
ଦୁବାଇ: ରବିବାର ନ୍ୟୁଜିଲାଣ୍ଡ ଦଳ ବିପକ୍ଷରେ ଭାରତ ଟ୍ବେଣ୍ଟି୨୦ ବିଶ୍ବକପ୍ର ସୁପର-୧୨ ମ୍ୟାଚ୍ ଖେଳିବାକୁ ଯାଉଛି। ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଏହି ମୁକାବିଲା ଅଗ୍ନିପରୀକ୍ଷା ପରି ହେବ। ପାକିସ୍ତାନଠାରୁ ଭାରତ ଗ୍ରୁପ୍-୨ର ପ୍ରଥମ ମ୍ୟାଚ୍ରେ ୧୦ ୱିକେଟରେ ପରାସ୍ତ ହୋଇଥିବା ବେଳେ ଏହାକୁ ଜଲ୍ଦି ଭୁଲିଯିବାକୁ ଭାରତୀୟ ଦଳ ଚାହିଁବ। ନ୍ୟୁଜିଲାଣ୍ଡ ଦଳକୁ ପରାସ୍ତ କରିବାକୁ ହେଲେ ଭାରତକୁ ବିଭିନ୍ନ ବିଭାଗରେ ଉନ୍ନତି କରିବାକୁ ହେବ। ବିଶେଷକରି ଭାରତୀୟ ବୋଲରଙ୍କୁ ବହୁତ ଉନ୍ନତି କରିବାକୁ ପଡ଼ିବ। ନ୍ୟୁଜିଲାଣ୍ଡ ମଧ୍ୟ ଗ୍ରୁପ୍-୨ର ପ୍ରଥମ ମ୍ୟାଚ୍ରେ ପାକିସ୍ତାନଠାରୁ ପରାସ୍ତ ହୋଇଥିବାରୁ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ପାଇଁ ଏହି ମୁକାବିଲା ‘କର ବା ମର’ ସଦୃଶ ହୋଇଛି। ଏହି ମ୍ୟାଚ୍ର ପରାଜିତ ଦଳର ବିଶ୍ବକପ୍ ସେମିଫାଇନାଲ ଖେଳିବା ଆଶା ସଙ୍କଟରେ ପଡ଼ିଯିବ।
ବ୍ୟାଟିଂରେ ନ୍ୟୁଜିଲାଣ୍ଡ ସାମାନ୍ୟ ଦୁର୍ବଳ ମନେହେଉଛି। ଅଧିନାୟକ କେନ୍ ୱିଲିୟମ୍ସନ ଓ ଓପ୍ନର ମାର୍ଟିନ୍ ଗପ୍ଟିଲ ସମ୍ପୂର୍ଣ୍ଣ ସୁସ୍ଥନାହାନ୍ତି। ଭାରତୀୟ ଦଳ ଦୁଇ ଖେଳାଳିଙ୍କୁ ନେଇ ଚିନ୍ତାରେ ରହିଛି। ହାର୍ଦିକ ପାଣ୍ଡ୍ୟା ବୋଲିଂ କରୁନଥିବା ବେଳେ ଭୁବନେଶ୍ବର କୁମାର ଫର୍ମ ହରାଇଛନ୍ତି। ଦୁହିଁଙ୍କୁ ପୁଣି ସୁଯୋଗ ମିଳିବ କି ନାହିଁ; ତାହା ମଧ୍ୟ ଦେଖିବାର କଥା। ହାର୍ଦିକଙ୍କ ସ୍ଥାନରେ ବ୍ୟାଟ୍ସମ୍ୟାନ୍ ଭାବେ ଈଶାନ୍ କିଷନ୍ ଓ ବୋଲିଂ ଅଲ୍ରାଉଣ୍ଡର ଭାବେ ସାର୍ଦୁଳ ଠାକୁରଙ୍କୁ ଖେଳାଇବା କଥା ଭାରତ ବିଚାର କରୁଛି। ପୁଣି ଅନଭିଜ୍ଞ ବରୁଣ ଚକ୍ରବର୍ତ୍ତୀଙ୍କ ସ୍ଥାନରେ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ରେ ଅଭିଜ୍ଞ ରବିଚନ୍ଦ୍ରନ ଅଶ୍ବିନଙ୍କୁ ଭାରତ ଖେଳାଇପାରେ। ନିକଟ ଅତୀତରେ; ବିଶେଷକରି ଟେଷ୍ଟ କ୍ରିକେଟ୍ରେ ଭାରତ ଦେଖାଇଛି ଯେ ବଡ଼ ପରାଜୟ ପରେ ମଧ୍ୟ ଏହା ପ୍ରତ୍ୟାବର୍ତ୍ତନ କରିପାରେ। ଟ୍ବେଣ୍ଟି୨୦ ଅଧିନାୟକ ଭାବେ ବିରାଟ କୋହଲିଙ୍କର ଏହା ଅନ୍ତିମ ଟୁର୍ଣ୍ଣାମେଣ୍ଟ ହୋଇଥିବାରୁ ସେ ମଧ୍ୟ ଦଳର ଖେଳାଳିଙ୍କଠାରୁ ଏପରି ପ୍ରଦର୍ଶନର ଆଶା ରଖିଛନ୍ତି। ଭାରତକୁ ୧୦ ୱିକେଟରେ ପାକିସ୍ତାନ ପରାସ୍ତ କରିଥିବା ବେଳେ ନ୍ୟୁଜିଲାଣ୍ଡ କିନ୍ତୁ କଡ଼ା ମୁକାବିଲା କରି ପାକିସ୍ତାନଠାରୁ ହାରିଥିଲା। କୋହଲି ଏହି ମ୍ୟାଚ୍ରେ ନିଶ୍ଚୟ ଚାପରେ ରହିବେ। ଏହି ମ୍ୟାଚ୍ରେ ପରାଜୟ ଅର୍ଥ ହେଉଛି ଆଉ ଏକ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତର ବିଫଳତା। ବ୍ୟାଟ୍ସମ୍ୟାନ ଭାବେ ଲମ୍ବା ଇନିଂସ ଖେଳିବାର ଦାୟିତ୍ବ କୋହଲିଙ୍କ ଉପରେ ରହିବ। ପାକିସ୍ତାନ ବିପକ୍ଷରେ ସେ ଏପରି କରିଥିଲେ ହେଁ ଅନ୍ୟ ପଟୁ ତାଙ୍କୁ ସହାୟତା ମିଳିନଥିଲା। ଭାରତ ଚାହିଁବ ଯେ ଦୁଇ ଓପ୍ନର ରୋହିତ ଶର୍ମା ଓ କେ.ଏଲ୍. ରାହୁଲ ରନ୍ କରନ୍ତୁ। ପ୍ରଥମ ମ୍ୟାଚ୍ରେ ଏହି ୨ ବ୍ୟାଟ୍ସମ୍ୟାନ୍ ୩ ଓଭର ମଧ୍ୟରେ ଆଉଟ ହୋଇଯିବାରୁ ଭାରତ ଚାପରେ ପଡ଼ିଥିଲା। ପାକିସ୍ତାନ ବାମହାତି ଫାଷ୍ଟବୋଲର ସାହିନ୍ ଶାହା ଆଫ୍ରିଦି ଭାରତୀୟ ବ୍ୟାଟିଂକୁ ଆରମ୍ଭରୁ ଯେପରି ଚାପରେ ପକାଇଥିଲେ; ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ସେପରି କରିବାର ଦକ୍ଷତା ରଖିଛନ୍ତି। ଗ୍ରୁପ୍ର ୩ଟି ପ୍ରମୁଖ ଦଳକୁ ପରାସ୍ତ କରିଥିବାରୁ ପାକିସ୍ତାନର ସେମିଫାଇନାଲ ଖେଳିବା ନିଶ୍ଚିତ ହୋଇଯାଇଛି। ତେଣୁ ବାକି ଗୋଟିଏ ସ୍ଥାନ ପାଇଁ ଦୁଇ ପ୍ରମୁଖ ଦାବିଦାର ହେଲେ ନ୍ୟୁଜିଲାଣ୍ଡ ଓ ଭାରତ। ରବିବାର ଜଣାପଡ଼ିବ ଯେ କେଉଁ ଦଳ ସେମିଫାଇନାଲ ଖେଳିବାର ନିକଟତର ହେବ ଏବଂ କେଉଁ ଦଳ ବିଦାୟ ନେବାର ଦ୍ବାରରେ ପହଞ୍ଚିବ।
More Stories
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସମୂହ ଛୁଟିରେ ପ୍ରାଥମିକ ଶିକ୍ଷକ
ଷଷ୍ଠ ଥର ପାଇଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ