July 13, 2025

ମହାନଦୀ ବିବାଦ : ୩ ବର୍ଷରେ ଖର୍ଚ୍ଚ ୬ କୋଟି

 

ଭୁବନେଶ୍ବର : ସ୍ବତନ୍ତ୍ର ଟ୍ରିବ୍ୟୁନାଲ୍‌ରେ ତିନି ବର୍ଷ ଧରି ବିଚାରାଧୀନ ମହାନଦୀ ଜଳ ବିବାଦ ମାମଲାରେ ରାଜ୍ୟ ସରକାର ୬ କୋଟି ଖର୍ଚ୍ଚ କରି ସାରିଲେଣି। ମାମଲା ଲଢ଼ିବା ପାଇଁ ୧୪ ଜଣ ଆଇନଜୀବୀଙ୍କ ପିଛା ୪ କୋଟି ୪୪ ଲକ୍ଷ ୮୪ ହଜାର ୮୩୨ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏଥି ପାଇଁ ଗଠିତ ବୈଷୟିକ କମିଟି ପିଛା ଖର୍ଚ୍ଚ ହୋଇଛି ୧ କୋଟି ୫୮ ଲକ୍ଷ ଟଙ୍କା। ସୂଚନା ଅଧିକାର ଆଇନ ବଳରେ ଏଭଳି ତଥ୍ୟ ଏବେ ସରକାରଙ୍କୁ ସମାଲୋଚନା ପାଇଁ ବିରୋଧୀଙ୍କୁ ଖୋରାକ ଯୋଗାଇଛି। ବଡ଼ କଥା ହେଉଛି, ୨୦୧୮ ମସିହାରୁ ଗଠିତ ହୋଇଥିବା ଏହି ଟ୍ରିବ୍ୟୁନାଲରେ ଏତେ ଟଙ୍କା ଖର୍ଚ୍ଚ ପରେ ମଧ୍ୟ ଓଡ଼ିଶାକୁ ସୁଫଳ ମିଳି ନ ଥିବାରୁ ଚିନ୍ତା ବଢ଼ିଛି।

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ରାଜ୍ୟ ସରକାର ମହାନଦୀ ଜଳ ବିବାଦ ମାମଲା ଟ୍ରିବ୍ୟୁନାଲରେ ଲଢ଼ିବା ପାଇଁ ୧୪ ଜଣ ଆଇନଜୀବୀଙ୍କ ପିଛା ଗତ ତିନି ବର୍ଷ ମଧ୍ୟରେ ୪ କୋଟି ୪୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଖର୍ଚ୍ଚ ହୋଇଥିବା ଅର୍ଥର ସିଂହ ଭାଗ ଦୁଇ ଜଣ ଆଇନଜୀବୀ ମୁକୁଲ ରୋହତଗି ଓ ମୋହନ ଭି. କାଟର୍କି ନେଇଛନ୍ତି। ଗୋଟିଏ ବର୍ଷରେ ଟ୍ରିବ୍ୟୁନାଲ୍‌ରେ ରାଜ୍ୟ ସରକାରଙ୍କ ପକ୍ଷ ରଖିବା ପାଇଁ ପୂର୍ବତନ ଆଟର୍ଣ୍ଣି ଜେନେରାଲ ଶ୍ରୀ ରୋହତଗି ମାତ୍ର ତିନି ଥର ପାଇଁ ଫିସ ବାବଦକୁ ୧ କୋଟି ୧୪ ଲକ୍ଷ ୫୦ ହଜାର ଟଙ୍କା ନେଇଛନ୍ତି। ସେହିଭଳି ଆଇନଜୀବୀ ଶ୍ରୀ କାଟର୍କି ଦୁଇ ବର୍ଷରେ ୧୦ ଥର ଟ୍ରିବ୍ୟୁନାଲରେ ଉପସ୍ଥିତ ହୋଇ ପକ୍ଷ ରଖିବା ପାଇଁ ୧ କୋଟି ୮୦ ଲକ୍ଷ ୯୦ ହଜାର ଟଙ୍କା ନେଇଛନ୍ତି। ଏହା ବାଦ୍‌ ସରକାର ଶ୍ରୀ ଅଗ୍ରୱାଲ ଲ’ ହାଉସ୍‌ର ୮ ଜଣ ଓକିଲଙ୍କ ପିଛା ୪୧ ଲକ୍ଷ ୭୩ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି।
ୟେ ତ’ ଗଲା କେବଳ ଆଇନଜୀବୀଙ୍କ ଫିସ୍‌ କଥା।

ମହାନଦୀ ଜଳ ବିବାଦକୁ ପୁଙ୍ଖାନୁପୁଙ୍ଖ ତର୍ଜମା କରିବା ସହ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ସରକାର ଏକ ବୈଷୟିକ କମିଟି ଗଠନ କରିଥିଲେ। ଏହି କମିଟିର ରିପୋର୍ଟ ଆଧାରରେ ସରକାର ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ପାଖରେ ନିଜର ଦାବି ଉପସ୍ଥାପନ କରୁଥିଲେ। ଆଇନଜୀବୀମାନେ ମଧ୍ୟ ଏହି ରିପୋର୍ଟ ଆଧାରରେ ମାମଲା ଲଢ଼ୁଥିଲେ। ଏହି କମିଟି ପିଛା ସରକାର ତିନି ବର୍ଷରେ ୧ କୋଟି ୫୮ ଲକ୍ଷ ଖର୍ଚ୍ଚ କରିଥିବା ବେଳେ ବିମାନରେ ଯିବା ଆସିବା କରିବା ପାଇଁ କମିଟି ସଦସ୍ୟଙ୍କ ପାଇଁ ଏଥିରୁ ୮୭ ଲକ୍ଷ ୯୩ ହଜାର ଖର୍ଚ୍ଚ ହୋଇଛି। ମାମଲା ଏବେ ବି ବିଚାରାଧୀନ ରହିଛି। ଆଇନଜୀବୀଙ୍କ ସମେତ ବୈଷୟିକ କମିଟି ପିଛା ଏହାର ବହୁଗୁଣରେ ଅର୍ଥ ଖର୍ଚ୍ଚ ହେବା ସମ୍ଭାବାନା ରହିଛି।

Spread the love