September 28, 2023

Satya News

odia news channel

ବିବାହ ବନ୍ଧନରେ ଆବଦ୍ଧ ହେଲେ ନୟନତାରା-ବିଗ୍ନେଶ; ସାମ୍ନାକୁ ଆସିଲା ପ୍ରଥମ ଫଟୋ

ନୂଆଦିଲ୍ଲୀ: ଲୋକପ୍ରିୟ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନୟନତାରା ତାଙ୍କ ଦୀର୍ଘ ଦିନର ପ୍ରେମିକ ତଥା ଚଳଚ୍ଚିତ୍ର ନିର୍ମାତା ବିଗ୍ନେଶ ଶିବନଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ପରିବାର ଓ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଏହି ଦମ୍ପତି ବିବାହ କରିଛନ୍ତି। ନୟନତାରା ଓ ବିଗ୍ନେଶଙ୍କ ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ବର ବଧୂ ବେଶରେ ଉଭୟ ଖୁବ୍‌ ସୁନ୍ଦର ଦେଖା ଯାଉଛନ୍ତି।

ନୟନତାରାଙ୍କ ବ୍ରାଇଡାଲ୍‌ ଲୁକ୍ ବହୁତ ଆକର୍ଷଣୀୟ ଦେଖାଯାଉଛି। ନାଲି ରଙ୍ଗର ଲେହେଙ୍ଗା ସାଙ୍ଗକୁ ସେ ସବୁଜ ରଙ୍ଗର କୁନ୍ଦନ ଗହଣା ପିନ୍ଧିଛନ୍ତି। ଗଳାରେ ଥାକ ଥାକ କରି ଅନେକ ହାର ପିନ୍ଧିଛନ୍ତି। ହାର ସହ ମେଳ ଖାଉଥିବା କାନଫୁଲ ଓ ମଥାମଣି ପିନ୍ଧି ସେ ତାଙ୍କ ବଧୂ ବେଶକୁ ସମ୍ପୂର୍ଣ୍ଣ କରିଛନ୍ତି। ଏଥିସହ ମଥାରେ ଗଜରା ଲଗାଇ ତାଙ୍କ ଲୁକ୍‌କୁ ଫାଇନାଲ ଟଚ୍ ଦେଇଛନ୍ତି।

ଅପରପକ୍ଷେ, କ୍ରିମ୍‌ ରଙ୍ଗର ବିବାହ ପୋଷାକରେ ବର ବିଗ୍ନେଶ ମଧ୍ୟ ଖୁବ୍ ଆକର୍ଷଣୀୟ ଦେଖାଯାଉଛନ୍ତି। ପ୍ରଶଂସକମାନଙ୍କୁ ଦମ୍ପତିଙ୍କ ୱେଡିଂ ଲୁକ୍‌ ବହୁତ ପସନ୍ଦ ଆସିଛି। ଉଭୟଙ୍କ ଉପରେ ଅଗାଧ ଭଲପାଇବା ଅଜାଡ଼ି ଦେଇଛନ୍ତି ପ୍ରଶଂସକ। ଏଥିସହ ଦମ୍ପତିଙ୍କୁ ବିବାହର ଶୁଭେଚ୍ଛା ଜଣାଇଛନ୍ତି।

ନୟନତାରା ଓ ବିଗ୍ନେଶ ତାଙ୍କ ବିବାହର ପ୍ରଥମ ଫଟୋ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ଏହି ଫଟୋ ଏବେ ଖୁବ୍‌ ଭାଇରାଲ ହେଉଛି। ଦୀର୍ଘ ୭ ବର୍ଷର ପ୍ରେମ ସମ୍ପର୍କ ପରେ ଏବେ ଦୁହେଁ ବିବାହ କରି ପରସ୍ପର ସହିତ ଏକ ନୂତନ ଜୀବନ ଆରମ୍ଭ କରିଛନ୍ତି।

Spread the love