
ସମ୍ବଲପୁର : ଶାସନ ମୁଖ୍ୟ କେନାଲର ନବୀକରଣ କାର୍ଯ୍ୟ ପାଇଁ ରାଜ୍ୟ ସରକାର ୬୩.୦୪ କୋଟି ଟଙ୍କା ମଂଜୁର କରିଛନ୍ତି। ଏଥିପାଇଁ ଟେଣ୍ଡର ବି ଆହ୍ବାନ କରାଯାଇଛି। ହେଲେ ଜଳସଂପଦ ବିଭାଗର ଅଚାନକ ସର୍ବୋଚ୍ଚ ଯନ୍ତ୍ରୀ ନୂଆକରି ମହାନଦୀ ବେସିନ୍ ମ୍ୟାନେଜର ତଥା ମୁଖ୍ୟଯନ୍ତ୍ରୀଙ୍କୁ ପ୍ରସ୍ତାବ ମାଗିବା ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଶାସନ କେନାଲ ନବୀକରଣ କାର୍ଯ୍ୟ ଟଙ୍କା ଫେରାଇ ନେବା ପାଇଁ ଏହା ଏକ ଚକ୍ରାନ୍ତ ବୋଲି ଚାଷୀମାନଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି।
ପ୍ରାପ୍ତ ସୂଚନା ଅନୁସାରେ, ଶାସନ ମୁଖ୍ୟ କେନାଲର ଉନ୍ନତି ଓ ନବୀକରଣ କାର୍ଯ୍ୟ ନିମେନ୍ତ ଗତ ୨୦୨୦ ମସିହାରେ ପଦକ୍ଷେପ ନିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଶାସନ ମୁଖ୍ୟ କେନାଲର ଆରମ୍ଭରୁ ୬ କିଲୋମିଟର ଦୂରତା ପର୍ଯ୍ୟନ୍ତ ନବୀକରଣ ନିମନ୍ତେ ୬୩.୦୪ କୋଟି ଟଙ୍କା ମଂଜୁର କରାଯାଇଥିଲା। ଏଥିପାଇଁ ଗତ ୧୪ ସେପ୍ଟେମ୍ବର ୨୦୨୦ ଅନୁଷ୍ଠିତ ଟିଏସି ବୈଠକରେ ମହାନଦୀ ବେସିନ୍ ମ୍ୟାନେଜର ତଥା ମୁଖ୍ୟଯନ୍ତ୍ରୀଙ୍କ ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା। ସିମେଣ୍ଟିୟସ୍ କଂପୋଜାଇଟ୍ ଜିଓ ସିନ୍ଥେଟିକ୍ କାର୍ପେଟ୍ ଲାଇନିଂ(ସିସିଜିସି) ପ୍ରକ୍ରିୟାରେ ଏହି କାମ ହେବାର ଥିଲା। ଏହାଦ୍ବାରା କେନାଲ ସୁରକ୍ଷିତ ରହିବା ସହିତ ପାଣିର ଅପଚୟ ବି ହେବ ନାହିଁ। ଟିଏସି ବୈଠକର ଅନୁ ମୋଦନ ପରେ ଜଳସଂପଦ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଥିଲା। ଏହି କାମ ପାଇଁ ୭ଟି ସଂସ୍ଥା ଆଗ୍ରହ ପ୍ରକାଶ କରିଛନ୍ତି। ତେବେ, ଜଳସଂପଦ ବିଭାଗର ମୁଖ୍ୟଯନ୍ତ୍ରୀ ଗତ ୨ ତାରିଖ ଦିନ ମହାନଦୀ ବେସିନ୍ ମ୍ୟାନେଜର ତଥା ମୁଖ୍ୟଯନ୍ତ୍ରୀଙ୍କୁ ଚିଠି ଲେଖି ପୂର୍ବ ପ୍ରସ୍ତାବ ଉପରେ ମୁଖ୍ୟଯନ୍ତ୍ରୀ (ଡିଜାଇନ୍) କେତେକ ପ୍ରଶ୍ନ କରିଛନ୍ତି। ଏଣୁ ଆଉଥରେ ପ୍ରସ୍ତାବ ଦେବାକୁ ମହାନଦୀ ବେସିନ୍ ମ୍ୟାନେଜର ତଥା ମୁଖ୍ୟଯନ୍ତ୍ରୀଙ୍କୁ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି। ଏହି ପ୍ରସ୍ତାବ ଉପରେ ପରବର୍ତ୍ତୀ ଟିଏସି ବୈଠକରେ ଆଲୋଚନା କରାଯିବ ବୋଲି ଉକ୍ତ ଚିଠିରେ ସେ ସ୍ପଷ୍ଟ କରିଛନ୍ତି। ଏ ସଂକ୍ରାନ୍ତରେ ଜଣାପଡ଼ିବା ପରେ ଅଂଚଳର ଚାଷୀମାନଙ୍କ ଉପରେ ନାନା ଆଶଙ୍କା ପ୍ରକାଶ ପାଇଛି। ନବୀକରଣ କାର୍ଯ୍ୟ ନକରିବା ପାଇଁ ଏହା ଏକ ଷଡ୍ଯନ୍ତ୍ର ବୋଲି କେତେକ ଚାଷୀ କହିଛନ୍ତି।
ଏ ସଂକ୍ରାନ୍ତରେ ମହାନଦୀ ବେସିନ୍ ମ୍ୟାନେଜର ତଥା ମୁଖ୍ୟଯନ୍ତ୍ରୀ ଏ.କେ. ସାହୁଙ୍କୁ ପଚାରିବାରୁ ସେ କହିଲେ, ଯେହେତୁ ଟେଣ୍ଡର ଆହ୍ବାନ ହୋଇଛି, ନିଶ୍ଚିତ ଭାବେ କାମ ହେବ। କେତେକ ବୈଷୟିକ ପ୍ରସଂଗ ଉପରେ କେବଳ ସ୍ପଷ୍ଟୀକରଣ ପାଇଁ ସର୍ବୋଚ୍ଚ ଯନ୍ତ୍ରୀ ଏହି ଚିଠି ଦେଇଛନ୍ତି ବୋଲି ଇଂ. ସାହୁ ସ୍ପଷ୍ଟ କରିଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍