
ରାଇଘର/ନବରଙ୍ଗପୁର: ନବରଙ୍ଗପୁର ଜିଲା ରାଇଘର ବ୍ଲକ ତୁରୁଡିହି ଗ୍ରାମର ଜଣେ ୬ବର୍ଷୀୟ ଶିଶୁକୁ ମନ୍ଦିର ମୁହଁରୁ ଚିତା ବାଘ ଝାମ୍ପି ନେଇଛି। ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ରାଇଘର ବ୍ଲକ ଅନ୍ତର୍ଗତ ତୁରୁଡିହି ଗ୍ରାମର ନରେନ୍ଦ୍ର ମର୍କାମ ତାଙ୍କ ପରିବାର ସହ ସୀମାନ୍ତ ଛତିଶଗଡ଼ ରାଜ୍ୟର ସିହାୱାର ପାହାଡ଼ରେ ଅବସ୍ଥିତ ଶୃଙ୍ଗୀଋଷି ମନ୍ଦିରକୁ ସୋମବାର ସନ୍ଧ୍ୟାରେ ନବରାତ୍ର ପୂଜା ଦର୍ଶନ ପାଇଁ ଯାଉଥିବାବେଳେ ଅଚାନକ ଏକ ଚିିତାବାଘ ଆକ୍ରମଣ କରିଥିଲା। ଏହି ସମୟରେ ସମସ୍ତେ ଜୀବନ ବିକଳରେ ଦୌଡ଼ି ପଳାଇଥିବାବେଳେ ତାଙ୍କର ଛଅ ବର୍ଷର ପୁଅ ଅଭିନାଶ ମର୍କାମ ଦୌଡ଼ି ନ ପାରି ଅଟକିଯାଇଥିଲା। ଚିତାବାଘ ଅଭିନାଶକୁ ଘୋଷାଡ଼ିଟାଣି ପାହାଡ଼ ଉପରକୁ ନେଇଯାଇଥିଲା। ଏଭଳି ଖବର ପାଇବା ପରେ ବନ ବିଭାଗ କର୍ମଚାରୀ ଓ ପୁଲିସ ଲୋକଙ୍କ ସହାୟତାରେ ବାଘକୁ ଘଉଡ଼ାଇଥିଲେ। ଫଳରେ ବାଘ ଅଭିନାଶକୁ ଛାଡ଼ି ଚାଲିଯାଇଥିଲା।
ଏହି ଘଟଣା ପରେ ନବରଙ୍ଗପୁର ଜିଲା କଂଗ୍ରେସ ତରଫରୁ ମୃତ୍ୟୁ ବରଣ କରିଥିବା ନାବାଳକ ପରିବାରକୁ ଉଭୟ ରାଜ୍ୟ ଓଡିଶା ଏବଂ ଛତିଶଗଡ ସରକାର କ୍ଷତିପୂରଣ ଦେଉ ବୋଲି ଦାବି କରିଥିବା କହିଛନ୍ତି। ନବରଙ୍ଗପୁର ଜିଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ଏନେଇ ଆସନ୍ତା କାଲି ଛତିଶଗଡ କଂଗ୍ରେସ ପ୍ରଭାରୀ ତଥା କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା ଛତିଶଗଡ ଯାଇ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ମୃତ ବାଳକ ପରିବାରକୁ ୫ଲକ୍ଷ ର କ୍ଷତିପୂରଣ ଦାବିକରିବ। ଏ ନେଇ ସେଠାକାର ବିଧାୟକ ଲକ୍ଷ୍ମୀଧୁରୁ ଙ୍କ ସହ ଶ୍ରୀ ଉଲ୍ଲକା ଆଲୋଚନା କରିଥିବା କହିଛନ୍ତି। ଏପଟେ ଓଡିଶା ରାଜ୍ୟ ସରକାର ନିକଟରେ ମଧ୍ୟ ୫ଲକ୍ଷ ଟଙ୍କାର ସହାୟତା ରାଶି କ୍ଷତିପୂରଣ ବାବଦରେ ଦେବାପାଇଁ କଂଗ୍ରେସ ଦାବି ରଖିବ ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି।
More Stories
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସମୂହ ଛୁଟିରେ ପ୍ରାଥମିକ ଶିକ୍ଷକ
ଷଷ୍ଠ ଥର ପାଇଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ