July 12, 2025

ରମଣ ସିଂହ ଓ ସମ୍ବିତ ପାତ୍ରଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ ଆଶ୍ଵସ୍ତି, ଛତିଶଗଡ ସରକାରଙ୍କୁ ଲାଗିଲା ଝଟକା

 

ନୂଆଦିଲ୍ଲୀ ୨୨।୦୯: ଟୁଲକିଟ୍ ମାମଲାରେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଓ ବିଜେପି ଜାତୀ୍ୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ ଆଶ୍ଵସ୍ତି। ଅନ୍ୟପଟେ ଛତିଶଗଡ ସରକାରଙ୍କୁ ଲାଗିଲା ଜୋରଦାର ଝଟକା। ସୁପ୍ରିମକୋର୍ଟ ଛତିଶଗଡ ସରକାରଙ୍କ ସେହି ଆବେଦନକୁ ଖାରଜ କରିଛନ୍ତି, ଯେଉଁଥିରେ ରାଜ୍ୟ ସରକାର ଏହି ଦୁଇ ନେତାଙ୍କ ବିରୋଧରେ ଯାଞ୍ଚ ରୋକିବାକୁ ହାଇକୋର୍ଟ ଦେଇଥିବା ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ଛତିଶଗଡ ସରକାରଙ୍କ ଦୁଇ ଦୁଇଟି ଯାଚିକା ଉପରେ ଶୁଣାଣି କରିବାକୁ ବୁଧବାର ମନା କରି ଦେଇଛନ୍ତି।

ପ୍ରଧାନ ବିଚାରପତି ଏନଭି ରମନ୍ନା, ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ହିମା କୋହଲିଙ୍କ ଖଣ୍ଡପୀଠ ଛତିଶଗଡ ସରକାରଙ୍କ ପକ୍ଷରୁ ଅଦାଲତରେ ହାଜର ବରିଷ୍ଠ ଆଡଭୋକେଟ୍ ଏଏମ ସାଙ୍ଘଭିଙ୍କୁ କହିଛନ୍ତି ଯେ, ଏହି ମାମଲାରେ ଛତିଶଗଡ ସରକାରଙ୍କୁ ନିଷ୍ପତ୍ତି ନେବାକୁ ଦିଅନ୍ତୁ। କାରଣ ସମଗ୍ର ଦେଶରେ ଟୁଲକିଟ୍ ମାମଲା ବନ୍ଦ କରିବାକୁ ଅନେକ ଲୋକ ବିଭିନ୍ନ କୋର୍ଟରେ ଯାଚିକା ଦାଖଲ କରିଛନ୍ତି। ତେଣୁ ଛତିଶଗଡ ସରକାରଙ୍କ ଏହି ଆବେଦନକୁ ଆମେ ସ୍ଵତନ୍ତ୍ର ଭାବେ ପ୍ରାଥମିକତା ଦେଇ ପାରିବୁ ନାହିଁ।

ଏହା ପୂର୍ବରୁ ଛତିଶଗଡ  ହାଇକୋର୍ଟ ଜୁନ ୧୧ରେ ଦୁଇଟି ଅଲଗା ଅଲଗା ଆଦେଶ ପାରିତ କରିଥିଲେ। ରମଣ ସିଂହ ଓ ସମ୍ବିତ ପାତ୍ରଙ୍କ ବିରୋଧରେ ରୁଜୁ ମାମଲା ଉପରେ ଉଭୟଙ୍କୁ ଅନ୍ତରୀଣ ଆଶ୍ଵସ୍ତି ପ୍ରଦାନ କରିଥିଲେ। ଅଦାଲତ କହିଥିଲେ ଯେ, ଦୁଇ ନେତାଙ୍କ ଟ୍ଵିଟ୍ କଂଗ୍ରେସ ନେତାଙ୍କୁ ଖୁବ୍ କ୍ରୋଧିତ କରିଛି। ଏଥିରୁ ସ୍ପଷ୍ଟ ସଙ୍କେତ ମିଳିଛି ଯେ, ଟ୍ଵିଟ୍‌ ଦ୍ଵାରା ସାର୍ବଜନୀନ ଶାନ୍ତି ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଇ ନାହିଁ। ଏହା କେବଳ ଦୁଇ ରାଜନୈତିକ ଦଳ ମଧ୍ୟରେ ରାଜନୈତିକ ପ୍ରତିଦ୍ଵନ୍ଦ୍ଵିତା ମାମଲା। ତେଣୁ ଏହି ମାମଲା ଉପରେ ବିଚାର କରିବାକୁ ହାଇକୋର୍ଟକୁ ଦିଆଯାଉ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Spread the love