July 13, 2025

ରଙ୍ଗ ହଜିବାକୁ ବସିଲାଣି ରଙ୍ଗୀନ ଦୁନିଆରୁ, ହଲରେ ମାଡ଼ିଲାଣି ଗଛଲତା ! ମୁଣ୍ଡରେ ହାତ ଦେଲେଣି ମାଲିକ..

 

ଭୁବନେଶ୍ୱର: ରଙ୍ଗ ହଜିବାକୁ ବସିଲାଣି ରଙ୍ଗୀନ ଦୁନିଆରୁ । ସୁଟିଂ ବନ୍ଦ ଯୋଗୁ ଚଳଚ୍ଚିତ୍ର ଶିଳ୍ପ ପ୍ରଭାବିତ ହୋଇଥିବା ବେଳେ ତାଲାବନ୍ଦ ଯୋଗୁଁ ଫିଲ୍ମ ହଲ୍ ବି କ୍ଷତିଗ୍ରସ୍ତ ହେଲାଣି । ପୂର୍ବରୁ ବ୍ୟାବସାୟିକ କାରଣରୁ ରାଜ୍ୟରେ ଅନେକ ଫିଲ୍ମ ହଲ ବନ୍ଦ ହୋଇଯାଇଥିବା ବେଳେ ଏବେ ପଡିଛି କରୋନା ମହାମାରୀର ପ୍ରହାର । ଫଳରେ ରାଜ୍ୟରେ ଫିଲ୍ମ ହଲ ସଂଖ୍ୟା ଆହୁରି ସଙ୍କୁଚିତ ହେବାର ଆଶଙ୍କା ଦେଖାଦେଲାଣି ।

ରଜ ସପ୍ତାହ ଅବସରରେ ଯେଉଁ ସ୍ଥାନ କୋଳାହଳରେ ଉଠିବା ପଡିବା କଥା, ଆଜି ସେଠାରେ ନିରବତାର ରାଜୁତି । ତାଲା ବନ୍ଦ ପାଇଁ କରୋନା ମାଡ଼ରେ ଘାଇଲା ରାଜ୍ୟର ଫିଲ୍ମ ଇଣ୍ଡଷ୍ଟ୍ରି । ପ୍ରେକ୍ଷାଳୟର ଅବସ୍ଥା ବି ନକହିବା ଭଲ । କାନ୍ଥରୁ ରଙ୍ଗ ଛାଡିଗଲାଣି, ଝରକା ଉପରେ ଗଛଲତା ମାଡିଗଲାଣି । ଦୀର୍ଘ ଦିନ ଧରି ଖୋଲିନଥିବାରୁ ଏଭଳି ଅବସ୍ଥାରେ ପଡିରହିଛି ସିନେମା ହଲ୍ ।

ରାଜ୍ୟରେ ଏବେ ରହିଛି ପ୍ରାୟ ୮୦ଟି ଫିଲ୍ମ ହଲ୍ l କିନ୍ତୁ କରୋନା କହର ଯୋଗୁଁ ପ୍ରାୟ ବର୍ଷେରୁ ଅଧିକ ସମୟ ଧରି ଫିଲ୍ମ ହଲ୍ ବେପାର ଏକ ପ୍ରକାର ଠପ୍ l ଗତବର୍ଷ ମାର୍ଚ୍ଚ ୧୩ରୁ ସରକାରଙ୍କ କୋଭିଡ୍ କଟକଣା ପାଇଁ ବନ୍ଦ ହେଲା ଫିଲ୍ମ ହଲ୍ l ଏବର୍ଷ ଜାନୁଆରୀ ପହିଲାରୁ ହଲ୍ ଖୋଲିବା ପାଇଁ ଅନୁମତି ମିଳିଥିଲା । ହେଲେ କୌଣସି ନୂଆ ଫିଲ୍ମ ରିଲିଜ୍‌ ହେଲାନାହିଁ, ବରଂ ଚାଲିଲା ପୁରୁଣା ଇଂରାଜୀ ଓ ଡବିଙ୍ଗ ଫିଲ୍ମ । ତାପରେ ପୁଣି ମେ’ ୫ରୁ ଦ୍ୱିତୀୟ ଲହର ପାଇଁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଲା ପଡ଼ିଲା ପ୍ରେକ୍ଷାଳୟରେ । ମାଲିକଙ୍କ କହିବା କଥା ହଲ ବନ୍ଦ ହେଲେ ବି ସମସ୍ତ ମେସିନାରୀର ରକ୍ଷାଣାବେକ୍ଷଣ ଖର୍ଚ୍ଚ ସହ ହୋଲଡିଂ ଟିକସ, ବିଦ୍ୟୁତ୍‌ ବିଲ୍, ଷ୍ଟାଫ ଦରମା ଆଦି ଦେବାକୁ ପଡୁଛି । ତା ସହିତ ପୁଣି ବ୍ୟାଙ୍କ ଋଣ ସୁଧର ବୋଝ । ଏଥପାଇଁ ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡୁଛି । ତାଲା ବନ୍ଦ ପାଇଁ କେବଳ ହଲ ମାଲିକ ମାନେ କ୍ଷତିଗ୍ରସ୍ତ ହୋଇନାହାନ୍ତି । ହଲ ଉପରେ ର୍ନିଭର କରି ଚଳୁଥିବା ବ୍ୟବସାୟୀ ବି ପ୍ରଭାବିତ ହୋଇଛନ୍ତି ।

Spread the love