July 2, 2025

ସରକାରୀ ଡାକ୍ତରଖାନାରେ ଲାଞ୍ଚ କାରବାର, ଖୁଲ୍‌ମଖୁଲା ଟଙ୍କା ମାଗୁଛନ୍ତି ମେଡିକାଲ ଷ୍ଟାଫ୍

 

ପୁରୀ: ସରକାରୀ ଡାକ୍ତରଖାନାରେ ଲାଞ୍ଚ କାରବାର। ସରକାରଙ୍କ ଦ୍ୱାରା ନିଯୁକ୍ତ ଡାକ୍ତର, ନର୍ସ ଓ ମେଡିକାଲ ଷ୍ଟାଫ୍ ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ଲାଞ୍ଚ ନେଇ ନିଜ ନିଜ ଭିତରେ ବାଣ୍ଟି କୁଣ୍ଟି ନେଉଥିବା ଅଭିଯୋଗ ହୋଇଛି। ଏଭଳି କିଛି ଦୃଶ୍ୟ ପୁରୀ ବଡ଼ ଡାକ୍ତରଖାନାରେ ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହୋଇଛି। ଜଣେ ପ୍ରସୂତିଙ୍କ ପରିବାରଠାରୁ ମେଡିକାଲ ଷ୍ଟାଫ୍ ଖୁଲ୍‌ମଖୁଲା ଟଙ୍କା ମାଗୁଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି।

ଗତ ୫ ତାରିଖ ଶନିବାର ଦିନ ପୁରୀ ଗୋପ ଅଞ୍ଚଳର ସଂଗ୍ରାମ ପରିଡ଼ା ତାଙ୍କର ଜଣେ ସମ୍ପର୍କୀୟଙ୍କ ପ୍ରସୂତି ପାଇଁ ପୁରୀ ଡାକ୍ତରଖାନାରେ ଆଡମିଶନ୍‌ କରାଇଥିଲେ। ତେବେ ତୁରନ୍ତ ସିଜରିଆନ୍ କରିବା ପାଇଁ ସଂଗ୍ରାମଙ୍କୁ ୨୨ଶହ ଟଙ୍କା ଲାଞ୍ଚ ମାଗିଥିଲେ ମେଡିକାଲ ଷ୍ଟାଫ୍। ଯେଉଁଥିରୁ ୨ହଜାର ଟଙ୍କା ଡାକ୍ତର ଓ ୨ଶହ ଟଙ୍କା ନର୍ସ ନେବେ ବୋଲି କୁହାଯାଇଥିଲା।

ପୁଣି ଶିଶୁଟି ଜନ୍ମ ହେଲା ପରେ ୯ଶହ ଟଙ୍କା ମଗାଯାଇଥିଲା। ତେବେ ମେଡିକାଲରେ ଲାଞ୍ଚ କାରବାର ହେଉଥିବା ଅଭିଯୋଗ ନେଇ ପୁରୀ ଏଡିଏମ୍ଓଙ୍କୁ ଯୋଗାଯୋଗ କରାଯାଇଥିଲା। ଘଟଣାର ତଦନ୍ତ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

Spread the love