April 17, 2024

Satya News

odia news channel

୨୦୨୦ରେ ସୁସ୍ଥ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

୨୦୨୦ରେ ସୁସ୍ଥ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

ନୂଆବର୍ଷ ପାଇଁ ଫିଟନେସ ପ୍ଲାନ:

ନୂଆବର୍ଷ ଆରମ୍ଭ ହେବା ମାତ୍ରେ ଲୋକେ ନିଜକୁ ସୁସ୍ଥ ରଖିବା ପାଇଁ ଯୋଜନା ଆରମ୍ଭ କରିଦିଅନ୍ତି । ଏଥିପାଇଁ ସବୁଠୁ ଜରୁରୀ ହେଉଛି ଫିଟନେସ ପ୍ଲାନ ଚୟନ । ସମସ୍ତଙ୍କ ଶରୀରର କ୍ଷମତା ଓ ଆବଶ୍ୟକତା ଭିନ୍ନ ଭିନ୍ନ ହୋଇଥାଏ । ଯେଉଁ ଫିଟନେସ ପ୍ଲାନ ମହିଳାଙ୍କ ପାଇଁ ଠିକ ତାକୁ ପୁରୁଷଙ୍କ ଲାଗି ବି ଉଚିତ ବୋଲି କୁହାଯାଇ ପାରିବ ନାହିଁ । ମହିଳାଙ୍କ ତୁଳନାରେ ପୁରୁଷଙ୍କ ଶରୀର ଶକ୍ତ ବୋଲି ମୂଳରୁ ମନେ କରାଯାଏ । ଏଥିପାଇଁ ସେମାନଙ୍କୁ କଡ଼ା ପରିଶ୍ରମର ବ୍ୟାୟାମ ଦରକାର ପଡ଼ିଥାଏ । ଏହି ନିୟମ ଖାଇବା ପିଇବା ଉପରେ ମଧ୍ୟ ଲାଗୁ ହୋଇଥାଏ ।

  • ଶାରୀରିକ ଓ ମାନସିକ ଉଭୟ ଫିଟନେସ ଜରୁରୀ:    ପୁରୁଷଙ୍କୁ ମଧ୍ୟ ଶାରୀରିକ ଓ ମାନସିକ ଉଭୟ ପ୍ରକାର ଫିଟନେସ ଆବଶ୍ୟକ ହୋଇଥାଏ । ମାନସିକ ଚାପ କେବଳ ଜିମରେ ଝାଳ ବୁହାଇ ଦୂର କରାଯାଇ ପାରେ ନାହିଁ । ଏଥିଲାଗି ଦିନଚର୍ଯ୍ୟାରେ ଶାରୀରିକ ପରିଶ୍ରମ ସହିତ ମସ୍ତିଷ୍କକୁ ଆରାମ ଦେବା ଭଳି ଯୋଗ ଓ ପ୍ରାଣାୟାମକୁ ମଧ୍ୟ ସାମିଲ କରିବା ଉଚିତ । ସହଜ ଯୋଗ ଓ ପ୍ରାଣାୟାମରୁ ଆରମ୍ଭ କରାଯାଉ । ଦେହ ଉଷ୍ମ ହୋଇଗଲେ ଝାଳ ବୁହାଉଥିବା କସରତ କରାଯାଉ ।

  • ପୁଷ୍ଟିକର ଭୋଜନ:    ଅଧିକ ପରିଶ୍ରମ ସହିତ ଅଧିକ ପୁଷ୍ଟିକର ଖାଦ୍ୟ ମଧ୍ୟ ଜରୁରୀ ହୋଇଥାଏ । ପୁରୁଷଙ୍କ ଡାଏଟ ପ୍ଲାନ ଏପରି ହେବା ଉଚିତ, ଯାହାକି ସେମାନଙ୍କ ସମସ୍ତ ଆବଶ୍ୟକତାକୁ ପୂରଣ କରୁଥିବ । ଭୋଜନରେ ପ୍ରଚୁର ମାତ୍ରାରେ ଫଳ, ସବୁଜ ପରିବା, ଗହମ ଭଳି ଶସ୍ୟ ଜାତୀୟ ଖାଦ୍ୟ ଓ ଉଷୁମ କ୍ଷୀରକୁ ସାମିଲ କରନ୍ତୁ । କିନ୍ତୁ ହାର୍ଟ ଆଟେକ ଆଶଙ୍କାକୁ କମ କରିବା ପାଇଁ ଖାଦ୍ୟପେୟରେ କେତେକ ପରିବର୍ତ୍ତନ ଆଣିବା ଜରୁରୀ । ଭୋଜନରେ ସାଚୁ୍ୟରେଟେଡ ଫ୍ୟାଟ, ଅଧିକ ମାତ୍ରାରେ ଲୁଣ ଓ ଫ୍ୟାଟଯୁକ୍ତ ଦୁଗ୍ଧଜାତୀୟ ଉତ୍ପାଦର ବ୍ୟବହାର କମ କରିବା ଉଚିତ ।

  • ନିଶାରୁ ଦୂରେଇ ରୁହନ୍ତୁ:   ପୁରୁଷମାନେ ସାଧାରଣତଃ କୌଣସି ନା କୌଣସି ନିଶା ସେବନ କରିଥାନ୍ତି । ଫିଟ ରହିବା ପାଇଁ ନିଶାରୁ ଦୂରେଇ ରହିବାକୁ ପଡ଼ିବ । ନିଶା ଅନେକ ରୋଗର ଘର । ଅଧିକ ଧୂମପାନ କଲେ ଫୁସଫୁସ ରୋଗ ହୋଇଥାଏ । ମଦର କୁପ୍ରଭାବ କିଡନୀ ଓ ଲିଭର ଉପରେ ପଡ଼ିଥାଏ । ଏହି ନିଶା ସକାଳେ କରାଯାଉଥିବା ବ୍ୟାୟାମକୁ ବରବାଦ କରିବା ପାଇଁ ପର୍ଯ୍ୟାପ୍ତ ଅଟେ । ୪୫ ବର୍ଷ ବୟସରେ ଉପନୀତ ହେବା ପରେ ମଧୁମେହ ଓ ହାର୍ଟ ସମ୍ପର୍କିତ ରୋଗ ହେବାର ଆଶଙ୍କା ବୃଦ୍ଧିପାଏ । ଉଚ୍ଚ ରକ୍ତଚାପ ମଧ୍ୟ ହୋଇପାରେ । ଏଥିପାଇଁ ଆଲକୋହଲ ଓ ଧୂମପାନରୁ ଦୂରେଇ ରହିବା ଜରୁରୀ । ଏପରି କରିବା ଦ୍ୱାରା ଆପଣ ସୁସ୍ଥ ରହିବା ସହ ଅନେକ ରୋଗର ସମ୍ଭାବ୍ୟ ବିପଦରୁ ନିଜକୁ ମୁକ୍ତ କରିପାରିବେ ।

  • ଚାପଗ୍ରସ୍ତ ହୁଅନ୍ତୁ ନାହିଁ:    ପୁରୁଷମାନଙ୍କ ଉପରେ ଅନେକ ପ୍ରକାର ଉତ୍ତରଦାୟିତ୍ୱ ରହିଥାଏ । ଏହି କାରଣରୁ ସେମାନେ ଚାପରେ ରହିଥାନ୍ତି । ଏହି ଚାପ ଦୀର୍ଘ ସମୟ ଧରି ଲାଗି ରହିଲେ ଅନେକ ରୋଗର କାରଣ ହୋଇପାରେ । ଏଥିଲାଗି ଭଲ ଫିଟନେସ ପାଇଁ ଭଲ ମୁଡ ମଧ୍ୟ ଜରୁରୀ । ସବୁବେଳେ ଖୁସ ରୁହନ୍ତୁ । ନିଜ ସମସ୍ୟାଗୁଡ଼ିକୁ ଆତ୍ମୀୟସ୍ୱଜନଙ୍କ ସହ ଶେୟାର କରନ୍ତୁ । ଏପରି କଲେ ସମସ୍ୟା ତ କମିବ ନାହିଁ, ଆପଣଙ୍କୁ ହାଲକା ଲାଗିବ ।

  • ଲାଇଫ୍ ଷ୍ଟାଇଲ ଉପରେ ଧ୍ୟାନ ଦେବା ଜରୁରୀ :    ଫିଟନେସକୁ ବଜାୟ ରଖିବା ପାଇଁ ଜୀବନଶୈଳୀ ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ । ସକାଳେ ଉଠିବାଠୁ ନେଇ ରାତିରେ ଶୋଇବା ଏବଂ ଖାଇବା ପିଇବାର ସମୟ ସ୍ଥିର କରନ୍ତୁ । ଏହାକୁ କଡ଼ାକଡ଼ି ଭାବେ ପାଳନ କରନ୍ତୁ । ଯେତେ ବ୍ୟସ୍ତ ଥାଆନ୍ତୁ ନା କାହିଁକି ସକାଳେ ଜଳଖିଆ ଓ ଦ୍ୱିପହରରେ ଭୋଜନ କରିବା ଭୁଲନ୍ତୁ ନାହିଁ । ଯଥାସମ୍ଭବ ରାତିର ଖାଦ୍ୟ ସୂର୍ଯ୍ୟାସ୍ତ ପୂର୍ବରୁ ଖାଇପାରିଲେ ଭଲ । ଯଦି କୌଣସି କାରଣରୁ ଖାଇବାରେ ବିଳମ୍ବ ହେଉଥାଏ ତେବେ ହଲକା ଫୁଲକା ଆହାର ଗ୍ରହଣ କରନ୍ତୁ ।

  • ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଜରୁରୀ:    ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ । ଶରୀର କୌଣସି ସଙ୍କେତ ଦେଉଥିଲେ ତା’ ଉପରେ ଗୁରୁତ୍ୱ ଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନିଅନ୍ତୁ । ପ୍ରତି ୬ ମାସରେ ବା ବର୍ଷକୁ ଥରେ ନିୟମିତ ଭାବେ ନିଜ ଦେହର ଯାଞ୍ଚ କରାଇବା ଜରୁରୀ ଅଟେ ।

Spread the love