July 27, 2024

Satya News

odia news channel

ଧାନ ସଂଗ୍ରହ ବିପର୍ଯ୍ୟସ୍ତ

 

ଓଡ଼ିଶାର ଭାତହାଣ୍ଡିରେ ଖୋଲୁନି ମଣ୍ଡି

ସମ୍ବଲପୁର/ଝାରସୁଗୁଡ଼ା : ଶୃଙ୍ଖଳିତ ଧାନ ସଂଗ୍ରହ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିବାର ପରୋକ୍ଷ ଉଦ୍ଦେଶ୍ୟ ନେଇ ମଣ୍ଡି ବ୍ୟବସ୍ଥାକୁ ଉଦ୍ଦେଶ୍ୟମୂଳକ ଭାବେ ଦୁର୍ବଳ କରାଯାଉଛି। ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ବହୁ ଦିନରୁ କରି ଆସୁଥିବା ଏଭଳି ଅଭିଯୋଗର ସତ୍ୟତା ଥିବା ପ୍ରମାଣିତ ହୋଇଛି। ଗତ ​କେତୋଟି ଋତୁ ହେଲା ହୀରାକୁଦ ସେଚାଞ୍ଚଳର ବିଭିନ୍ନ ଜିଲାରେ ବିଭିନ୍ନ କାରଣରୁ ଖରିଫ ଧାନ ସଂଗ୍ରହ ଗୁରୁତର ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଲକ୍ଷ୍ୟ କରାଯାଉଛି। ଚଳିତ ଖରିଫ ଋତୁ ସେଥିରୁ ବାଦ ପଡ଼ିନାହିଁ।

ସେଚାଞ୍ଚଳର ୪ ଜିଲାରେ ସମସ୍ୟାର ୪ ପ୍ରକାର ଚିତ୍ର ଦେଖିବାକୁ ମିଳିଛି। ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାରେ ନାନା ପ୍ରକାର ସମସ୍ୟା ଯୋଗୁ ଧାନ ସଂଗ୍ରହ ବିପର୍ଯ୍ୟସ୍ତ ହୋଇପଡ଼ିଛି। ନଭେମ୍ବର ୨୫ ତାରିଖରୁ ମଣ୍ଡି ଖୋଲିଥିଲେ ମଧ୍ୟ ମିଲ ମାଲିକମାନଙ୍କ ଅସହଯୋଗ ଯୋଗୁ ଜିଲାର ବିଭିନ୍ନ ମଣ୍ଡି ଓ କ୍ରୟକେନ୍ଦ୍ରରେ ଅଧିକାଂଶ ଧାନ ଉଠି ପାରୁନାହିଁ। ୫୮ ପ୍ୟାକ୍ସ ଓ ୧୯୩ କ୍ରୟ କେନ୍ଦ୍ରରେ ଧାନକିଣା ବ୍ୟବସ୍ଥା କରାଯାଇଛି। ନିୟନ୍ତ୍ରିତ ବଜାର କମିଟିକୁ ଧାନକିଣାରେ ସହଯୋଗ କରିବାକୁ ୨୭ଟି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ନିୟୋଜିତ କରାଯାଇଥିଲେ ମଧ୍ୟ ବି​ଶେ‌ଷ କିଛି ଲାଭ ହୋଇନାହିଁ। ଜିଲାର ୧୨ଟି ମଣ୍ଡିରୁ ଏ ପର୍ଯ୍ୟନ୍ତ ଧାନର ଗୋଟିଏ ଦାନା ମଧ୍ୟ ଉଠି ନାହିଁ।
୭ ସ୍ବୟଂ ସହାୟିକା ଗୋଷ୍ଠୀ ଧାନ କିଣା ଆରମ୍ଭ କରିନାହାନ୍ତି। ଚାଷୀ ଅଧିକ ଧାନ ଅମଳ କରିିଥିବା ବେଳେ କମ ପରିମାଣରେ ଧାନ ବିକ୍ରି କରିବାକୁ ସରକାରୀ ଟୋକନ ଆସିଥିବାରୁ ମଣ୍ଡି, ଖଳା ଓ ଜାତୀୟ ରାଜପଥ କଡ଼ରେ ଧାନ ଗଦା ହୋଇଛି।
ଏହି କାରଣରୁ ଗତକାଲି ପାଇକମାଳ ବ୍ଳକ ଛିନେଇକେଲା ମଣ୍ଡିରେ ଜଣେ ଚାଷୀଙ୍କ ହୃଦଘାତଜନିତ ମୃତ୍ୟୁ ମଧ୍ୟ ହୋଇଯାଇଛି। ପ୍ରହଲ୍ଲାଦ ରାଉତ(୭୫) ୬ ଏକର ଜମିରେ ଚାଷ କରିଥିବାରୁ ୨୪ କ୍ବିଣ୍ଟାଲ ଧାନ ବିକ୍ରି ଅନୁମତି ଆଶା କରିଥିବା ବେଳେ ମାତ୍ର ୬ ବସ୍ତା ବିକିବାକୁ ଟୋକନ ଆସିଥିବା ଶୁଣି ସେ ମର୍ମାହତ ଅବସ୍ଥାରେ ମଣ୍ଡିରେ ଟଳି ପଡ଼ିଥିଲେ। ଧାନ ସଂଗ୍ରହ ବ୍ୟବସ୍ଥା କେତେ ଦୂର ବିପର୍ଯ୍ୟସ୍ତ ହୋଇପଡ଼ିଛି ଏହି ଦୁଃଖଦ ଘଟଣାକୁ ତା’ର ଉଦାହରଣ ଭାବରେ ନିଆଯାଇପାରେ।
ଅନ୍ୟ ପକ୍ଷରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଦରଖାସ୍ତ ଖାରଜ ହୋଇଯାଇଥିବାରୁ ପଦ୍ମପୁର ଉପଖଣ୍ଡ ଚାଷୀ ତାତିଛନ୍ତି। ସେମାନେ ବୁଧବାର ବରଗଡ଼ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆସନ୍ତା ୨୭ ତାରିଖ ପଦ୍ମପୁର ଉପଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବାକୁ ଘୋଷଣା କରିଛନ୍ତି। ଏହି ଜିଲାରେ ୧ ଲକ୍ଷ ୩୭ ହଜାର ପଞ୍ଜୀକୃତ ଚାଷୀଙ୍କ ମଧ୍ୟରୁ ମାତ୍ର ୨୯ ହଜାର ଚାଷୀଙ୍କ ଧାନ କିଣାଯାଇଛି। ବର୍ତ୍ତମାନ ଯାଏ ବିକ୍ରି ସୁଯୋଗ ପାଇ ନ ଥିବା ଅବଶିଷ୍ଟ ୧ ଲକ୍ଷ ୯ ହଜାର ଚାଷୀଙ୍କ ଧାନ ସେମାନଙ୍କ ଖଳା ଓ ରାସ୍ତା କଡ଼ରେ ପଡ଼ିଛି।
ବରଗଡ଼ ଜିଲାରେ ଟୋକନ ସମସ୍ୟା ଚାଷୀଙ୍କୁ କାଳ ହୋଇଥିବା ବେଳେ ସମ୍ବଲପୁର ଜିଲାରେ କଟନୀଛଟନୀ ଶୋଷଣର ନୂଆ ମାଧ୍ୟମ ହୋଇଛି। ଏହି ଜିଲାରେ ନଭେମ୍ବର ୨୪ ତାରିଖରୁ ମଣ୍ଡି ଖୋଲିଲାଣି। କିନ୍ତୁ ମିଲ ମାଲିକମାନେ ଆର୍ଦ୍ରତା ଆଳରେ ବସ୍ତା ପିଛା ୩ କିଲୋରୁ ୮ କିଲୋ ଧାନ କାଟି ଦେଉଥିବାରୁ ଚାଷୀମାନଙ୍କ ମଧ୍ୟରେ ଅଶାନ୍ତି ଲାଗିରହିଛି। ଏହି ଜିଲାର ୪୦ଟି ଯାକ ମଣ୍ଡିରେ ଅବ୍ୟବସ୍ଥା ଲାଗିରହିଛି। ପ୍ରଶାସନ ସହ ତୁହାକୁ ତୁହା ବୈଠକ ବସୁଥିଲେ ମଧ୍ୟ ସମାଧାନର ସୂତ୍ର ବାହାରି ପାରୁନାହିଁ। କଟନୀଛଟନୀ କରିବାକୁ ମିଲମାଲିକଙ୍କ ଜିଦ ଓ ଚାଷୀଙ୍କ ବିରୋଧ ଯୋଗୁ ସୃଷ୍ଟ ଅଚଳାବସ୍ଥା ଯୋଗୁ ଧାନ ବିକ୍ରି ଗୁରୁତର ବାଧାପ୍ରାପ୍ତ ହୋଇଛି। ମିଲମାଲିକଙ୍କ ଆଧିପତ୍ୟ ଆଗରେ ପ୍ରଶାସନ ମଧ୍ୟ ଅସହାୟ ହୋଇପଡ଼ିଛି।
ସୋନପୁର ଜିଲାରେ ଡିସେମ୍ବର ୧୩ ତାରିଖରୁ ଧାନକିଣା ଆରମ୍ଭ ହୋଇଛି। ନିୟନ୍ତ୍ରିତ ବଜାର କମିଟି ସହିତ ୬୨ ପ୍ୟାକ୍ସ ଓ ୩୯ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ମଧ୍ୟ ଖରିଫ ଧାନ କିଣାରେ ଲଗାଯାଇଛି; କିନ୍ତୁ ମିଲମାଲିକମାନେ ମଣ୍ଡିକୁ ଆସୁ ନଥିବାରୁ ବିଭିନ୍ନ ସ୍ଥାନରେ ୧୫୦୦ ବସ୍ତା ଧାନ ବିକ୍ରି ହୋଇ ନ ପାରି ପଡ଼ିଥିବା ସୂଚନା ମିଳିଛି।
ସମ୍ବଲପୁର, ବରଗଡ଼ ଓ ସୁବର୍ଣ୍ଣପୁର ଜିଲାରେ ମଣ୍ଡି ଖୋଲିଥିଲେ ମଧ୍ୟ ଧାନ ଉଠୁ ନଥିବା ବେଳେ ଝାରସୁଗୁଡ଼ା ଜିଲାରେ ଏ ପର୍ଯ୍ୟନ୍ତ ମଣ୍ଡି ଖୋଲିନାହିଁ। ମାସେ ତଳୁ ଧାନ କଟାହୋଇ ଖଳାରେ ପଡ଼ିଛି। କିନ୍ତୁ ଜିଲା ପ୍ରଶାସନ ମଣ୍ଡି ଖୋଲିବା ଦିଗରେ ନିଷତ୍ତି ନେଇ ପାରୁନାହିଁ। ଧାନ ସଂଗ୍ରହ ଏକ ମାସ ଡେରି ହୋଇ ସାରିଥିବାରୁ ଝାରସୁଗୁଡ଼ା ଚାଷୀ ମହଲରେ ତୀବ୍ର ଅସନୋଷ ଲାଗି ରହିଛି। ଝାରସୁଗୁଡ଼ା ଜିଲ​‌ାରେ ନଭେମ୍ବର ଦ୍ବିତୀୟ ବା ତୃତୀୟ ସପ୍ତାହରୁ ଧାନକିଣା ଆରମ୍ଭ ହେବା କଥା। ଚଳିତ ବର୍ଷ ପ୍ରାୟ ୧ ମାସ ବିଳମ୍ବ ହୋଇସାରିଲାଣି। ତଥାପି ଏବେ ସୁଦ୍ଧା ଧାନ କିଣା ନେଇ ସ୍ଥିତି ସ୍ପଷ୍ଟ ହୋଇପାରିନି। ଜିଲାସ୍ତରୀୟ ଧାନକିଣା ସମିତି(ଡିଏଲପିସି) ବୈଠକରେ ଚଳିତ ମାସ ୭ତାରିଖରୁ ଧାନକିଣା​‌ ଯିବ ବୋଲି ନିଷ୍ପତ୍ତି ହୋଇଥିଲା; କିନ୍ତୁ ଏହାପୂର୍ବରୁ ସମବାୟ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଜିଲା ପ୍ରଶାସନ ଧାନ କ୍ରୟ ତାରିଖ ପ୍ରଥମେ ଡିସେମ୍ବର ୧୬ତାରିଖକୁ ଏବଂ ପରେ ପୁଣି ଡିସେମ୍ବର ୨୪ ଯାଏ ଘୁଞ୍ଚାଇ ଦେଇଛନ୍ତି। ଏହା ଭିତରେ ଜିଲାର ଚାଷୀମାନେ ଆସନ୍ତା ୨୧ ସୁଦ୍ଧା ସରକାର ଧାନ କିଣନ୍ତୁ ବୋଲି ଚରମ ଚେତାବନୀ ଦେଇଛନ୍ତି; ନଚେତ୍‌ ୨୨ ତାରିଖରୁ ଧାନ ସବୁ ଆଣି ରାଜପଥରେ ଗଦାଇବେ ବୋଲି ଧମକ ଦେଇଛନ୍ତି। ଝାରସୁଗୁଡ଼ା ଅଣଜଳସେଚିତ ଜିଲା ହୋଇଥିବାରୁ ଏଠିକାର ଚାଷୀ ଛୋଟ ଧାନ ବା​‌ ସ୍ବଳ୍ପ ଅବଧିର ଧାନ କରନ୍ତି। ଏଣୁ ନଭେମ୍ବର ଦ୍ବିତୀୟ ସପ୍ତାହରୁ ହିଁ ଅଧିକାଂଶ ଚାଷୀ ଅମଳ କରି ସାରିଲେଣି। ଧାନ ରଖିବା ସକାଶେ ବସ୍ତା ଓ ଗୋଦାମ ନ ଥିବାରୁ ଚାଷୀମାନେ ଚୂନା ଧାନ ଖଳା ବାରି ଅଥବା ଅଗଣାରେ ଗଦା କରି ଶୀତକାକରରେ ଦିନ ରାତି ଜଗି ରହୁଛନ୍ତି। କେତେକ ଚାଷୀ ଟଙ୍କା ଆବଶ୍ୟକ ହେଉଥିବା ହେତୁ ଅଭାବୀ ବିକ୍ରିର ସମ୍ମୁଖୀନ ହେଲେଣି। ଏ ପରିପ୍ରେକ୍ଷୀରେ କୃଷକ ସଂଗଠନର କର୍ମକର୍ତ୍ତା ଆଜି ଜିଲାପାଳଙ୍କୁ ଭେଟି ଆନ୍ଦୋଳନ ଚେତାବନୀ ଦେଇଛନ୍ତି।
ଧାନ କିଣା ପ୍ରକ୍ରିୟାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ସମବାୟ କର୍ମଚାରୀମାନେ ଗତ ୧୯ଦିନ ହେଲା ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଜାରି ରଖିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ନିୟନ୍ତ୍ରିତ ବଜାର କମିଟି(ଆରଏମସି), ଗ୍ରାମ ପଞ୍ଚାୟତ ଅଧିକାରୀ(ଜିପି ଇଓ) ଏବଂ ସ୍ବୟଂ ସହାୟିକା ଗୋଷ୍ଠୀ ସମୂହକୁ ନେଇ ଧାନକିଣା ଆରମ୍ଭ କରିବାକୁ ପ୍ରଚେଷ୍ଟା କରାଯାଇଥିଲେ ହେଁ ତାହା ସଫଳ ହୋଇନାହିଁ।

Spread the love