥିବା ମୁଲତବି ପ୍ରସ୍ତାଵ ଆଲୋଚନା ପୂର୍ବରୁ କୃଷିମନ୍ତ୍ରୀ ଅରୁଣ ସାହୁ ନିଜର ଉତ୍ତର ରଖିଛନ୍ତି ।
ସେ କହିଛନ୍ତି ଯେ, ଗତ ୨୦ବର୍ଷ ଭିତରେ ୮ଥର ରାଜ୍ୟରେ ମରୁଡ଼ି ହୋଇଛି । ଚଳିତ ବର୍ଷାଋତୁରେ ଅଗଷ୍ଟ ୨୮ତାରିଖ ସୁଦ୍ଧା ୨୩ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । କମ ବର୍ଷା ହୋଇଥିବା କାରଣରୁ ୧୪ଜିଲ୍ଲାର ୪୭ଟି ବ୍ଲକରେ ଫସଲ ଗୁରୁତର ଭାବେ ପ୍ରଭାବିତ ହୋଇଛି । ମରୁଡ଼ି ସ୍ଥିତିକୁ ଦୃଷ୍ଟିରେ ରଖି ଏବେ ସେଠାରେ କଣ୍ଟିଜେନସି କ୍ରପ ପ୍ଲାନ ପ୍ରସ୍ତୁତ କରାଯାଉଛି । ଏବେ ରାୟଗଡ଼ା ଓ ଗଜପତି ଜିଲ୍ଲାରେ ମରୁଡ଼ିସ୍ଥିତିରେ ସୁଧାର ଆସିଛି । ଯେଉଁ ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ହୋଇଛି ସେଠି ପମ୍ପସେଟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଉଠା ଜଳସେଚନ ଓ କେନାଲ ପାଣିକୁ ୭ଦିନ ଭିତରେ ପ୍ରସ୍ତୁତ କରିବା ପାଇଁ କୁହାଯାଇଛି । ଏହା ଉପରେ ନଜର ରଖିବା ପାଇଁ ଜିଲ୍ଲାପାଳମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ବୁଧବାର ଦିନ ୧୧ଟାରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ବିରୋଧୀଙ୍କ ହୋ ହଲ୍ଲା ପରେ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଗୃହ କାର୍ଯ୍ୟ ଆରମ୍ଭରୁ କଂଗ୍ରେସ ସଦସ୍ୟଙ୍କ ହୋ ହଲ୍ଲା ଓ ଗୃହ ମଧ୍ୟଭାଗରେ ନାରାବାଜି ପାଇଁ ଦିନ ୧୨.୩୪ପର୍ଯ୍ୟନ୍ତ ଗୃହ ମୁଲତବି ହୋଇଥିଲା। ସୂଚନା ମୁତାବକ, ପ୍ରଶ୍ନକାଳ ବାତିଲ କରି ରାଜ୍ୟର ମରୁଡ଼ି ସ୍ଥିତି ନେଇ ଆଲୋଚନା କରିବାକୁ ଦାବି କରିଥିଲା କଂଗ୍ରେସ । ବିଧାୟକଦଳ ନେତା ନରସିଂହ ମିଶ୍ର ଲିଖିତ ଭାବେ ଏ ନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଯେହେତୁ ମୁଲତବି ପ୍ରସ୍ତାବରେ ସମାନ ପ୍ରସଙ୍ଗ ଆସିଥିଲା ତେଣୁ ଏହାକୁ ବାଚସ୍ପତି ଅଗ୍ରାହ୍ୟ କରିଥିଲେ । ତେବେ ଏ ନେଇ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍