July 12, 2025

ରାହୁଲ ଗାନ୍ଧୀଙ୍କ କଦର୍ଥ ଭିଡିଓ: ନ୍ୟୁଜ୍‌ ଆଙ୍କରଙ୍କୁ ନେଇ ୨ ରାଜ୍ୟର ପୁଲିସ୍‌ ମୁହାଁମୁହିଁ

 

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ଟିପ୍ପଣୀକୁ କଦର୍ଥ କରି ଏହାକୁ ଉଦୟପୁର ହିଂସା ଘଟଣା ସହ ଯୋଡ଼ିଥିବାରୁ ‘ଜି ନ୍ୟୁଜ୍’ ଆଙ୍କରଙ୍କ ବିରୋଧରେ କଂଗ୍ରେସ ମାମଲା ରୁଜୁ କରିବା ପରେ ମଙ୍ଗଳବାର ଉକ୍ତ ଆଙ୍କର ରୋହିତ ରଞ୍ଜନଙ୍କୁ ନେଇ ଦୁଇ ରାଜ୍ୟର ପୁଲିସ୍‌ ମୁହାଁମୁହିଁ ହୋଇଛନ୍ତି। ରୋହିତଙ୍କୁ ଗିରଫ କରିବାକୁ ଛତିଶଗଡ଼ ପୁଲିସ୍‌‌ ଆସି ତାଙ୍କ ଘର ସାମ୍ନାରେ ପହଞ୍ଚିବା ପରେ ତାଙ୍କୁ ଗିରଫ କରିବାକୁ ନଦେଇ ହେପାଜତରେ ନେଇଛି ଗାଜିଆବାଦ୍‌ ପୁଲିସ୍‌।

ଛତିଶଗଡ଼ ପୁଲିସ୍‌ ରୋହିତଙ୍କୁ ଗିରଫ କରିବାକୁ ତାଙ୍କ ଘର ସମ୍ମୁଖରେ ପହଞ୍ଚିବା ପରେ ରୋହିତ ରଞ୍ଜନ ଆଜି ସକାଳୁ ଏକ ଟ୍ବିଟ୍‌ କରି ଲେଖିଥିଲେ ଯେ ‘ସ୍ଥାନୀୟ ପୁଲିସ୍‌କୁ କୌଣସି ସୂଚନା ନଦେଇ ଛତିଶଗଡ଼ ପୁଲିସ୍‌‌ ମୋତେ ଗିରଫ କରିବାକୁ ମୋ ଘର ବାହାରେ ଛିଡ଼ା‌ ହୋଇଛି। ଏହା କ’ଣ କାନୁନ ହିସାବରେ ଠିକ୍‌?’ ସେହି ଟ୍ବିଟ୍‌ରେ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାତ, ଏସ୍‌ଏସ୍‌ପି ଗାଜିଆବାଦ୍‌ ଓ ଏଡିଜି ଜୋନ୍‌ ଲ‌କ୍ଷ୍ନୌକୁ ଟ୍ୟାଗ୍‌ କରିଥିଲେ।

ଏହାର ଉତ୍ତରରେ ରାୟପୁର ପୁଲିସ୍‌ ରି-ଟ୍ବିଟ୍‌ କରି ଲେଖିଛି କି ‘ସୂଚନା ଦେବାର ସେପରି କୌଣସି ନିୟମ ନାହିଁ। ତଥାପି ବି ସୂଚନା ଦିଆଯାଇଛି। ଆପଣଙ୍କୁ ଗିରଫ କରିବାକୁ ପୁଲିସ୍‌ ଟିମ୍‌ କୋର୍ଟ ୱାରେଣ୍ଟ୍‌ ଦେଖାଇଛି। ଆପଣ ତଦନ୍ତରେ ସହଯୋଗ କରିବା ସହ କୋର୍ଟରେ ନିଜର ମତ ରଖନ୍ତୁ।’

Spread the love