July 27, 2024

Satya News

odia news channel

ବିପଜ୍ଜନକ ସ୍ଥିତିରେ ମହାକାଶ କେନ୍ଦ୍ର

 

ମସ୍କୋ : ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ନେଇ ରୁଷ ଯାହା କହିଛି, ତାହା ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି। ମହାକାଶ କେନ୍ଦ୍ର ସମ୍ପ୍ରତି ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି ଏବଂ ସେଠାରେ ଥିବା ଗବେଷକଙ୍କ ଜୀବନ ଅସୁରକ୍ଷିତ ବୋଲି ରୁଷ ମତ ଦେଇଛି। ୟୁକ୍ରେନ ଯୁଦ୍ଧକୁ ନେଇ ଆମେରିକା ସହିତ ଶତ୍ରୁତା ବୃଦ୍ଧିପାଇବା ପରେ ରୁଷ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରୁ ଓହରି ଯିବାକୁ ପ୍ରାୟ ମାସକ ତଳେ ଘୋଷଣା କରିଥିଲା। ଏବେ ରୁଷ ମହାକାଶ ସଂସ୍ଥା ରସ୍‍କସମସ୍‍ ମୁଖ୍ୟ ୟୁରି ବୋରିସୋଭ କହିଛନ୍ତି ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଏକାଧିକ ଉପକରଣ ଅଚଳ ହୋଇପଡ଼ିଛି ଏବଂ ଏହାର ଯନ୍ତ୍ରାଂଶ ବହୁ ପୁରାତନ ହେଲାଣି। ଫଳରେ ଏହି ଉଡନ୍ତା ଗବେଷଣାକେନ୍ଦ୍ରରେ ଥିବା ଗବେଷକ, ବୈଜ୍ଞାନିକଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି।
ସୂଚନାଯୋଗ୍ୟ ଯେ ୟୁକ୍ରେନ ଯୁଦ୍ଧ ପରେ ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ରଗୁଡିକ ରୁଷ୍‍ ବିରୋଧରେ ଏକାଧିକ କଟକଣା ଲଗାଇବା ପରେ ରୁଷ ତାହାର ନିଜସ୍ୱ ଏକ ଉଡନ୍ତା ମହାକାଶ କେନ୍ଦ୍ର ସ୍ଥାପନ ସକାଶେ ଘୋଷଣା କରିଥିଲା। ୨୦୨୪ ପରବର୍ତ୍ତୀ କୌଣସି ସମୟରେ ଏହା ନୂଆ ମହାକାଶ କେନ୍ଦ୍ର ସ୍ଥାପନ କରିବ। ତେବେ ତାହା ପୂର୍ବରୁ ବର୍ତ୍ତମାନ ମହାକାଶରେ ଥିବା ଗବେଷଣା କେନ୍ଦ୍ରରେ ଉଭୟ ରୁଷ ଓ ଆମେରିକୀୟଙ୍କ ସମେତ ଅନ୍ୟ ରାଷ୍ଟ୍ରର ବୈଜ୍ଞାନିକ ଓ ଗବେଷକ ରହି ଗବେଷଣା ଜାରି ରଖିଛନ୍ତି। ଅନ୍ୟପକ୍ଷରେ ବୈଷୟିକ ଦୃଷ୍ଟିକୋଣରୁ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର (ଆଇଏସଏସ୍‍) ତାହାର ସମସ୍ତ ୱାରାଣ୍ଟି ଅବଧି ଟପିସାରିଛି। ଫଳରେ ଏହା ବିପଜ୍ଜନକ ପରିସ୍ଥିତିରେ ପହଞ୍ଚିଛି। ଏହାର ଏକାଧିକ ଯନ୍ତ୍ରାଂଶ ଅକାମି ହୋଇପଡ଼ିବା ସହିତ ମହାକାଶ କେନ୍ଦ୍ରରେ ଫାଟ ଦେଖିବାକୁ ମିଳିଛି। ରୁଷ ସେଠାରୁ ନିଜ ବୈଜ୍ଞାନିକ ଓ ଗବେଷକଙ୍କୁ ଫେରାଇ ଆଣି ନୂତନ ମହାକାଶ କେନ୍ଦ୍ରରେ ନିୟୋଜିତ କରିବ। ଏହି ନୂଆ ମହାକାଶ କେନ୍ଦ୍ର ପୃଥିବୀ ଉପରିସ୍ଥ କକ୍ଷପଥରେ ମେରୁ ଅଞ୍ଚଳକୁ ପ୍ରଦକ୍ଷିଣ କରିବ। ଫଳରେ ଏହା ମହାକାଶରୁ ହେଉଥିବା ବିକିରଣ ସମ୍ପର୍କିତ ତଥ୍ୟ ସଂଗ୍ରହ ସହିତ ରୁଷର ବିଶାଳ ଭୂଭାଗର ଅଧିକରୁ ଅଧିକ ଅଞ୍ଚଳ ଉପରେ ନଜର ରଖିପାରିବ। ଏହା ଚୀନ ସମେତ ରୁଷ୍‍ର ବନ୍ଧୁ ରାଷ୍ଟ୍ରଗୁଡିକ ନିମନ୍ତେ ଉନ୍ମୁକ୍ତ ରହିବ ବୋଲି ବୋରିସୋଭ କହିଛନ୍ତି। ଇତିମଧ୍ୟରେ ଚୀନ ତାହାର ନିଜସ୍ୱ ମହାକାଶ କେନ୍ଦ୍ର ନିର୍ମାଣ ପ୍ରକ୍ରିୟା ଜାରି ରଖିଛି ଏବଂ ଏହା ଆଗାମୀ କିଛିମାସ ମଧ୍ୟରେ ସମ୍ପୂର୍ଣ୍ଣ ହୋଇଯିବ।

Spread the love