August 22, 2025

୫ମାସର ଛୁଆକୁ ଧରି ୩୮ କିମି ଦୂର ଆସି ପ୍ରଶିକ୍ଷଣ ନେଉଛନ୍ତି ଅଙ୍ଗନବାଡ଼ି କର୍ମୀ

 

ସୋରଡ଼ା : ଜୀବିକା ଓ ବ୍ୟକ୍ତିଗତ ଜୀବନକୁ ନେଇ ଆଗକୁ ବଢ଼ିବାରେ କର୍ମଜୀବୀ ମହିଳାଙ୍କ ପାଇଁ ଏକପ୍ରକାର ଆହ୍ୱାନ। ଉତ୍ତରପ୍ରଦେଶର ଜଣେ ୨୫ ବର୍ଷିୟା ମହିଳା ପୁଲିସ୍‍ କର୍ମଚାରୀ ନିଜର ବର୍ଷକର ସନ୍ତାନକୁ ଧରି କାର୍ଯ୍ୟ କରୁଥିବା ଓ ପଞ୍ଜାବ ଚଣ୍ଡିଗଡ଼଼ର ଜଣେ ମହିଳା ଟ୍ରାଫିକ୍‍ କନଷ୍ଟେବଳ ଗୋଟିଏ ହାତରେ ନିଜ ସନ୍ତାନକୁ ଧରି ଟ୍ରାଫିକ୍‍ ପୋଷ୍ଟରେ କାର୍ଯ୍ୟ କରୁଥିବା ଖବର ସାରା ଦେଶରେ ପ୍ରସାର ହୋଇଥିଲା। ଠିକ୍‍ ସେହିପରି ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ସୋରଡ଼ା ବ୍ଳକ୍‍ରେ। ବ୍ଳକଠାରୁ ୩୮ କିମି ଦୂର ଆଦିବାସୀ ଅଧ୍ୟୁଷିତ ଗାଜଲବାଡ଼ି ପଞ୍ଚାୟତ ଜିରାକୁଆ ଗ୍ରାମର ଅଙ୍ଗନବାଡ଼ି କର୍ମୀ ଆଦିବାସୀ ମହିଳା ମାମା ପ୍ରଧାନ। ଯିଏକି ନିଜର ୫ ମାସର ସନ୍ତାନକୁ ଧରି ମହିଳା ଓ ଶିଶୁ ସମନ୍ୱୟ କାର୍ଯ୍ୟାଳୟକୁ ଆସି ତାଲିମ ଶିବିରରେ ଯୋଗ ଦେଇଛନ୍ତି। ଗୋଟିଏ ହାତରେ ଛତା, ଆର ହାତରେ କାଗଜପତ୍ର ଭର୍ତ୍ତି ପଲିଥିନ ବ୍ୟାଗ୍‍, କାନ୍ଧରେ ଝୁଲୁଛି ୫ ମାସର ସନ୍ତାନ। ତଥାପି କର୍ତ୍ତବ୍ୟ ଆଗରେ ବାଧକ ସାଜିନି ମାତୃତ୍ୱ। ରୀତିମତ ସେ ୩୮ କିମି ଦୂରତା ଅତିକ୍ରମ କରି ଶିବିରରେ ପହଞ୍ଚି ତାଲିମ ଗ୍ରହଣ କରୁଛନ୍ତି।
ସୋରଡ଼ା ବ୍ଳକ୍‍ ଗାଜଲବାଡ଼ି ପଞ୍ଚାୟତର ଜିରାକୁଆ ଗ୍ରାମ ନିବାସୀ ମାମା ପ୍ରଧାନ ନିକଟସ୍ଥ ମିନାଜାଡ଼ି ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ରୂପେ କାର୍ଯ୍ୟରତ। ନିକଟସ୍ଥ ମାଙ୍କଡ଼ଖାରି, ଆଡିପଙ୍କା, ବଙ୍ଗଡ଼ା ଆଦି ଆଦିବାସୀ ଗ୍ରାମ ବୁଲି ନିଜର ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଜନ୍ମରୁ ୫ ବର୍ଷ ମଧ୍ୟରେ ଥିବା ନିଜ ଅଞ୍ଚଳର ପିଲାଙ୍କ ସେବାରେ ଦୈନନ୍ଦିନ ଲାଗି ପଡ଼ିଛନ୍ତି । ସର୍ବେକ୍ଷଣ ହେଉ କିମ୍ବା ପୋଷକତତ୍ତ୍ବ ସାମଗ୍ରୀ ବଣ୍ଟନର ଦାୟିତ୍ୱକୁ ସେ ସଠିକ୍‍ ସମୟରେ ନିର୍ବାହ କରି ଆସୁଛନ୍ତି। ଗତ ୫ ଦିନ ହେଲା ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ରାଜ୍ୟ ପ୍ରସଙ୍ଗ ଭିତ୍ତିକ ବାର୍ଷିକ ଆଦ୍ୟ ଶୈଶବକାଳୀନ ଯତ୍ନ ଓ ଶିକ୍ଷାର ଦ୍ୱିତୀୟ ପର୍ଯ୍ୟାୟ ତାଲିମ ପାଠ୍ୟକ୍ରମ ବ୍ଳକ୍‍ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଚାଲିଛି। ତାଲିମ ଶିବିରରେ ଯୋଗଦେବା ପାଇଁ ମାମା ପ୍ରତ୍ୟେକ ଦିନ ନିଜର ସନ୍ତାନକୁ ଧରି ଶିବିରରେ ଭାଗ ନେଉଛନ୍ତି। ନିଜ ଅଞ୍ଚଳର ନବଜନ୍ମିତ ଶିଶୁଙ୍କ ଯତ୍ନ ପାଇଁ ନିଜର ଜନ୍ମିତ ଶିଶୁକୁ କାନ୍ଧରେ ଧରି ବେଶ୍‍ ହସ ଖୁସିର ସହ ସେ କାର୍ଯ୍ୟ କରୁଥିବା ଦେଖିବାକୁ
ମିଳିଛି। ଜିରାକୁଆ ଠାରୁ ଗାଜଲବାଡ଼ି ୧୭ କିମି ହୋଇଥିବା ବେଳେ ଗମନାଗମନ ପାଇଁ କୌଣସି ଗାଡ଼ିର ବ୍ୟବସ୍ଥା ନାହିଁ। ନିଜ ବ୍ୟବସ୍ଥାରେ ଗାଜଲବାଡ଼ି ପର୍ଯ୍ୟନ୍ତ ଆସି ସେଠାରୁ ପୁଣି ୨୧ କିମି ଆସିଲେ ପଡେ ସୋରଡ଼ା ବ୍ଳକ୍‍ କାର୍ଯ୍ୟାଳୟ। ସ୍ୱଳ୍ପ ଦରମା ପାଇ ମାମା ପ୍ରଧାନ ନିଜ କର୍ତ୍ତବ୍ୟକୁ ଠିକ୍‍ ରୂପେ ତୁଲାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ତାଙ୍କର ବେଶ୍‍ ପ୍ରଶଂସା କରାଯାଉଛି। ତାଙ୍କରି ଏପରି ଉତ୍ସର୍ଗୀକୃତ ସେବା ମନୋଭାବ ପାଇଁ ସ୍ଥାନୀୟ ବ୍ଳକ୍‍ ପ୍ରଶାସନ ସାଧୁବାଦ ଜଣାଇଛନ୍ତି। ଦୃଢ ଇଛାଶକ୍ତି ଥିଲେ ସବୁ କିଛି ସମ୍ଭବ ବୋଲି କହିଛନ୍ତି ମାମା ପ୍ରଧାନ।

Spread the love