September 19, 2024

Satya News

odia news channel

୮୨୭ କୋଟିର ନୂଆଁଖାଇ ଭେଟି

 

ବଲାଙ୍ଗୀର/ ପାଟଣାଗଡ଼/ ଟିଟିଲାଗଡ଼ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଜିଲ୍ଲା ଗସ୍ତ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ୍‌କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୫୯୭କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଦେଇଥିବା ବେଳେ ୨୩୦କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ବଲାଙ୍ଗୀର ଜିଲ୍ଲାବାସୀଙ୍କୁ ମୋଟ ୮୨୭କୋଟି ଟଙ୍କାର ନୂଆଁଖାଇ ଭେଟି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ଟିଟିଲାଗଡ଼ ଏବଂ ପରେ ପାଟଣାଗଡ଼ ଓ ବଲାଙ୍ଗୀର ସଭାରେ ଯୋଗଦେଇଥିଲେ। ସଭାରେ ପ୍ରଥମେ ନୂଆଁଖାଇର ଜୁହାର ଜଣାଇ ନିଜର ବାର୍ତ୍ତା ରଖିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦେଶରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥକାର୍ଡ ଏକ ‘ମାଇଲଷ୍ଟୋନ’ ହେବ। ସାରା ଓଡ଼ିଶାରେ ୯୬ ଲକ୍ଷ ପରିବାର ଏହି ସୁବିଧା ପାଇବେ। ବଲାଙ୍ଗୀର ଜିଲ୍ଲାରେ ସାଢ଼େ ୪ଲକ୍ଷ ହିତାଧିକାରୀ ଏହି ସ୍ମାର୍ଟ ହେଲଥକାର୍ଡ ପାଇବେ। କାର୍ଡ ପାଖରେ ରହିଲେ ଚିକିତ୍ସା ପାଇଁ କୌଣସି କାଗଜପତ୍ର ଦରକାର ନାହିଁ। କେବଳ କାର୍ଡଟିକୁ ନେଇ ଲୋକମାନେ ଦେଶର ୨୦୦ ବଡ଼ ବଡ଼ ଡାକ୍ତରଖାନାରେ ବିନା ଖର୍ଚ୍ଚରେ ଗୁଣାତ୍ମକ ଚିକିତ୍ସା ପାଇପାରିବେ। ପରିବାର ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ଏବଂ ମହିଳାମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିପାରିବ ବୋଲି କହିଥିଲେ।

ଟିଟିଲାଗଡ଼ଠାରେ ଆୟୋଜିତ ସଭାରେ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟିକା ଟୁକୁନୀ ସାହୁ ସ୍ୱାଗତ ବକ୍ତବ୍ୟ ରଖିଥିଲେ। ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ବକ୍ତବ୍ୟ ରଖି କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସବୁ ମନ୍ତ୍ରୀ, ବିଧାୟକ ଗାଁରୁ ପଂଚାୟତ ଓ ସହରର ସବୁ ୱାର୍ଡକୁ ଯାଉଛୁ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଟିଟିଲାଗଡ଼ ନିର୍ବାଚନମଣ୍ଡଳୀରେ ଅନେକ ନୂଆ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ସଇନ୍ତଲା ବ୍ଲକ୍‌ରେ ସଂପୂର୍ଣ୍ଣ ହୋଇଥିବା ପାଇପ ପାଣି ପ୍ରକଳ୍ପ ଉଦ୍‌ଘାଟନ କରିଥିଲେ। ଏହାସହ ଟିଟିଲାଗଡ଼ ସହରର ସବୁ ଘରକୁ ପାଣି ଯିବା ପାଇଁ ନୂତନ ପ୍ରକଳ୍ପର ଭିତ୍ତପ୍ରସ୍ତର ରଖିଥିଲେ।

ପାଟଣାଗଡ଼ରେ ମୁଖ୍ୟମନ୍ତ୍ରୀ ଅନେକ ପ୍ରକଳ୍ପ ମଧ୍ୟରେ ପ୍ରସିଦ୍ଧ ହରିଶଙ୍କର ପୀଠର ବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପାଟଣାଗଡ ରମାଇ ହାଇସ୍କୁଲ ଖେଳପଡ଼ିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ସାଂସଦ ସଂଗୀତା ସିଂହଦେଓ, ବିଧାୟକ ସରୋଜ ମେହେର ମଂଚାସୀନ ଥିଲେ।

ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ସଭା ପରିଚାଳନା କରିବା ସହ ଧନ୍ୟବାଦ ଦେଇଥିଲେ।

ଏହାପରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମଠାରେ ଆୟୋଜିତ ସଭାରେ ଯୋଗଦେଇ ଅନେକ ପ୍ରକଳ୍ପ ଶୁଭାରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶିକ୍ଷା ଓ ସ୍ୱାସ୍ଥ୍ୟ ହେଉଛି ଆମ ସବୁ ବିକାଶର ମୂଳଦୂଆ, ସେଥିପାଇଁ ୫-ଟି କାର୍ଯ୍ୟକ୍ରମରେ ଏହି ଦୁଇଟି କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଆରୋପ କରୁଛନ୍ତି। ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସନ୍ଥକବି ଭୀମ ଭୋଇ ମେଡିକାଲ କଲେଜ ପରେ ଏହା ହେଉଛି ଜିଲ୍ଲାର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ। ଏହାକୁ ଏକ ଆଦର୍ଶ ବିଶ୍ୱବିଦ୍ୟାଳୟ ରୂପେ ଗଢ଼ିତୋଳିବା ପାଇଁ ରାଜ୍ୟ ସରକାର ସବୁ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବଲାଙ୍ଗୀର ସଭାରେ ମନ୍ତ୍ରୀ ସୁଶାନ୍ତ ସିଂହ, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା, ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ମଂଚାସୀନ ଥିଲେ।

Spread the love