April 18, 2024

Satya News

odia news channel

ଫେରିଯିବ ସୁନ୍ଦରୀ

ଭୁବନେଶ୍ୱର,୩/୧: ବାଘୁଣୀ ସୁନ୍ଦରୀକୁ ଫେରାଇ ନେବାକୁ ରାଜ୍ୟ ସରକାର ମଧ୍ୟପ୍ରଦେଶ ସରକାରଙ୍କୁ ଚିଠି ଲେଖିଛନ୍ତି। ଫଳରେ ସୁନ୍ଦରୀକୁ ଯେକୌଣସି ସମୟରେ ମଧ୍ୟପ୍ରଦେଶ ସରକାର ଫେରାଇ ନେବେ। ଏ ନେଇ ଚିଫ ୱାଇଲ୍ଡଲାଇଫ ୱାର୍ଡନ ହରିଶଙ୍କର ଉପାଧ୍ୟାୟ ସୂଚନା ଦେଇଛନ୍ତି। ପୂର୍ବରୁ ବାଘୁଣୀ ସୁନ୍ଦରୀ ମଧ୍ୟପ୍ରଦେଶ ଫେରିଯିବା ପ୍ରସଙ୍ଗରେ ସେ କହିଥିଲେ, ବ୍ୟାଘ୍ର ପ୍ରକଳ୍ପ ବିଫଳ ହେବା କହିବା ଠିକ ହେବନି। ୧୩ ମାସ ଧରି ସୁନ୍ଦରୀ ଏନକ୍ଲୋଜରରେ ରହିଥିବାରୁ ଜଙ୍ଗଲୀ ପ୍ରକୃତି ହରେଇବାରେ ଲାଗିଛି। ତେଣୁ ସୁନ୍ଦରୀକୁ କାହ୍ନା ଅଭୟାରଣ୍ୟକୁ ଫେରାଇ ନିଆଯିବ। ଅନ୍ୟପକ୍ଷରେ ସାତକୋଶିଆ ଜଙ୍ଗଲରେ ରହୁଥିବା ସ୍ଥାନୀୟ ଲୋକଙ୍କୁ ସଚେତନ କରାଯିବ। ତେବେ ସାତକୋଶିଆର ଉନ୍ନତି ହେଲେ ବ୍ୟାଘ୍ର ପ୍ରକଳ୍ପ କଥା ଚିନ୍ତା କରାଯିବ ବୋଲି ସେ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ବ୍ୟାଘ୍ର ବଂଶ ବିସ୍ତାର ପାଇଁ ମଧ୍ୟପ୍ରଦେଶର ବାନ୍ଧବଗଡ଼ ଅଭୟାରଣ୍ୟରୁ ସୁନ୍ଦରୀକୁ ଅଣାଯାଇଥିଲା। ପ୍ରଥମେ ସୁନ୍ଦରୀ ଅଭୟାରଣ୍ୟର କୋର୍ ଅଞ୍ଚଳକୁ ନଯାଇ ଆଖପାଖ ଅଞ୍ଚଳରେ ଘୂରି ବୁଲୁଥିଲା। ଏହାକୁ ନେଇ ନିକଟସ୍ଥ ଗାଁ’ ଲୋକେ ଆତଙ୍କିତ ହୋଇପଡ଼ିବା ସହ ସୁନ୍ଦରୀକୁ ସ୍ଥାନାନ୍ତର ପାଇଁ ଦାବି କରିଥିଲେ। ରାଜ୍ୟ ସରକାର ବାଘୁଣୀକୁ କାବୁ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଟ୍ରାଙ୍କୁଲାଇଜ୍ ଟିମକୁ ଚକମା ଦେଇ ସେ ଘଞ୍ଚ ଜଙ୍ଗଲ ଭିତରକୁ ଚାଲିଯାଇଥିଲା। ତେବେ ବାରମ୍ୱାର ବିଫଳ ହେବାରୁ ବନ ବିଭାଗ ଚନ୍ଦକାରୁ ଯଶୋଦା ହାତୀକୁ ନେଇ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିଥିଲେ। ସେବେଠୁ ସୁନ୍ଦରୀ ଏନକ୍ଲୋଜରରେ ରହିଛି।

Spread the love