ଆଠଗଡ: ରାଜା ରାଜୁଡା ଅମଳରୁ ଚାଲିଆସିଥିବା ପ୍ରାଚୀନ ପରମ୍ପରା ଆଠଗଡର ନିଆରା ତଥା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରା ବୁଧବାର ଅନୁଷ୍ଠିତ ହୋଇଯାଇଛି। ପୌରନିର୍ବାଚନ ଲାଗି ଚଳିତ ବର୍ଷ ପଞ୍ଚୁଦୋଳ ପରଦିନ ଅର୍ଥାତ ୨୪ତାରିଖରେ ହେବାକୁ ଥିବା ହୋଲି ଉତ୍ସବ ସର୍ବଭାରତୀୟ ହୋଲି ସହିତ ୧୯ତାରିଖରେ ଏଠାରେ ମଧ୍ୟ ହୋଲି ଖେଳ ସରିଯାଇଥିଲା। ଏହି ନିର୍ବାଚନ ପାଇଁ ଚଳିତବର୍ଷ ପଞ୍ଚୁଦୋଳ ଯାତ୍ରାରେ ମଧ୍ୟ ସହରରେ ଫିକା ପଡିଯାଇଥିଲା। ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ପଞ୍ଚୁଦୋଳ ଯାତ୍ରାରେ ରାଧାଗୋବିନ୍ଦ ଜୀଉଙ୍କ ପଞ୍ଚୁଦୋଳ ଯାତ୍ରାରେ ଶ୍ରୀ ରାଧାଗୋବିନ୍ଦ, ଶ୍ରୀ ଅଟ୍ଟାଳି ଜଗନ୍ନାଥ, ଶ୍ରୀ ରଘୁନାଥ ଏବଂ ଶ୍ରୀ ଶ୍ରୀ ଧବଳେଶ୍ୱରଙ୍କର ଚାନ୍ଦି ବିମାନ ସହିତ ଆଠଗଡ ସହର ଓ ପୁରପଲ୍ଲୀରୁ ୪୮ଟି ବିମାନ ଯୋଗଦେଇଥିଲେ।
ରାତି ୧୦ଟାରେ ରାଧାଗୋବିନ୍ଦ ମନ୍ଦିର ନିକଟରୁ ଏକ ଭବ୍ୟ ଶୋଭାଯାତ୍ରାରେ ବାଜା, ବାଣ, ରୋଷଣୀ ସହିତ ୨୦ଦଳ ସଂକୀର୍ତ୍ତନ ମଣ୍ଡଳ, ୫ ମଣ୍ଡଳୀ ବାଡି ଲଉଡି ଦଳ ସଂକୀର୍ତ୍ତନ ଓ ଲଉଡି ଖେଳ ମଧ୍ୟରେ ୪୮ଟି ଯାକ ବିମାନ ସହର ପରିକ୍ରମା କରି ଯଞ୍ଜନାରାୟଣ ମନ୍ଦିରରେ ପହଞ୍ଚିବା ପରେ ସେଠାରେ ରାଜଭୋଗ ଲାଗି ହୋଇଥିଲା। ସେଠାରୁ ପୁନଃ ବିମାନରୂଢ ଦିଅଁମାନଙ୍କର ଶୋଭାଯାତ୍ରା ରାଧାନାଥପୁର ଶାସନ ଓ ଗୋପବନ୍ଧୁ ଛକ ଦେଇ ଦୁର୍ଗାବଜାରସ୍ଥିତ ଦୋଳମଣ୍ଡପ ନିକଟକୁ ଯିବା ପରେ ବିମାନଗୁଡିକ ଅସ୍ଥାୟୀ ଚାରମାଳରେ ବିଶ୍ରାମ ନେଇଥିଲେ। ଗୁରୁବାର ସକାଳ ୭.୩୦ମିନିଟରେ ପୁନଃ ବିମାନରୂଢ ଦିଅଁଙ୍କୁ ଗୋପାଳ ଭାଇମାନେ ଆନନ୍ଦରେ କାନେ୍ଧଇ ଏକ ଶୋଭାଯାତ୍ରାରେ ଆସି ଯଜ୍ଞନାରାୟଣ ମନ୍ଦିରଠାରେ ପହଞ୍ଚିଥିଲେ। ସେଠାରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ ବିମାନ ବାହକ ଗୋପାଳ ଭାଇ ଏବଂ ପୂଜକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ସଂକୀର୍ତ୍ତନ ଗୁରୁ ତଥା ଦେବୋତ୍ତର ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଅଜୟ କୁମାର ଦାସ, ପଣ୍ଡିତ ମାନସ ପଣ୍ଡା, ସାମ୍ବାଦିକ ଲଲାଟେନ୍ଦୁ ସେନାପତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଆଠଗଡର ଏହି ପ୍ରାଚୀନ ପରମ୍ପରା ସଂପର୍କରେ ନିଜର ଅଭିମତ ରଖିଥିଲେ। ଦେବୋତ୍ତର ସୁପରଭାଇଜର ଭବାନୀ ଶଙ୍କର ପଣ୍ଡା ଏବଂ ଅନ୍ୟ ସହଯୋଗୀ ଏହି ଯାତ୍ରା ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
More Stories
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି