August 26, 2025

ଲାଲୁ ଏବଂ ମୁଲାୟମଙ୍କ ‘ଚାଏ ପେ ଚର୍ଚ୍ଚା’, ଆରଜେଡି ମୁଖ୍ୟ କହିଲେ- ଦେଶ ପାଇଁ ସମାଜବାଦ ଜରୁରୀ

 

ପାଟନା ୦୨/୦୮: ଉତ୍ତରପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତିରେ ହଲଚଲ ଆରମ୍ଭ ହୋଇଗଲାଣି। ଏହାରି ଭିତରେ ସୋମବାର ନୂଆଦିଲ୍ଲୀରେ ସମାଜବାଦି ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କୁ ଭେଟିଛନ୍ତି ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ। ଦୁଇ ବରିଷ୍ଠ ନେତାଙ୍କ ସାକ୍ଷାତକୁ ନେଇ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ସୋମବାର ଟ୍ବିଟରରେ ଫଟୋ ସେୟାର କରିଛନ୍ତି। ଆଜି ମୁଲାୟମ ଯାଦବ ସଂସଦ ଅଧିବେଶନରେ ଅଂଶଗ୍ରହଣ କରିଥିଲେ । ଅଖିଳେଶ ଯେଉଁ ଫଟୋ ପୋଷ୍ଟ କରିଛନ୍ତି ସେଥିରେ ଦୁଇ ନେତା ଚା’ ପିଉଥିବା ବେଳେ ଚର୍ଚ୍ଚା କରୁଥିବା ଦେଖିବାକୁ ମିଳିଛି।

ଏହି ସାକ୍ଷାତ ପରେ ଲାଲୁ ଯାଦବ ଟ୍ବିଟ୍‌ ମଧ୍ୟ କରିଛନ୍ତି। ସେ ଲେଖିଛନ୍ତି, ‘ଆଦରଣୀୟ ମୁଲାୟମ ସିଂହଙ୍କୁ ଭେଟି ତାଙ୍କର ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଲି। ଅଶିକ୍ଷା, କୃଷକ, ଗରିବୀ ଏବଂ ବେରୋଜଗାର ପାଇ ଚିନ୍ତା ଏବଂ ଲଢ଼େଇ ଜାରି ରହିବ । ଏବେ ଦେଶକୁ ପୁଞ୍ଜିବାଦ ଏବଂ ସମ୍ପ୍ରଦାୟବାଦ ନୁହେଁ ବରଂ  ଲୋକ ସମାନତା ଏବଂ ସମାଜବାଦର ଅତ୍ୟନ୍ତ ଆବଶ୍ୟକତା ରହିଛି।’

ଜାମିନ​‌ରେ ଜେଲ୍‌ରୁ ବାହାରିଥିବା ଲାଲୁ ଏବେ ଦିଲ୍ଲୀରେ ଅଛନ୍ତି। ଏହି ସମୟରେ ସେ ବିଭିନ୍ନ ନେତାଙ୍କ ସହ ସାକ୍ଷାତ ଆଲୋଚନା ଆରମ୍ଭ କରିଛନ୍ତି। ନିକଟରେ ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟିଥିଲେ ଲାଲୁ ଯାଦବ। ମୁଲାୟମ ସିଂହ ଯାଦବଙ୍କ ପୂର୍ବରୁ ଏସପି ନେତା ରାମଗୋପାଳ ଯାଦବ ମଧ୍ୟ ଲାଲୁଙ୍କୁ ସାକ୍ଷାତ କରିଥିଲେ। ଖାସ କଥା ହେଉଛି ଏହି ସବୁ ସାକ୍ଷାତ ଆଲୋଚନା ଆଗାମୀ ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ହେଉଛି।

ୟୁପି ନିର୍ବାଚନ ପାଇଁ ସମାଜବାଦି ପାର୍ଟି ଏବଂ ଏନସିପି ମଧ୍ୟରେ ମେଣ୍ଟ ହୋଇଛି। ଏହା ବ୍ୟତୀତ ଅନ୍ୟ ବିରୋଧୀ ଦଳ ମଧ୍ୟ ଏସପି ସହ ହାତ ମିଶାଇପାରନ୍ତି। ସେପଟେ କୌଣସି ବଡ଼ ଦଳ ସହ ମେଣ୍ଟ କରିବନି ବୋଲି ସପା ପକ୍ଷରୁ କୁହାଯାଇଥିବା ବେଳେ ଛୋଟ ଛୋଟ ଦଳର ସହୟତା ଲୋଡ଼ୁଥିବା ଦେଖିବାକୁ ମିଳୁଛି।

Spread the love