
ହ୍ୟୁଲ୍ଭା : ସ୍ପେନର ହ୍ୟୁଲଭାରେ ଚାଲିଥିବା ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପ୍ର ସେମିଫାଇନାଲରେ ଦୁଇ ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ତାରକା ଲକ୍ଷ୍ୟ ସେନ ଓ କାଦମ୍ବୀ ଶ୍ରୀକାନ୍ତ ପ୍ରବେଶ କରିବା ସହିତ ପଦକ ନିଶ୍ଚିତ କରିଛନ୍ତି। ସେହିପରି ମହିଳା ବିଭାଗରେ ପି.ଭି ସିନ୍ଧୁ କ୍ବାର୍ଟର ଫାଇନାଲରେ ପରାଜିତ ହେବା ସହିତ ବିଦାୟ ନେଇଛନ୍ତି। ଶୁକ୍ରବାର ଖେଳାଯାଇଥିବା ପୁରୁଷ ଏକକ ବିଭାଗ କ୍ବାର୍ଟର ଫାଇନାଲରେ ଲକ୍ଷ୍ୟ ୨୧-୧୫, ୧୫-୨୧ ଓ ୨୨-୨୦ରେ ଚୀନ୍ର ଜାହୋ ଜୁଙ୍ଗ ପେନଙ୍କୁ ପରାସ୍ତ କରିଛନ୍ତି।ସେମିଫାଇନାଲରେ ପ୍ରବେଶ କରିବା ସହ ୨୦ ବର୍ଷୀୟ ଲକ୍ଷ୍ୟ ନୂଆ ଇତିହାସ ରଚିଥିଲେ। ସେ ସର୍ବକନିଷ୍ଠ ଭାରତୀୟ ପୁରୁଷ ଖେଳାଳି ଭାବେ ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପ୍ର ସେମିଫାଇନାଲରେ ପହଞ୍ଚିଛନ୍ତି। ଅନ୍ୟ ଏକ କ୍ବାର୍ଟର ଫାଇନାଲ ମ୍ୟାଚରେ କାଦମ୍ବୀ ଶ୍ରୀକାନ୍ତ ୨୧-୮ ଓ ୨୧-୭ରେ ନେଦରଲାଣ୍ଡ୍ସର ମାର୍କ କାଲ୍ଜୋଙ୍କୁ ସିଧାସଳଖ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶ୍ରୀକାନ୍ତ ମାତ୍ର ୨୬ ମିନିଟ୍ରେ ମ୍ୟାଚକୁ ଜିତି ନେଇଥିଲେ। ସେମିଫାଇନାଲରେ ଲକ୍ଷ୍ୟ ଓ ଶ୍ରୀକାନ୍ତ ମୁହାଁମୁହିଁ ହେବାର ସମ୍ଭାବନା ରହିଛି। ଯଦି ଦୁଇ ଭାରତୀୟ ଖେଳାଳି ଲକ୍ଷ୍ୟ ଓ ଶ୍ରୀକାନ୍ତ ସେମିଫାଇନାଲରେ ପରସ୍ପରକୁ ଭେଟନ୍ତି ତେବେ ଭାରତ ପାଇଁ ଏକ ରୌପ୍ୟ ପଦକ ନିଶ୍ଚିତ ହେବ। ଯଦି ଲକ୍ଷ୍ୟ ଓ ଶ୍ରୀକାନ୍ତ ସେମିଫାଇନାଲରେ ପରାଜିତ ହୁଅନ୍ତି ତେବେ କାଂସ୍ୟ ପଦକ ପାଇବେ। ବିଶ୍ବର ୭ ନମ୍ବର ଖେଳାଳି ସିନ୍ଧୁ କ୍ବାର୍ଟର ଫାଇନାଲରେ ବିଶ୍ବର ଏକ ନମ୍ବର ଖେଳାଳି ଚାଇନିଜ୍ ତାଇପେର ତାଇ ଜୁ ଇଙ୍ଗଙ୍କ ନିକଟରୁ ୧୭୨୧ ଓ ୧୩-୨୧ରେ ପରାଜିତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି।
More Stories
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସମୂହ ଛୁଟିରେ ପ୍ରାଥମିକ ଶିକ୍ଷକ
ଷଷ୍ଠ ଥର ପାଇଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ