July 27, 2024

Satya News

odia news channel

ଧାନ କିଣା ଆରମ୍ଭରୁ ଅଚଳାବସ୍ଥା : ୫ଟି ପେକ୍ସରେ ପଡ଼ିରହିଛି ୭ହଜାର ବସ୍ତା ଧାନ

 

-ଖତ ଖାଉଛି ସରଞ୍ଜାମ, ମିଲ୍‌ରେ ହେଉଛି ମାନ ନିର୍ଦ୍ଧାରଣ, -ଅଖାବସ୍ତା ଦେଉନି ମିଲର୍‌, ପ୍ଲାଷ୍ଟିକ ବସ୍ତାକୁ କରୁଛି ବାରଣ

-କାଗଜକଲମରେ ପରିବହନ ଖର୍ଚ୍ଚ, -ପେକ୍ସ ବଦ‌ଳରେ ମିଲ୍‌କୁ ଗାଡ଼ି ନେଉଛି ଚାଷୀ 

 ଦେଓଗାଁ : ସରକାରୀ ନିଷ୍ପତ୍ତି ଅନୁସାରେ ବଲାଙ୍ଗୀର ଜିଲ୍ଲାରେ ଗତ ୨୯ତାରିଖରୁ ଧାଣ କିଣା ଆରମ୍ଭ ହୋଇଛି। ହେଲେ ଦେଓଗାଁ ବ୍ଲକରେ ମଣ୍ଡି ଆରମ୍ଭ ହେବାର ୧୫ଦିନ ବିତି ଯାଇଥିଲେ ମଧ୍ୟ ଠିକ ଭାବେ ଚାଳିପାରୁନି ମଣ୍ଡି। କଟନୀ ଜିଦରେ ମିଲର୍‌ ଅଟଲ ରହୁଥିବା ବେଳେ ଚାଷୀଙ୍କୁ ଘାରିଛି ଟୋକନ ଲେପ୍ସ ହେବାର ଭୟ। ପେକ୍ସକୁ ଅଖା ବସ୍ତା ବଦଳରେ ପ୍ଲାଷ୍ଟିକ ବସ୍ତାରେ ଧାନ ନେଲେ ମିଲର୍‌ କିଣିବା ପାଇଁ ନାରାଜ ହେଉଥିବାର ଦେଖାଦେଇଛି। ଦେଓଗାଁ ବ୍ଲକରେ ଥିବା ୧୨ଟି ପେକ୍ସରେ ଧାନ କିଣା ଆରମ୍ଭ ହୋଇଛି। ସମସ୍ତ ପେକ୍ସରେ ଧାନ କିଣା ହେବାକୁ ଥିବା ଯନ୍ତ୍ର ପାତି ଥିଲେ ମଧ୍ୟ ବ୍ୟବହାର ନ ହୋଇ ଗୋଦାମ ଭିତରେ ପଡ଼ିରହିଥିବା ଦେଖିବାକୁ ମିଳିଛି। ଦେଓଗାଁ, ଜରାସିଂହା, କୁତୁର୍ଲା ପେକ୍ସରେ ଓଜନ ନ ହୋଇ ସିଧାସଲଖ ମିଲ୍‌କୁ ଯାଇ ଓଜନ ହେବାପରେ ଧାନର ମାନ ନିର୍ଧାରଣ ହେଉଥିବାରୁ ସରକାରୀ ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସଷ୍ଟି ହେଉଛି। ଏଭଳି କି ମିଲ ଭିତରକୁ ଧାନ ନେବା ପରେ ମିଲର ମାନେ ବାଧ୍ୟତାମୂଳକ ଭାବେ ୫ରୁ ୭କେଜି କଟନୀ କରି ଏଫ୍‌ଏକ୍ୟୁ ମାନର ଧାନ କିଣା ଯାଉଛି ବୋଲି ରିପୋର୍ଟ ଦେଉଛନ୍ତି। ଯେଉଁ ପେକ୍ସରୁ ଧାନ ମିଲର୍‌ ନିଜ ଗାଡ଼ିରେ ନ ନେଇ ଚାଷୀ ଆଣିଥିବା ଗାଡ଼ିରେ ସିଧାସଲଖ ମିଲକୁ ନେଉଛି ସେହି ପେକ୍ସରେ ଗାଡ଼ିଭଡ଼ା ବାବଦରେ ଆସୁଥିବା ଟଙ୍କା ଚାଷୀ କିଭଳି ପାଇବ ତାକୁ ନେଇ ସନ୍ଦେହ ଦେଖାଦେଇଛି। ଏଫ୍ଏକ୍ୟୁ ମାନର ଧାନକୁ କ୍ବିଣ୍ଟାଲ ପ୍ରତି ୧୯୬୦ ଟଙ୍କା ମୂଲ୍ୟରେ ପଞ୍ଜିକୃତ ଚାଷୀଙ୍କ ଠାରୁ ସଂପୃକ୍ତ କୃଷି ସମବାୟ ସମିତି (ପେକ୍ସ)ରେ କିଣାଯିବ। ହେଲେ ଏଫ୍ଏକ୍ୟୁ ମାନର ଧାନ ନାମରେ ଚାଷୀଙ୍କ ଠାରୁ ମିଲର ହରିଲୁଟ କରୁଥିବା ଅଭିଯୋଗ ହେଉଛି।
ଦେଓଗାଁ ବ୍ଲକରେ ଧାନ କିଣା ବ୍ୟବସ୍ଥାକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ, ଧାନ କଳାବଜାରିମାନେ ଚାଷୀଙ୍କ ଧାନ ଖଳାକୁ ଯାଇ କ୍ବିଣ୍ଟାଲ ପ୍ରତି ୧୨ଶହରୁ ୧୩ଶହ ଟଙ୍କା ମୁଳଚାଲ କରି ସଂପୃକ୍ତ ମଣ୍ଡିକୁ ଆଣୁଛନ୍ତି। ପେକ୍ସ ସଂପାଦକ ଓ ମିଲରଙ୍କ ସହ ପୂର୍ବରୁ ଯୋଜନା କରି ଏଫ୍ଏକ୍ୟୁ ମାନର ଧାନ ଦେବା ଅସମ୍ଭବ ତେଣୁ ବିନା ମାନ ନିର୍ଦ୍ଧାରଣରେ ଧାନ ଉଠାଇବାକୁ କଳାବଜାରି ଓ ମିଲରଙ୍କ ମଧ୍ୟରେ ଚୁଡାନ୍ତ ହେଉଛି। ଏଥିରେ ପ୍ରକୃତ ଚାଷୀ ବଳି ପଡ଼ୁଛି। ସରକାରୀ ନିୟମ ହେଲା ଯେ, ଚାଷୀ ନିଜ ବ୍ୟବସ୍ଥା ସହ ନିଜ ବସ୍ତାରେ ଧାନ ଆଣିବ ପେକ୍ସକୁ। ସେଠାରେ ପେକ୍ସ କତ୍ତୃପକ୍ଷ ଧାନର ମାନ ନିର୍ଦ୍ଧାରଣ କରିବେ। ଚାଷ ନିଜ ବସ୍ତା ଧରି ଘରକୁ ପେରିବ। ଧାନ ଦେବାର ୪୮ଘଣ୍ଟା ମଧ୍ୟରେ ପୂର୍ବରୁ ଦେଇଥିବା ବ୍ୟାଙ୍କ ଖାତାରେ ଟଙ୍କା ଜମା ହେବ। ହେଲେ ଏଥିରେ ପେକ୍ସ କତ୍ତୃପକ୍ଷଙ୍କ ଭୂମୀକା ଶୂନ। କେବଳ କାଗଜ ପତ୍ର ଚାଷ କରି କ୍ବିଣ୍ଟାଲ ପ୍ରତି ୬.୬୭ପଇସା କମିଶନ ପାଉଛନ୍ତି। କମ ମୂଲ୍ୟରେ ଧାନ କିଣିଥିବା କଳାବଜାରି ମିଲର ସହ ବୁଝାମଣା କରି ପ୍ରକୃତ ଚାଷୀଙ୍କ ମୁଣ୍ଡମାର କରୁଥିବା ଆଲୋଚନା ହେଉଛି। ଦେଓଗାଁ ବ୍ଲକର ୧୨ଟି ପେକ୍ସ ମଧ୍ୟରୁ ଧଣ୍ଡାମାଲ ପେକ୍ସରେ ମାତ୍ର ୭୪କ୍ବିଣ୍ଟାଲ ଧାନ କିଣାଯାଇଥିବା ବେଳେ ଜରାସିଂହା ପେକ୍ସରେ ୧୨ଜଣ ଚାଷୀଙ୍କ ଠାରୁ ୧୩୧୬.୫୮କ୍ବିଣ୍ଟାଲ ଧାନ କିଣାଯାଇଛି। ସେହିଭଳି ଦେଓଗାଁ ପେକ୍ସରେ ୧୮ଜଣ ଚାଷୀ ଠାରୁ ୭୨୯.୯୭କ୍ବିଣ୍ଟାଲ, ବନ୍ଧପଡ଼ାରେ ୧୪୨କ୍ବିଣ୍ଟାଲ, ବଡ଼ବନ୍ଧରେ ୧୩ଜଣ ଚାଷୀଙ୍କ ଠାରୁ ୨୬୨କ୍ବିଣ୍ଟାଲ ଧାନ କିଣା ଯାଇଥିବା ବେଳେ ଅଧିକ ଧାନ ଅମଳ ହେଉଥିବା ପଞ୍ଚାୟତ ଅଜୁର୍ନପୁର ପେକ୍ସରେ ୩୧ଜଣ ଚାଷୀଙ୍କ ୨୮୮୯ପ୍ୟାକେଟ ଧାନ, ଗୌଡ଼ଗୋଠରେ ୭ଜଣ ଚାଷୀଙ୍କ ପ୍ରାୟ ଏକହଜାର ପ୍ୟାକେଟ ଧାନ, ରାମଚନ୍ଦ୍ରପୁରରେ ୭୦୦ପ୍ୟାକେଟ, ବନ୍ଧପଡ଼ାରେ ୪୫୦, ବଡ଼ବନ୍ଧରେ ୫୨୬, ସାରସମାଲରେ ୭୬୬ ପ୍ୟାକେଟ, ମହୖଲାଇରେ ୮ଶହ ପ୍ୟାକେଟ ଧାନ ମୋଟ ଭାବେ ୬ଟି ପେକ୍ସରେ ମୋଟ ୭୧୩୧ପ୍ୟାକେଟ ଧାନ ମଣ୍ଟିରେ ପଡ଼ି ରହିଥିଲେ ମଧ୍ୟ ଏହି ପେକ୍ସଗୁଡ଼ିକରୁ ଧାନ କିଣିବାକୁ ଅନୁମତି ପାଇଥିବା ଗଜାନନ, ସମଲେଶ୍ବରୀ ପେଡ଼ି ପ୍ରୋସେସିଙ୍ଗ, ଶ୍ରୀଗଣେଶ, ବିକାଶ ରାଇସମିଲ, ଜୟ ହନୁମାନ, ଆଦିଶକ୍ତି, ସିଦ୍ଧି ବିନାୟକ, ସନ୍ତୋଷ ରାଇସମିଲ କଟନୀ ଜିଦରେ ରହି ପେକ୍ସକୁ ବସ୍ତା ଦେଉନାହାନ୍ତି କି ଧାନ ଉଠାଇବା ପାଈଁ ଆସୁନାହାନ୍ତି ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି। ମଙ୍ଗଲବାର ଦିନ ଅର୍ଜୁନପୁର ଓ ମହଲାଇ ପେକ୍ସକୁ ହଜାରେ ଲେଖାଏଁ ଅଖାବସ୍ତା ଦେଇ ଲୋକନାଥ ରାଇସମିଲ ମହଲାଇ ପେକ୍ସରୁ କିଛି ଧାନ ଉଠାଇଥିବା ଜଣାପଡ଼ିଛି। ଏଭଳି କି ଅର୍ଜୂନପୁରରେ ଧାନ କଟନୀ ଛଟନୀକୁ ନେଇ ଚାଷୀ, ମିଲର ରାମ ଅବତାର କେଡ଼ିଆ ଓ ପେକ୍ସ କତ୍ତୃପକ୍ଷଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ କି, ମିଲର ୫କେଜି କାଟିବାକୁ କହିଥିବା ବେଳେ ଚାଷୀମାନେ ୨କେଜି କାଟିବାକୁ କହିଥିଲେ। ଏଭଳି କି ଧାନର ମାନ ନିର୍ଦ୍ଧାରଣ ହେବା ପରେ ବିନା କଟନୀରେ ଏଫଏକ୍ୟୁମାନର ଧାନ କିଣିବା ନେଇ ମିଲର ଚାଷୀମାନଙ୍କୁ କହିଥିବା ଚାଷୀନେତା ଭାଗବତ ସାହୁ ପ୍ରକାଶ କରିଛନ୍ତି। ଏନେଇ ଉକ୍ତ ପେକ୍ସ ସଂପାଦକ ବୃନ୍ଦାବନ ନାଏକଙ୍କୁ ପଚାରିବାରୁ ଚାଷୀମାନେ ଧାନ ଆଣି ରଖିଛନ୍ତି, ଧାନ କିଣିବାକୁ ୬ଟି ମିଲର୍ ଆସିବା କଥା, ହେଲେ ଲୋକନାଥ ମିଲ ଖାଲି ବସ୍ତା ନେଇ ଆସିଛି, ଅନ୍ୟ ମିଲର୍‌ ମାନେ ଆସୁନାହାନ୍ତି ବୋଲି କହିଛନ୍ତି। ଦେଓଗାଁ ବ୍ଲକର ଧାନକିଣା ବ୍ୟବସ୍ଥାକୁ ନେଇ ଏସ୍‌ଏଆର୍‌ସିଏସ୍‌ ରବିନ୍ଦ୍ର ପଣ୍ଡାଙ୍କୁ ପଚାରିବାରୁ ଜିଲ୍ଲା ସ୍ତରୀୟ ଧାନ କିଣା ବୈଠକରେ ଜରିବସ୍ତାରେ ଧାନକିଣାକୁ ବାରଣ କରାଯାଇଛି, କେବଳ ଅଖାବସ୍ତାରେ ମିଲରମାନେ ଧାନ କିଣିବେ ବୋଲି କହିବା ସହ ଧାନ ପଡ଼ିରହିଥିବା ମଣ୍ଡିକୁ ଆସନ୍ତାକାଲି ଅନୁଧ୍ୟାନ କରିବି ବୋଲି କହିଛନ୍ତି।
ସୂଚନା ଯୋଗ୍ୟ ଯେ, ଦେଓଗାଁ ବ୍ଳକରେ ଧାନ କିଣା ଆରମ୍ଭ ହୋଇଥିଲେ ମଧ୍ୟ ପ୍ରଥମରୁ ଅଚଳାବସ୍ଥା ଦେଖାଦେଇଥିବାରୁ ଚାଷୀମହଳରେ ଅସନ୍ତୋଷ ଦେଖାଦେଇଛି । ବିଡ଼ିଓ, ତହସିଲଦାର, ଯୋଗାଣ ଓ ସମବାୟ ବିଭାଗ ଧାନ ମଣ୍ଡିଗୁଡ଼ିକ କିଭଳି ବ୍ୟବସ୍ଥାରେ ଚାଳିଛି। ଚାଷୀମାନେ ସରକାରୀ ସୁବିଧା ପାଉଛନ୍ତି କି ନାହିଁ ତଦାରଖ କରିବାର ନିୟମ ରହିଛି, ହେଲେ ରାସ୍ତା କଡ଼ରେ ରହିଥିବା ମଣ୍ଡିକୁ ଦେଖିଦେଇ ଅଧିକାରୀମାନେ ଚାଳିଯାଉଥିବା ଦେଖାଦେଉଛି। ଏଣୁ ଦେଓଗାଁ ବ୍ଲକରେ ଧାନକିଣା ବ୍ୟବସ୍ଥାରେ ସୁଧାର ଆଣିବାକୁ ନେଇ ଜିଲ୍ଲପାଳ ଦୃଷ୍ଟି ଦେବାକୁ ଚାଷୀମହଳରେ ଦାବୀ ହେଉଛି।

Spread the love