July 27, 2024

Satya News

odia news channel

ଆସନ୍ତା ୨୪ଘଣ୍ଟାରେ ୧୭ଜିଲ୍ଲାରେ କାଳବୈଶାଖୀ ବର୍ଷା, ୟେଲୋ ଓ୍ବାର୍ଣ୍ଣିଂ ଜାରି

 

ଭୁବନେଶ୍ବର ୧୧: ଆସନ୍ତା ୪ ରୁ ୫ ଦିନ ଭିତରେ ଓଡିଶା ମାଟି ଛୁଇଁବ ମୌସୁମୀ । ଭାରତୀୟ ପାଣିପାଗ ବିଭାଗ ଟ୍ବିଟ୍ ମାଧ୍ୟମରେ ଏହି ସୂଚନା ଦେଇଛି । ସେପଟେ ରାଜ୍ୟରେ ପ୍ରାକ୍ ମୌସୁମୀର ପ୍ରଭାବ ଆରମ୍ଭ ହୋଇଯାଇଛି । ଆଗାମୀ  ୩ରୁ ୪ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ଯାଏଁ ତଳକୁ ଖସିବ ଦିନ ତାପମାତ୍ରା । ଗ୍ରୀଷ୍ମ ଦାଉରେ ହନ୍ତସନ୍ତ ରାଜ୍ୟବାସୀ ମୌସୁମୀ ଆଗମନ ଖବର ପାଇ ଆଶ୍ବସ୍ତି ଲାଭ କରିଛନ୍ତି । ତେବେ ଆସନ୍ତା ୨୪ ଘଣ୍ଟାରେ ୧୭ଜିଲ୍ଲା ପାଇଁ କାଳବୈଶାଖୀ ଆଲର୍ଟ ଜାରି କରାଯାଇଛି । ଏହିସବୁ ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାର ଗୋଟେ ଦୁଇଟି ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ବିଶେଷ ଭାବେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ସୋନପୁର , ବୌଦ୍ଧ, ନୂଆପଡା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ, ମାଲକାନଗିରି, ଗଜପତି, କେଉଁଝର, ସୁନ୍ଦରଗଡ, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ  ଓ ଯାଜପୁର ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସେହିପରି ୧୨ ତାରିଖରେ କୋରାପୁଟ ମାଲକାନଗିରି, ନବରଙ୍ଗପୁର, ରାୟଗଡା, ନୂଆପଡା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, କେଉଁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ  ପାଗ କୋହଲା ସହ ହାଲକାରୁ ମଧ୍ୟମ ଧରଣର ବର୍ଷା ସ୍ଥିତି ଜାରି ରହିଥିବା ବେଳେ ଆସନ୍ତା ୧୬ଯାଏଁ କାଳବୈଶାଖୀ ବର୍ଷା ହେବ । ୧୫ରେ ବଢିବ ବର୍ଷାର ପରିମାଣ । ଦକ୍ଷିଣ ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ୨୪ ଘଣ୍ଟାରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡରେ ସର୍ବାଧିକ ୩୪.୪ ମଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଗଞ୍ଜାମରେ ୨୬.୪, ପୁରୁଷୋତ୍ତମପୁର ୧୮.୪ , ନୟାଗଡ ଦଶପଲ୍ଲାରେ ୮.୨, ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ୭.୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ତେବେ ବୌଦ୍ଧ ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୪୨.୫ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି ।

Spread the love