July 27, 2024

Satya News

odia news channel

ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ହେ‌ବେ ପୂର୍ବତନ ପ୍ରଧାନ ବିଚାରପତି ଗୁଲଜାର ଅହମ୍ମଦ

 

ଇସଲାମାବାଦ: ପାକିସ୍ତାନରେ ଚାଲିଥିବା ରାଜନୈତିକ କନ୍ଦଳ ମଧ୍ୟରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବଡ଼ ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନର ପୂର୍ବତନ ପ୍ରଧାନ ବିଚାରପତି ଗୁଲଜାର ଅହମ୍ମଦଙ୍କୁ କାମଚଳା ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରିଛନ୍ତି ଇମ୍ରାନ ଖାନ । ଫୱାଦ ଚୌଧୁରୀ ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି। ୨୦୧୯ରେ ଗୁଲଜାର ଅହମ୍ମଦ ପାକିସ୍ତାନର ପ୍ରଧାନ ବିଚାରପତି ହୋଇଥିଲେ। ଫୱାଦ ଚୌଧୁରୀ ଟ୍ୱିଟ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପାକିସ୍ତାନର ପୂର୍ବତନ ପ୍ରଧାନ ବିଚାରପତି ଗୁଲଜାର ଅହମ୍ମଦଙ୍କୁ କାମଚଳା ପ୍ରଧାନମନ୍ତ୍ରୀ ଭାବରେ ମନୋନୀତ କରିଛନ୍ତି।

ଏହାପୂର୍ବରୁ ରାଷ୍ଟ୍ରପତି ଆରିଫ ଅଲଭି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ସଂସଦରେ ବିରୋଧୀ ଦଳର ନେତା ଶାହବାଜ ସରିଫଙ୍କୁ ଚିଠି ଲେଖି ଧାରା ୨୨୪-ଏ (୧) ଅନୁଯାୟୀ କାମଚଳା ପ୍ରଧାନମନ୍ତ୍ରୀଙ୍କ ନାଁ ଦେବାକୁ କହିଥିଲେ। ରାଷ୍ଟ୍ରପତି ତାଙ୍କ ଚିଠିରେ କହିଥିଲେ ଯେ କାମଚଳା ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ପର୍ଯ୍ୟନ୍ତ ଇମ୍ରାନ ଖାନ ପାକ୍ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ବ ତୁଲାଇବେ।

ଜଷ୍ଟିସ ଗୁଲଜାର ଅହମ୍ମଦ ପାକିସ୍ତାନର ୨୭ତମ ପ୍ରଧାନ ବିଚାରପତି ଥିଲେ। ସେ ଡିସେମ୍ବର ୨୧, ୨୦୧୯ରେ ପାକିସ୍ତାନର ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଥିଲେ। ଫେବ୍ରୁଆରି ୨୦୨୨ପର୍ଯ୍ୟନ୍ତ ଗୁଲଜାର ଅହମ୍ମଦ ପାକିସ୍ତାନର ପ୍ରଧାନ ବିଚାରପତି ଭାବରେ କାର୍ଯ୍ୟ କରିଥିଲେ।

ତେବେ ଗୁଲଜାର ଅହମ୍ମଦଙ୍କୁ କାମଚଳା ପ୍ରଧାନମନ୍ତ୍ରୀ କରାଯିବା ପୂର୍ବରୁ ଇମ୍ରାନ ଖାନ ରାଷ୍ଟ୍ରପତିଙ୍କ ପାଖକୁ କାମଚଳା ପ୍ରଧାନମନ୍ତ୍ରୀ ପାଇଁ ଦୁଇଟି ନାଁ ପଠାଇଥିଲେ। ସେଥିମଧ୍ୟରୁ ଅବସରପ୍ରାପ୍ତ ଜଷ୍ଟିସ ଅଜମତ ସଇଦ ଏବଂ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ହାରୁନ ଅସଲମଙ୍କ ନାଁ ଥିବାବେଳେ ପାକିସ୍ତାନ ମୁସଲିମ ଲିଗ (ନୱାଜ) ନେତା ଶାହବାଜ ସରିଫ ରାଷ୍ଟ୍ରପତିଙ୍କୁ ନାଁ ଦେବାକୁ ମନା କରି ଦେଇଥିଲେ। ଏବେ ଅନେକ ଆଲୋଚନା ପରେ ଗୁଲଜାର ଅହମ୍ମଦଙ୍କୁ କାମଚଳା ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରାଯାଇଛି।

Spread the love