March 28, 2024

Satya News

odia news channel

ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ଜବରଦସ୍ତ ବିଜୟ

ଅକଲ୍ୟାଣ୍ଡ,୨୪/୧: ଶ୍ରେୟସ ଆୟର୍ ଓ ଲୋକେଶ ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଥିବା ଟିମ୍ ଇଣ୍ଡିଆ ଏଠାରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚରେ ଘରୋଇ ଦଳକୁ ୬ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ପାଞ୍ଚମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡ କଲିନ୍ ମୁନରୋ(୫୯), କ୍ୟାପଟେନ୍ କେନ୍ ୱିଲିୟମସନ୍(୫୧) ଓ ରସ୍ ଟେଲର(୫୪*)ଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୨୦୩ ରନ କରିଥିଲା। ଜବାବରେ ଭାରତ ଗୋଟିଏ ଓଭର ବାକି ଥାଇ ୪ ୱିକେଟ୍ ହରାଇ ମ୍ୟାଚକୁ ଜିତି ନେଇଛି। ଆୟର୍ ଭାରତ ବିଜୟରେ ନିର୍ଣ୍ଣାୟକ ଭୂମିକା ବହନ କରିଛନ୍ତି। ସେ ମାତ୍ର ୨୭ ବଲରେ ୫୪(୫ ଚୌକା, ୩ ଛକା) ରନର ବିସ୍ଫୋରକ ଇନିଂସ୍ ଖେଳିଛନ୍ତି। ତାଙ୍କ ସହ ମନିଷ ପାଣ୍ଡେ(୧୪), ରାହୁଲ୍ ୫୬(୪ ଚୌକା, ୩ ଛକା) ଓ କ୍ୟାପଟେନ୍ ବିରାଟ୍ କୋହଲି ୪୫ ରନ କରିଛନ୍ତି। ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ଟିମ୍ ଅଲରାଉଣ୍ଡର ଶିବମ ଦୁବେ ଏବଂ ରବୀନ୍ଦ୍ର ଜାଡେଜାଙ୍କ ସମେତ ୬ ବୋଲରଙ୍କୁ ନେଇ ପଡିଆକୁ ଓହ୍ଲାଇଥିଲା। ଭାରତ ପ୍ରଥମ ୮ ଓଭରରେ ୬ ବୋଲରଙ୍କୁ ଲଗାଇଥିଲା। ଦଳ ପକ୍ଷରୁ ଯଶପ୍ରୀତ ବୁମ୍ରା, ଚହଲ୍‌, ଦୁବେ ଓ ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

Spread the love