July 27, 2024

Satya News

odia news channel

ଡ୍ରାଏ ଡେ’ରେ ମଦରେ ଭାସିଲା ରାଜଧାନୀ

 

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ରାଜଧାନୀ ଭୁବନେଶ୍ବରକୁ ପ୍ରାୟ ୫ ଦିନ ଧରି ଡ୍ରାଏ ଡେ’ ଅର୍ଥାତ୍ ମଦ ଦୋକାନକୁ ବନ୍ଦ ରଖା ଯାଇଥିଲା। କିନ୍ତୁ ଚାରିଆଡ଼େ ମଦ ଭାସିଥିଲା। ଚୋରା ମଦ ପସରା ମେଲିଥିଲା। ଗତ ତିନିଦିନ ଭିତରେ ଅବକାରୀ ଥାନା, ମୋବାଇଲ ସ୍କ୍ବାଡ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ବିପୁଳ ପରିମାଣର ଚୋରା ମଦ ଜବତ କରାଯାଇଛି। ଏହାର ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ୧୦ ଜଣଙ୍କୁ ଗିରଫ କରାଯାଇଛି। ଜବତ ହୋଇଥିବା ମଦରେ ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ମଦ ମଧ୍ୟ ରହିଛି। ସେହିପରି ରାଜଧାନୀର ବିଭିନ୍ନ ଅଞ୍ଚଳରେ ଚୋରା ମଦ ବିକ୍ରି ଚାଲିଥିଲେ ମଧ୍ୟ ଅବକାରୀ ଓ ପୁଲିସ ପାଖରେ ଖବର ପହଞ୍ଚି ନ ଥିଲା।

ମିଳିଥିବା ସୂଚନା ଅନୁସାରେ, ଗ୍ୟାରେଜ ଛକ ନିକଟରେ ଉତ୍କଳ ଇନ୍ ହୋଟେଲରେ ଚୋରା ମଦ ବିକ୍ରି କରାଯାଉଥିବା ନେଇ ଖବର ପାଇବା ପରେ ଅବକାରୀ ମୋବାଇଲ ୟୁନିଟ୍ ଚଢ଼ଉ କରିଥିଲା। ସେହି କୋଠାରେ ଥିବା ଏକ ଷ୍ଟୁଡିଓରେ ମଧ୍ୟ ମଦ ରଖାଯାଇ ବିକ୍ରି କରାଯାଉଥିବା ଅଭିଯୋଗ ଆସିଥିଲା। ସେଠାରୁ ୭୧୮ ଲିଟରରୁ ଅଧିକ ପରିମାଣର ବିଦେଶୀ ମଦ ଜବତ କରାଯାଇଥିଲା। ଏହାର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ, ମାନସ ରଞ୍ଜନ ନାୟକ ଓ ଜନ୍ମେଜୟ ବିଶ୍ବାଳ।

୩ ଦିନରେ ୨୫ ଲକ୍ଷ ଟଙ୍କାର ମଦ ଜବତ, ୧୦ ଗିରଫ
ବିଭିନ୍ନ ନାମୀଦାମୀ ବ୍ରାଣ୍ଡ ବି ବିକ୍ରି ହେଉଥିଲା

ସେହିପରି ଗତକାଲି ୫ଜଣଙ୍କୁ ଗିରଫ କରାଯାଇଥିଲା। ଅଶୋକ କୁମାର ରାଉତରାୟଙ୍କଠାରୁ ୯୫ ଲିଟର ମଦ ଜବତ ହୋଇଥିଲା। ବଡ଼ଗଡ଼ ଓ ମଞ୍ଚେଶ୍ବରର ବିଭିନ୍ନ ସ୍ଥାନରେ ଚଢ଼ଉ ପରେ ସଞ୍ଜୟ ବେହେରା, ଶଙ୍କର୍ଷଣ ମହାନ୍ତି, ପ୍ରତିମା ମଲିଆ ଓ କୃଷ୍ଣ ପ୍ରଧାନକୁ ଗିରଫ କରାଯାଇଥିଲା। ସେମାନଙ୍କଠାରୁ ବିପୁଳ ପରିମାଣର ଆସ୍କା-୪୦, ବିଦେଶୀ ମଦ ଓ ବିଅର ଜବତ କରାଯାଇଥିଲା। ସେହିପରି ୨୪ ତାରିଖରେ ମଧ୍ୟ ଏକ ହୋଟେଲ ଓ ଅନ୍ୟ ସ୍ଥାନରେ ଚଢ଼ଉ କରାଯାଇ ତିନିଜଣଙ୍କୁ ଗିରଫ କରା ଯାଇଥିଲା।

Spread the love