March 28, 2024

Satya News

odia news channel

ଜେଏନୟୁରେ ଯୁଦ୍ଧ

* କ୍ୟାମ୍ପସରେ ଛାତ୍ର ସଂଘର୍ଷ: ୧୮ ଆହତ, ୧୧ ନିଖୋଜ

* ଅମୂଲ୍ୟ ପଟ୍ଟନାୟକଙ୍କୁ ରିପୋର୍ଟ ମାଗିଲେ ଶାହ

* ପରସ୍ପରକୁ ଦୋଷ ଦେଲେ ଏବିଭିପି-ବାମପନ୍ଥୀ

ନୂଆଦିଲ୍ଲୀ,୬/୧: ପୁଣି ରଣକ୍ଷେତ୍ର ପାଲଟିଛି ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)। ଦେଶର ଏହି ମର୍ଯ୍ୟାଦାଜନକ ଉଚ୍ଚ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ରବିବାର ସନ୍ଧ୍ୟାରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। କିଛି ଦୁର୍ବୃତ୍ତ ମୁହଁରେ ମାସ୍କ ପିନ୍ଧି ହଷ୍ଟେଲରେ ପଶି ଛାତ୍ରମାନଙ୍କୁ ପିଟିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଜେଏନୟୁ ଛାତ୍ରସଂଘ ସଭାପତି ଆଏଶିି ଘୋଷ ଓ ସାଧାରଣ ସମ୍ପାଦକ ସତୀଶ ଚନ୍ଦ୍ର ଗୁରୁତର ଆହତ ହୋଇଛନ୍ତି। ଆଏଶିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ ଏଥିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ହାତ ଅଛି ବୋଲି ଛାତ୍ର ସଂଘ ଅଭିଯୋଗ କରିଛି। ଅପରପକ୍ଷରେ ଏସଏଫଆଇ, ଆଇସା, ଡିଏସଏଫ ସଙ୍ଗଠନର ଛାତ୍ର ସଂଘବଦ୍ଧ ଭାବେ ସେମାନଙ୍କୁ ଆକ୍ରମଣ କରିଥିବା ଏବିଭିପି ଛାତ୍ର ଅଭିଯୋଗ କରିଛନ୍ତି। ଏହି ଆକ୍ରମଣରେ ୧୮ ଛାତ୍ର ଗୁରୁତର ଭାବେ ଆହତ ହୋଇଥିବାବେଳେ ୧୧ ଜଣଙ୍କର କୌଣସି ଖୋଜଖବର ମିଳୁନାହିଁ। ଘଟଣାକୁ ନେଇ ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କ ସହ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆଲୋଚନା କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବା ସହ ରିପୋର୍ଟ ମାଗିଛନ୍ତି। ମନ୍ତ୍ରଣାଳୟ ମଧ୍ୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି। ଆହତ ଛାତ୍ରଙ୍କୁ ଦିଲ୍ଲୀସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। କ୍ୟାମ୍ପସକୁ ୭ଟି ଆମ୍ବୁଲାନ୍ସ ପଠା ଯାଇଥିବାବେଳେ ବାହାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ପୋଲିସ ଫ୍ଲାଗମାର୍ଚ୍ଚ କରି ଅଭିଯୁକ୍ତଙ୍କୁ ଖୋଜୁଛି । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ଶିକ୍ଷକ ସଂଘ ପକ୍ଷରୁ ବୈଠକ ଚାଲିଥିବାବେଳେ କିଛି ମୁଖାପିନ୍ଧା ଯୁବକ ଅପରାହ୍ଣରେ ସୂଚନା ପ୍ରଣାଳୀ କେନ୍ଦ୍ରରେ ପହଞ୍ଚିଥିଲେ। ସେଠାରେ ବିଜୁଳୀ ବନ୍ଦ କରିବା ସହ ସର୍ଭର ରୁମରେ ଭଙ୍ଗାରୁଜା କରିଥିଲେ। ଏହି ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି ।


Spread the love