July 13, 2025

୭୦ ହଜାରର ଭେଣ୍ଡିଂ ଜୋନ୍‌କୁ ୮ ଲକ୍ଷରେ ବିକ୍ରି!

 

ରାଉରକେଲା : କ୍ଷୁଦ୍ର ବ୍ୟବସାୟୀଙ୍କୁ ଥଇଥାନ କରିବାକୁ ସହରର ବିଭିନ୍ନ ଜାଗାରେ ନିର୍ମାଣ ହୋଇଛି ଭେଣ୍ଡିଂ ଜୋନ୍‌। ଏ ବାବଦରେ ଖର୍ଚ୍ଚ ହୋଇଛି ଲକ୍ଷ ଲକ୍ଷ ଟଙ୍କା। କିଛି ଯୋଗ୍ୟ କ୍ଷୁଦ୍ର ବ୍ୟବସାୟୀଙ୍କୁ ଭେଣ୍ଡିଂ ଜୋନ୍‌ ଆବଣ୍ଟନ ହୋଇଛି। ଆଉ କିଛି ଭିତିରି ସଲାସୁତୁରା କରି ହାତେଇଛନ୍ତି। ଏଥି ମଧ୍ୟରୁ ଅର୍ଦ୍ଧାଧିକ ଭେଣ୍ଡିଂ ଜୋନ୍‌ରେ ମାସେ କି ଦୁଇ ମାସ ନୁହେଁ, ବର୍ଷ ବର୍ଷ ଧରି ତାଲା ଝୁଲୁଛି। ଏସୁ ଭିତରେ ଚାଲିଛି ଭେଣ୍ଡିଂ ଜୋନ୍‌ ଦୋକାନ ବେପାର। ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)ରୁ ୭୦ ହଜାର ଟଙ୍କାରେ ହାତେଇଛନ୍ତି। ବିକୁଛନ୍ତି ୮ରୁ ୧୦ ଲକ୍ଷରେ। ‌ଗୋଟିଏ କି ଦୁଇଟି ନୁହେଁ ଗୋଟିଏ ଗୋଟିଏ ମାର୍କେଟ ୬ରୁ ୧୦ ପର୍ଯ୍ୟନ୍ତ ଭେଣ୍ଡି ଜୋନ୍‌ ଦୋକାନ ଅନ୍ୟକୁ ବେଆଇନ ଭାବେ ବିକ୍ରି ହୋଇଛି। ତାହା ପୁଣି ୨ କି ୩ ଲକ୍ଷ ଟଙ୍କା ନୁହେଁ ୮ରୁ ୧୦ ଲକ୍ଷ ଟଙ୍କାରେ।

ସବୁଠୁ ଆଶ୍ଚର୍ଯ୍ୟ କଥା, ଦୋକାନ ହାତେଇଥିବା ବ୍ୟବସାୟୀ ଆର୍‌ଏମ୍‌ସିର ବିଭାଗୀୟ ଅଧିକାରୀଙ୍କ ସହ ସଲାସୁତୁରା କରି ନିଜ ନାଁରେ କରି ଦେଇଛନ୍ତି। ସେପଟେ ବର୍ଷ ବର୍ଷ ଧରି ଭେଣ୍ଡିଂ ଜୋନ୍‌ର ଏକାଧିକ ଦୋକାନରେ ତାଲା ଝୁଲୁଛି। ଆର୍‌ଏମ୍‌ସି ସେଗୁଡ଼ିକ ବାତିଲ ନ କରି ଚୁପ୍‌ ବସିଛି। ସହରର ସରକାରୀ ଆଇଟିଆଇ ସମ୍ମୁଖ, ଉଦିତନଗର ମିନି ଷ୍ଟାଡିୟମ, ବାସନ୍ତି କଲୋନି, ଏସ୍‌ଟିଆଇ, ଟିମ୍ବରକଲୋନିରେରେ ପାଖାପାଖି ୩୦୦ରୁ ଅଧିକ ଦୋକାନ ନିର୍ମାଣ ହୋଇଛି। ଏ ବାବଦରେ ମୋଟ ୧ କୋଟି ୬୫ ଲକ୍ଷ ୩୧ ହଜାର ୩୩୮ ଟଙ୍କା ଖର୍ଚ୍ଚ ହୋଇଥିବା ଆର୍‌ଏମ୍‌ସି ପକ୍ଷରୁ କୁହାଯାଇଛି। ବାସନ୍ତୀ କଲୋନି, ଟିମ୍ବର କଲୋନି, ଉଦିତନଗର ଭେଣ୍ଡିଂ ପାଇଥିବା କିଛି ତଥାକଥିତ ବ୍ୟବସାୟୀ ଆର୍‌ଏମ୍‌ସି ଅଧିକାରୀଙ୍କ ଉପରେ ଚାପ ପକାଇ ଅନ୍ୟମାନଙ୍କୁ ଲକ୍ଷ ଲକ୍ଷ ଟଙ୍କାରେ ବିକି ଦେବାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ।

 

ମିଳିଥିବା ସୂଚନା ଅନୁଯାୟୀ ବାସନ୍ତୀ କଲୋନିର ଗୋଟିଏ ଗୋଟିଏ ଭେଣ୍ଡିଂ ଜୋନ୍‌ ଦୋକାନରୁ ୮ରୁ ୧୦ ଟଙ୍କାରେ ବିକ୍ରି କରାଯାଇଛି। ଟିମ୍ବର କଲୋନିରେ ୫ରୁ ୬ ଟି ‌ଦୋକାନ ଅନ୍ୟକୁ ବିକି ଦିଆଯାଇଛି। ସେମିତି ଉଦିତନଗରରେ ମୋଟ ୮୬ ଦୋକାନ ରହିଛି। ଏଥିମଧ୍ୟରୁ କିଛି ଦୋକାନ ଅନ୍ୟକୁ ବିକ୍ରି କରି ଦିଆଯାଇଥିବା ଅଭିଯୋଗ ହେଉଛି, ଯାହା ତଦନ୍ତ ସାପେକ୍ଷ। ଆର୍‌ଏମ୍‌ସି ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଏସବୁ ଭେଣ୍ଡିଂ ଜୋନ୍‌ ଦୋକାନ ୮ଟି ପର୍ଯ୍ୟାୟରେ ନିର୍ମାଣ ହୋଇଛି। ଦୁଇ ଠିକାଦାର ରମେଶ କୁମାର ଜେନା, ରଞ୍ଜନ କୁମାର ନାୟକଙ୍କୁ ନିର୍ମାଣ କାମ ଦିଆଯାଇଥିଲା। ବାସନ୍ତୀ କଲୋନି, ସରକାରୀ ଆଇଟିଆଇରେ ୨୦୦ ଭେଣ୍ଡିଂ ଜୋନ୍‌ ନିର୍ମାଣ ବାବଦରେ ଚାରିଟି ପର୍ଯ୍ୟାୟରେ ଠିକାଦାର ରମେଶ କୁମାର ଜେନାଙ୍କୁ ଆର୍‌ଏମ୍‌ସି ପକ୍ଷରୁ ସ୍ବତନ୍ତ୍ର ସହରାଞ୍ଚଳ ପାଣ୍ଠିରୁ ଅର୍ଥ ପ୍ରଦାନ କରାଯାଇଛି। ପ୍ରଥମେ ୩୬ ଲକ୍ଷ ୪୪ ହଜାର ୨୨୩ଟଙ୍କା, ଦ୍ବିତୀୟରେ ୨୨ ଲକ୍ଷ ୯୦ ହଜାର ୪୨୭ ଟଙ୍କା, ତୃତୀୟ ପର୍ଯ୍ୟାୟରେ ୨୩ ଲକ୍ଷ ୩ ହଜାର ୫୬୫ ଟଙ୍କା ଓ ଚତୁ୍ର୍ଥ ପର୍ଯ୍ୟାୟରେ ୧୧ ଲକ୍ଷ ୭୪ ହଜାର ୧୪୨ ଟଙ୍କା ଏମିତି ମୋଟ ୯୯ ଲକ୍ଷ ୧୨ ଲକ୍ଷ ୩୫୭ ଟଙ୍କା ନେଇଛନ୍ତି। ଟିମ୍ବରକଲୋନୀ, ବାସନ୍ତୀ କଲୋନି ଓ ଏସ୍‌ଟିଆଇ ଛକରେ ଭେଣ୍ଡିଂ ଜୋନ୍‌ ନିର୍ମାଣ କରିବାକୁ ଠିକାଦାର ରଞ୍ଜନ କୁମାର ନାୟକଙ୍କୁ ମଧ୍ୟ ୪ଟି ପର୍ଯ୍ୟାୟରେ ମୋଟ ୬୬ ଲକ୍ଷ ୧୮ ହଜାର ୯୮୧ ଟଙ୍କା ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ୧୦ ଲକ୍ଷ ୩ ହଜାର ୧୩୧ ଟଙ୍କା, ଦ୍ବିତୀୟ ପର୍ଯ୍ୟାୟରେ ୪୪ ଲକ୍ଷ ୨୪ ହଜାର ୭୫୩ ଟଙ୍କା, ତୃତୀୟ ପର୍ଯ୍ୟାୟରେ ୧୦ ଲକ୍ଷ ୧୧ ହଜାର ୭୬ ଟଙ୍କା ଓ ଚତୁର୍ଥ ପର୍ଯ୍ୟାୟରେ ୧ ଲକ୍ଷ ୮୦ ହଜାର ୨୦ ଟଙ୍କା ନେଇଛନ୍ତି। ଏତେ ଟଙ୍କା ମଞ୍ଜୁର ସତ୍ବେ ଅଧିକାଂଶ ଭେଣ୍ଡିଂ ଜୋନ୍‌ କ୍ଷୁଦ୍ର ବ୍ୟବସାୟୀଙ୍କ କାମରେ ନ ଆସିବା ଅର୍ଥ କେବଳ ଠିକାଦାରଙ୍କୁ ପୋଷା ନୀତି ଆପଣେଇଛି ଆର୍‌ଏମ୍‌ସି।

ଅନ୍ୟପଟେ ଭେଣ୍ଡିଂ ଜୋନ୍‌ ନିର୍ମାଣ ଖର୍ଚ୍ଚ ଅର୍ଥକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ବିରେନ ସେନାପତି, ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରାୟ। ସେମାନେ କହିଛନ୍ତି, ଦୁଇଟି ଠିକାଦାରଙ୍କୁ ନିର୍ମାଣ କାର୍ଯ୍ୟ ଦେବାର ପଛରେ ନିଶ୍ଚିତ ଭାବେ କିଛି ମନ୍ଦ ଉଦ୍ଦେଶ୍ୟ ରହିଛି। ଯାହାର ବିଧିବଦ୍ଧ ତଦନ୍ତ କରାଯାଉ। ‌ସେହିପରି ସହରରେ ଏବେ ଅନେକ ଉଠାଦୋକାନୀ ଦୋକାନଟିଏ ନ ପାଇ ରାସ୍ତାକଡରେ ବସିବାକୁ ବାଧ୍ୟ ହେଉଛନ୍ତି। ଏପରି ସ୍ଥଳେ ଲକ୍ଷ ଲକ୍ଷ ଟଙ୍କାରେ ନିର୍ମାଣରେ ହୋଇଥିବା ଭେଣ୍ଡିଂ ଜୋନ୍‌ ଦୋକାନରେ ବର୍ଷ ବର୍ଷ ତାଲା ଝୁଲୁଛି। ବନ୍ଦ ପଡିଥିବା କିଛି ଭେଣ୍ଡିଂ ଜୋନ୍‌ ଦୋକାନରେ ରାତିରେ ମଦୁଆଙ୍କ ଆସର ଜମୁଛି। ବେଆଇନ ଭାବେ ବିକ୍ରିକୁ ବିଭାଗୀୟ ଅଧିକାରୀ ନ ରୋକି ନୀରବଦ୍ରଷ୍ଟା ସାଜିଛନ୍ତି। ବର୍ଷ ବର୍ଷ ଧରି ବନ୍ଦ ପଡିଥିବା ଦୋକାନକୁ ବାତିଲ କରାଯାଉ ନାହିଁ ବରଂ ଅନ୍ୟକୁ ବେଆଇନ ଭାବେ ବିକ୍ରି ହେଉଥିବା ଦୋକାନକୁ ସେମାନଙ୍କ ନାଁରେ କରି ଦେଉଛନ୍ତି। ଏଥିପ୍ରତି ଆର୍‌ଏମ୍‌ସି କର୍ତ୍ତୃପକ୍ଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ନ ହେଲେ ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଭେଣ୍ଡିଂ ଜୋନ୍‌ ନିର୍ମାଣ ହୋଇଥିଲା, ତା’ ବିଫଳ ହେବ ନିଶ୍ଚୟ।

Spread the love