July 27, 2024

Satya News

odia news channel

ଖଦି ଉତ୍ସବ ଏକ ବିକଶିତ ଭାରତର ସଙ୍କଳ୍ପ : ପ୍ରଧାନମନ୍ତ୍ରୀ

 

ଅହମ୍ମଦାବାଦ :  ଖଦି ଭଳି ଏକ ପରମ୍ପରାଗତ ଶକ୍ତି ଭାରତକୁ ନୂତନ ଉର୍ଜ୍ଜା ଦେବାରେ ସଫଳ ହେବ। ଆଜି ସନ୍ଧ୍ୟାରେ ଅହମ୍ମଦାବାଦର ସାବରମତୀ ନଦୀତଟରେ ଅନୁଷ୍ଠିତ ଖଦୀ ଉତ୍ସବରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି । ଶ୍ରୀ ମୋଦି କହିଛନ୍ତି, ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜି ଆୟୋଜିତ ଏହି ଖଦି ଉତ୍ସବରେ ୭୫୦୦ ଚରଖା ଚାଳନା ମାଧ୍ୟମରେ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଦେଶ ଏକ ସ୍ୱତନ୍ତ୍ର ଉପହାର ଦେଇଛି । ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଗତ ସ୍ୱାଧୀନତା ଦିବସ ପରିପ୍ରେକ୍ଷୀରେ ଦେଶବ୍ୟାପୀ ହର୍‍ ଘର ତ୍ରିରଙ୍ଗା ଆୟୋଜନ କରାଯାଇଥିଲା । ଅମୃତ କାଳରେ ଏହିଭଳି କାର୍ଯ୍ୟକ୍ରମ ତଥା ଖଦି ଉତ୍ସବକୁ ପ୍ରଧାନମନ୍ତ୍ରୀ ଏକ ବିକଶିତ ଭାରତର ସଙ୍କଳ୍ପ ବୋଲି ଅଭିହିତ କରିଛନ୍ତି । ଗତ ୮ ବର୍ଷ ମଧ୍ୟରେ ଦେଶରେ ଖଦି ଉତ୍ପାଦନ ଓ ବିକ୍ରିର ପରିମାଣ ୪ ଗୁଣା ବୃଦ୍ଧି ପାଇଛି । ଏହାର ବ୍ୟବସାୟ ପରିମାଣ ୧ ଲକ୍ଷ କୋଟି ଟଙ୍କା ଛୁଇଁଛି । ଏଥିସହିତ ଗୁଜରାଟରେ ଇତିମଧ୍ୟରେ ସବୁଜ ଖଦିର ଉତ୍ପାଦନ
ଆରମ୍ଭ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ସ୍ୱାଧୀନତା ଦିବସ ଅବସରରେ ଐତିହାସିକ ଲାଲ୍‍କିଲ୍ଲାରୁ ଦେଶବାସୀଙ୍କ ଉଦବୋଧନ ଦେବା ସମୟରେ ସେ ପଞ୍ଚପ୍ରଣ ବା ଶପଥ ସମ୍ପର୍କରେ ସୂଚନା ଦେଇଥିଲେ। ଏ ସମ୍ପର୍କରେ ପୁନର୍ବାର ଆଲୋକପାତ କରି ଶ୍ରୀ ମୋଦୀ ଖଦି ଉତ୍ସବକୁ ଏହି ପଞ୍ଚପ୍ରଣର ପ୍ରତିବିମ୍ବ ଭାବେ ଅଭିହିତ କରିଛନ୍ତି ।
ଆଜିଠାରୁ ଦୁଇ ଦିନିଆ ଗୁଜୁରାଟ୍‍ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ଆଜାଦୀ କା ଅମୃତ ମହାତ୍ସବର ଅଂଶସ୍ୱରୂପ ଆୟୋଜିତ ଏହି ଖଦି ଉତ୍ସବରେ ଯୋଗ ଦେଇଛନ୍ତି । ଦେଶର ସ୍ୱାଧୀନତା ସଂଗ୍ରାମରେ ଖଦୀର ଗୁରୁତ୍ୱକୁ ସର୍ବସାଧାରଣଙ୍କ ନିକଟରେ ପହଞ୍ଚାଇବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏହି ଗସ୍ତ ସମୟରେ
ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ, କଚ୍ଛ ଓ ଗାନ୍ଧୀନଗରଠାରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ । ଏହି ପରିପ୍ରେକ୍ଷୀରେ ଗୁଜରାତ ରାଜ୍ୟ ଖଦୀ ଗ୍ରାମୋଦ୍ୟଗ ବୋର୍ଡର ଏକ ନୂଆ କାର୍ଯ୍ୟାଳୟ ଓ ସାବରମତୀ ନଦୀ ଉପରେ ନିର୍ମିତ ଅଟଳ ସେତୁକୁ ପ୍ରଧାନମନ୍ତ୍ରୀ ଭର୍ଚୁଆଲ୍‍ ମାଧ୍ୟମରେ ଉଦ୍‍ଘାଟନ କରିଛନ୍ତି ।

Spread the love