July 27, 2024

Satya News

odia news channel

ଡାକ୍ତର ନିଯୁକ୍ତିରେ ଆଇନ କେଁ

 

ଭୁବନେଶ୍ବର : ସ୍ବାସ୍ଥ୍ୟସେବାକୁ ଲୋକଙ୍କ ନିକଟତର କରିବା ପାଇଁ ରାଜ୍ୟ ସରକାର ସର୍ବଦା ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ଯୋଜନା ସହିତ ଜଟିଳ ରୋଗୀଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ହେଲେ ଡାକ୍ତରଙ୍କ ଅଭାବ ଲାଗି ରହିଛି। ପୂର୍ବରୁ ଜନସଂଖ୍ୟା ତୁଳନାରେ ଡାକ୍ତରଙ୍କ ଅନୁପାତ ବହୁ ଅଧିକ ରହିଥିବାବେଳେ ଏବେ ଏହି ହାର ଆପାତତଃ କମୁଛି। ଦିନକୁ ଦିନ ରାଜ୍ୟରେ ମେଡିକାଲ କଲେଜ ସଂଖ୍ୟା ବଢ଼ି ଚାଲିଛି। ପ୍ରତିବର୍ଷ ରାଜ୍ୟରୁ ସରକାରୀ ଭାବେ ୧୦୫୦ ଡାକ୍ତର ବାହାରୁ ଥିବାବେଳେ ଘରୋଇ ମେଡିକାଲ କଲେଜରୁ ୫୫୦ ଡାକ୍ତର ବାହାରୁଛନ୍ତି। ଆଗାମୀ ଦିନରେ ପୁରୀରୁ ୧୦୦ ଡାକ୍ତର ବାହାରିବାକୁ ରହିଥିବାବେଳେ ସୁନ୍ଦରଗଡ଼ ଓ କେନ୍ଦୁଝର ନୂତନ କଲେଜ ମିଶିବା ପରେ ଏହି ସଂଖ୍ୟା ସରକାରୀ ଭାବେ ୧୪୦୦ ଛୁଇଁବ। ହେଲେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(ହୁ)ର ମାର୍ଗଦର୍ଶିକା ଅନୁଯାୟୀ ଏବେ ବି ଡାକ୍ତର ଅଭାବ ଲାଗି ରହିଛି। ନିୟମ ଅନୁଯାୟୀ, ପ୍ରତି ୧୦୦୦ ଜନସଂଖ୍ୟା ପାଇଁ ଜଣେ ଡାକ୍ତର ନିଯୁକ୍ତ ହେବାକୁ ରହିଥିଲେ ହେଁ ଓଡ଼ିଶାରେ ପ୍ରାୟ ପାଖାପାଖି ୨୧୫୦ ଲୋକଙ୍କୁ ଜଣେ ଡାକ୍ତର ଅଛନ୍ତି। ଡାକ୍ତର ଅଭାବ ପୂରଣ ଲାଗି ସରକାରଙ୍କ ପକ୍ଷରୁ ଓଡ଼ିଶା ଲୋକସେବା ଆୟୋଗଙ୍କୁ ଯେଉଁ ତାଲିକା ମଗାଯାଉଛି ତାହା ମିଳିପାରୁନାହିଁ। ଏଥିପାଇଁ କେତେକ ନିୟମ ପାଇଁ ବାଧ୍ୟବାଧକତା ରହିଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକ୍ରମେ ଭାରତ ସରକାରଙ୍କ ପକ୍ଷରୁ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ଲାଗି ସ୍ବତନ୍ତ୍ର ସଂରକ୍ଷଣ ନୀତି ଅବଲମ୍ବନ କରାଯାଇଛି।
ସେହି ନୀତି ଅନୁଯାୟୀ ଉକ୍ତ ବର୍ଗର ଡାକ୍ତରଙ୍କ ଅଭାବ ରହିଛି। ସାଧାରଣ ବର୍ଗର ଡାକ୍ତର ହାତରେ ବଳକା ଥିଲେ ହେଁ ସେମାନଙ୍କୁ ନିଯୁକ୍ତି ମିଳିପାରୁନାହିଁ। ସଂରକ୍ଷଣ ଆଇନର କେଁ ପାଇଁ ଡାକ୍ତର ଅଭାବ ରାଜ୍ୟରେ ପରିଲକ୍ଷିତ ହେଉଛି। ଏହାସତ୍ତ୍ବେ ଗତ ୮ ବର୍ଷ ମଧ୍ୟରେ ୫ ହଜାର ଡାକ୍ତର ପୂରଣ ହୋଇଥିବା ଓଡ଼ିଶା ଲୋକସେବା ଆୟୋଗ ଓ ସ୍ବାସ୍ଥ୍ୟବିଭାଗ ତଥ୍ୟରୁ ଜଣାଯାଇଛି।
ତଥ୍ୟ ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୫ରେ ୩୭୨ ଡାକ୍ତର ପଦ ପୂରଣ ଲାଗି ଓଡ଼ିଶା ଲୋକସେବା ଆୟୋଗଙ୍କୁ ପତ୍ର ଲେଖାଯାଇଥିଲା, ହେଲେ ଉକ୍ତ ବର୍ଷ ୩୬୩ ଡାକ୍ତର ନିଯୁକ୍ତ ହୋଇଥିବାବେଳେ ୯ଟି ଅାସନ ସଂରକ୍ଷଣ ଆଇନ ଯୋଗୁଁ ପୂରଣ ହୋଇପାରି ନ ଥିଲା। ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଡାକ୍ତର ମିଳି ନ ଥିଲେ। ସେହିପରି ୨୦୧୬ରେ ୮୦୮ ଡାକ୍ତର ପୂରଣ ଲକ୍ଷ୍ୟ ରହିଥିବାବେଳେ ୫୫୯ ଡାକ୍ତର ନିଯୁକ୍ତ ହୋଇଥିବାବେଳେ ୨୦୧୭ରେ ୨୧୭୩ ତୁଳନାରେ ମାତ୍ର ୪୮୩, ୨୦୧୯ରେ ୧୯୫୦ ତୁଳନାରେ ୯୩୮, ୨୦୧୯ରେ ୩୨୭୮ ତୁଳନାରେ ୧୪୦୩, ୨୦୨୦ରେ ୨୪୫୨ ତୁଳନାରେ ୭୮୬, ୨୦୨୧ରେ ୧୫୮୬ ମଗାଯାଇ ଥିବାବେଳେ ମାତ୍ର ୮୧ ଜଣ ଡାକ୍ତର ନିଯୁକ୍ତି କରାଯାଇପାରିଥିଲା। ସେହିପରି ଚଳିତବର୍ଷ ୧୮୭୧ ଡାକ୍ତର ନିଯୁକ୍ତି ଲାଗି ଲକ୍ଷ୍ୟ ରହିଥିବାବେଳେ ଅଦ୍ୟାବଧି ୩୬୩ ଡାକ୍ତର ମିଳି ପାରିଛନ୍ତି। ତେବେ ସରକାର ଓଡ଼ିଶା ଲୋକସେବା ଆୟୋଗକୁ ଡାକ୍ତର ନିଯୁକ୍ତି ପାଇଁ କହୁଥିବାବେଳେ କେଉଁ କାରଣରୁ ଆବଶ୍ୟକ ସଂଖ୍ୟକ ଡାକ୍ତର ନିଯୁକ୍ତି ହୋଇପାରୁନି ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସଂରକ୍ଷିତ ବର୍ଗରୁ ଯୋଗ୍ୟ ପ୍ରାର୍ଥୀ ମିଳୁ ନାହାନ୍ତି କି ଅଣସଂରକ୍ଷିତ ପଦ ଖାଲି ରହୁଛି ତାହା ବୁଝାପଡୁନି। ଅନ୍ୟପକ୍ଷରେ ସରକାରୀ ଡାକ୍ତର ନିଯୁକ୍ତି ପ୍ରତି ପ୍ରାର୍ଥୀଙ୍କ ଆଗ୍ରହ ରହୁ ନଥିବା ମଧ୍ୟ ଆଉ ଏକ କାରଣ ବୋଲି ଆଶଙ୍କା କରାଯାଉଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଡାକ୍ତରଙ୍କ ଲାଗି କେତେକ ସରକାରୀ ବାଧ୍ୟବାଧକତା ନିୟମ କରାଯାଇଛି। ପ୍ରତ୍ୟେକ ଡାକ୍ତର ଯେଭଳି ଓଡ଼ିଶାବାସୀଙ୍କୁ ସେବା ଯୋଗାଇବେ ସେଥିପାଇଁ କେବିକେ ଭଳି ଦୁର୍ଗମ ଅଞ୍ଚଳରେ ୫ବର୍ଷ କାର୍ଯ୍ୟ କରିବା ସହିତ ସେଥିମଧ୍ୟରୁ ୩ବର୍ଷ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କାର୍ଯ୍ୟ କରିବାକୁ ନିୟମ ରହିଛି। ହେଲେ କେତେକ କ୍ଷେତ୍ରରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଠାରେ ସରକାରୀ ଡାକ୍ତର ‌େ‌ମାହର ବାଜିଯିବା ପରେ ସେମାନେ ରାଜ୍ୟ ସେବାରେ ମନୋ ନ ବଳାଇ ବାହାର ରାଜ୍ୟକୁ ଅଧିକ ଅର୍ଥ ଉପାର୍ଜନ ପାଇଁ ଚାଲି ଯାଉଛନ୍ତି। ଏହାବାଦ୍ ଆଉ କେତେକ ଡାକ୍ତର ଘରୋଇ ଉପାୟରେ ରୋଗୀ ଦେଖାକୁ ଗୁରୁତ୍ବ ଦେଉଥିବାବେଳେ ଦୁର୍ଗମ ଅଞ୍ଚଳରେ ନିଯୁକ୍ତ ଡାକ୍ତର ନିୟମିତ ଭାବେ ରୋଗୀ ସେବାରେ ଧ୍ୟାନ ଦେଉନାହାନ୍ତି। ଫଳରେ ସାଧାରଣ ରୋଗୀ ଅଧିକାଂଶ ସମୟରେ ଜଟିଳ ସ୍ଥିତିକୁ ଚାଲି ଯାଉଥିବା ଅଭିଯୋଗ ହୋଇଛି।

Spread the love