October 23, 2024

Satya News

odia news channel

ଶନିବାର ୧୦୮ ପୌରାଞ୍ଚଳରେ ହେବ ଭୋଟ୍ ଗଣତି, ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

 

ଭୁବନେଶ୍ଵର, ୨୫/୦୩ : ଆସନ୍ତାକାଲି ପୌର ଭୋଟ୍ ଗଣତି। ଏଥିପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସରିଛି। ସକାଳ ୮ଟାରୁ ରାଜ୍ୟର ୧୦୮ ପୌରାଞ୍ଚଳରେ ଭୋଟ୍ ଗଣତି ହେବ। ଧାମନଗର ଏନଏସିର ୬ ନମ୍ଵର ୱାର୍ଡରେ ପୁନଃ ମତଦାନ ହେବାକୁ ଥିବାରୁ ସେଠାରେ ଭୋଟ୍ ଗଣତି ହେବ ନାହିଁ। ଏତଦ୍ ବ୍ୟତୀତ ୫୮ଟି ବିଜ୍ଞାପିତ ଅଞ୍ଚଳ, ୪୭ଟି ପୌର ପରିଷଦ, ଏବଂ ୩ଟି ମହାନଗର ନିଗମରେ ଭୋଟ ଗଣତି ହେବ। ପ୍ରତି ବିଜ୍ଞାପିତ ପରିଷଦରେ ଗଣତି କେନ୍ଦ୍ରରେ ୨ଟି ଟେବୁଲ, ପୌର ପରିଷଦରେ ୫ଟି ଟେବୁଲ ଏବଂ ମହାନଗର ନିଗମରେ ୧୨ଟି ଟେବୁଲରେ ଭୋଟ ଗଣତି ହେବ । ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ସଚିବ ରବୀନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି।

କାଉନସିଲର ଓ କର୍ପୋରେଟରଙ୍କ ପାଇଁ ଯେତିକି ଟେବୁଲର ବ୍ୟବସ୍ଥା ହୋଇଛି ସେହି ସ୍ଥାନରେ ସେତିକି ଟେବୁଲରେ ପୌରଧ୍ୟକ୍ଷ ଓ ମେୟରଙ୍କ ପାଇଁ ଭୋଟ ଗଣତି ହେବ । ପ୍ରତି ଗଣତି କେନ୍ଦ୍ରରେ ସିସିଟିଭି ଓ ଭିଡ଼ିଓଗ୍ରାଫି ବ୍ୟବସ୍ଥା ସହ ଗଣତି କେନ୍ଦ୍ର ଭିତରେ ଓ ବାହାରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଇଭିଏମ ଗଣତି ପୂର୍ବରୁ ପୋଷ୍ଟାଲ ଗଣତି ହେବ। ପ୍ରତି ୱାର୍ଡର ଗଣତି ପରେ ଫଳାଫଳ ଘୋଷଣା ହେବ । ସେହିପରି ମେୟର ଓ ପୌରଧ୍ୟକ୍ଷଙ୍କ ପ୍ରତ୍ୟେକ ରାଉଣ୍ଡ୍ ପରେ ଫଳାଫଳ ଘୋଷଣା । ପ୍ରତି ଟେବୁଲରେ ଜଣେ ଲେଖାଏଁ କାଉଁଟିଂ ସୁପରଭାଇଜର, ସହକାରୀ ସହ ଇଭିଏମ ନେବା ଆଣିବା ପାଇଁ କର୍ମଚାରୀ ନିୟୋଜିତ ହୋଇଛନ୍ତି।

Spread the love