July 27, 2024

Satya News

odia news channel

ଗଲୱାନ ସହିଦ କଲୋନେଲ ସନ୍ତୋଷ ବାବୁଙ୍କୁ ମରଣୋତ୍ତର ମହାବୀର ଚକ୍ର

 

ନୂଆଦିଲ୍ଲୀ: ଗଲୱାନ ଉପତ୍ୟକାରେ ଚୀନ ସୈନ୍ୟଙ୍କ ସହିତ ସଂଘର୍ଷରେ ସହିଦ ହୋଇଥିବା ଭାରତର କଲୋନେଲ ସନ୍ତୋଷ ବାବୁଙ୍କୁ ମରଣୋତ୍ତର ଭାବରେ ମହାବୀର ଚକ୍ରରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କଲୋନେଲ ସନ୍ତୋଷ ବାବୁଙ୍କ ସମେତ ଅନ୍ୟ ବୀର ଭାରତୀୟ ଯବାନଙ୍କୁ ବିଭିନ୍ନ ସାମରିକ ସମ୍ମାନରେ ସମ୍ମାନିତ କରିଛନ୍ତି । ସହିଦ ସନ୍ତୋଷ ବାବୁଙ୍କ ମା’ ଓ ତାଙ୍କ ପତ୍ନୀ ରାଷ୍ଟ୍ରପତିଙ୍କ ନିକଟରୁ ଏହି ସମ୍ମାନ ଗ୍ରହଣ କରିଥିଲେ । ଏହାବ୍ୟତୀତ ନାଏବ ସୁବେଦାର ନୁଦୁରାମ ସୋରେନ, ହାଭିଲଦାର କେ ପାଲାନି, ନାଏକ ଦୀପକ ସିଂହ, ସିପାହୀ ଗୁରତେଜ ସିଂହଙ୍କୁ ମଧ୍ୟ ମରଣୋତ୍ତର ଭାବରେ ବୀରଚକ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେମାନେ ସମସ୍ତେ ଗତବର୍ଷ ଜୁନ ମାସରେ ଗଲୱାନ ଉପତ୍ୟକାରେ ଚୀନ ସୈନ୍ୟକଙ୍କର ଆକ୍ରମଣାତ୍ମକ କାର୍ଯ୍ୟର କଡା ଜବାବ ଦେଇଥିଲେ । ଏହି ବୀର ଯବାନଙ୍କର ପତ୍ନୀଗଣ ସମ୍ମାନ ଗ୍ରହଣ କରିଥିଲେ ।
ଜମ୍ମୁ କାଶ୍ମୀରର କେରାନ ସେକ୍ଟରରେ ଏକ ଅଭିଯାନରେ ସହିଦ ହୋଇଥିବା ୪ ପାରା ସ୍ପେଶାଲ ଫୋର୍ସେସର ସୁବେଦାର ସଞ୍ଜୀବ କୁମାରଙ୍କୁ ମରଣୋତ୍ତର ଭାବରେ କୀର୍ତ୍ତୀ ଚକ୍ର ପ୍ରଦାନ କରାଯାଇଥିଲା । ସେ ଜଣେ ଆତଙ୍କବାଦୀକୁ ହତ୍ୟା କରିବାରେ ସଫଳ ହୋଇଥିଲେ ଏବଂ ତାଙ୍କ ଆକ୍ରମଣରେ ଅନ୍ୟ ଦୁଇ ଆତଙ୍କି ଆହତ ହୋଇଥିଲେ । ତାଙ୍କ ପତ୍ନୀ ମଧ୍ୟ ରାଷ୍ଟ୍ରପତିଙ୍କ ନିକଟରୁ ସମ୍ମାନ ଗ୍ରହଣ କରିଥିଲେ । ରାଷ୍ଟ୍ରପତି ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତର ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶାଲ ବିବେକ ଆର ଚୌଧରୀ ଏବଂ ନୌସେନାର ପରବର୍ତ୍ତୀ ମୁଖ୍ୟ ଭାଇସ ଆଡମିରାଲ ଆର ହରି କୁମାର ଉପସ୍ଥିତ ରହି ରାଷ୍ଟ୍ରପତିଙ୍କ ନିକଟରୁ ପରମ ବିଶିଷ୍ଟ ସେବା ପଦକ ଗ୍ରହଣ କରିଥିଲେ । ଏଥିସହିତ ମିଲିଟାରୀ ସେକ୍ରେଟାରୀ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ସିରୋହିଙ୍କୁ ଉତ୍ତମ ଯୁଦ୍ଧ ସେବା ପଦକରେ ସମ୍ମାନିତ କରାଯାଇଥିଲା ।

Spread the love