
ବାଙ୍କୀ: କଟକ ଜିଲା ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ସରଣ୍ଡାଗଡ ପାଦଦେଶରେ ରହିଛି ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ମଧୁର ହ୍ରଦ ଅଂଶୁପା। ଏବେ ଅଂଶପାର ଶ୍ରୀବୃଦ୍ଧି ପାଇଁ ଚିଲ୍ଲିକା ଉନ୍ନୟନ ପରିଷଦ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇ ପର୍ଯ୍ୟଟକଙ୍କ ମନ କିଣୁଥିବା ଦେଖିବାକୁ ମିଳିଛି। ଦୀର୍ଘ ଦୁଇ ବର୍ଷ ଧରି କୋଭିଡ କଟକଣାରେ ପ୍ରଭାବିତ ହୋଇଥିବା ଅଂଶୁପା ଏବେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ସେହିପରି ରାଜ୍ୟ ଏବଂ ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ମାନେ ଅଂଶୁପା କୂଳବର୍ତ୍ତି ଉତ୍ତର ଓ ପଶ୍ଚିମ ଦିଗରେ ଥିବା ବାଲୁଙ୍କେଶ୍ୱର ମନ୍ଦିର ନିକଟବର୍ତ୍ତି ସୌନ୍ଦର୍ଯ୍ୟପୂର୍ଣ୍ଣ ବନରାଜିରେ ବଣଭୋଜିର ମଜା ନେଉଛନ୍ତି। ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ କାଳ ଧରି ଅଂଶୁପା କୂଳରେ ବଣଭୋଜିର ସୁବିଧା ସୁଯୋଗ ଯୋଗାଉଥିବା ସ୍ଥାନୀୟ ବାଲୁଙ୍କେଶ୍ୱର ବର୍ଣ୍ଣ ସୁରକ୍ଷା ସମିତିର ମହିଳାମାନେ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ଆସିଛନ୍ତି। କୋଭିଡ କଟକଣାରେ ପିକନିକ୍ ବନ୍ଦ ଥିଲା ବେଳେ ଗୋଷ୍ଠୀର ସଦସ୍ୟମାନେ ଆର୍ଥିକ ସଂକଟ ଓ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରି ଭାଙ୍ଗି ଉଜୁଡି ଯାଇଥିବା ପରିବେଶକୁ ପୁନଃ ସଜେଇ ଏବେ ବଣଭୋଜି ପାଇଁ ଆବଶ୍ୟକ ବ୍ୟବସ୍ଥା କରିଛନ୍ତି। ଆଗକୁ ନୂଆବର୍ଷ ସରକାରୀ କଟକଣା ଆଶଙ୍କାରେ ଥିଲେ ବି ଡିସେମ୍ବର ମାସର ପ୍ରଥମ ରବିବାର ଦିନ ପର୍ଯ୍ୟଟକମାନେ ବେଶ୍ ଭିଡ଼ ଜମାଇଥିଲେ। ପ୍ରାକୃତିକ ସୈାନ୍ଦର୍ଯ୍ୟଭରା ଐତିହାସିକ ବିମଣ୍ଡିତ ସରଣ୍ଡାପାହାଡର ସୌନ୍ଦର୍ଯ୍ୟ, ପୂର୍ବରେ ଅଂଶୁପାର ଶୀତଳ ଜଳରାଶିରେ ମସଗୁଲ ହେଉଛନ୍ତି ପର୍ଯ୍ୟଟକ। ରବିବାର ଦିନ ପ୍ରାୟ ଶତାଧିକ ପର୍ଯ୍ୟଟକ ଅଂଶୁପା ପରିଭ୍ରମଣରେ ଆସିଥିବା ଜଣାପଡିଛି। ବାଲୁଙ୍କେଶ୍ୱର ବନସୁରକ୍ଷା ସମିତିର ମହିଳା ମାନେ ୩୨ ଗୋଟି ସିମେଣ୍ଟ ପିଣ୍ଡି କରିଛନ୍ତି, ଯେଉଁଥିରେ ପର୍ଯ୍ୟଟକମାନେ ଶୃଙ୍ଖଳିତ ଭାବରେ ଭୋଜିଭାତରେ ଆପ୍ୟାୟିତ ସହ ଆମୋଦପ୍ରମୋଦ କରୁଥିବା ଦେଖିବାକୁ ମିଳିଛି। ମାତ୍ର ବିଡମ୍ବନାର ବିଷୟ ପର୍ଯ୍ୟଟନ ସ୍ଥଳୀଟିକୁ କୌଣସି ସରକାରୀ ସହଯୋଗ ରହୁନଥିବାରୁ ପର୍ଯ୍ୟଟନ କ୍ଷେତ୍ରର ମାନ ବୃଦ୍ଧି ବାଧାପ୍ରାପ୍ତ ହୋଇଛି।
More Stories
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସମୂହ ଛୁଟିରେ ପ୍ରାଥମିକ ଶିକ୍ଷକ
ଷଷ୍ଠ ଥର ପାଇଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ