May 18, 2024

Satya News

odia news channel

କ୍ୟାମେରାମ୍ୟାନ୍‌ ହତ୍ୟା ଘଟଣା; ୩ଦିନ ପୂର୍ବରୁ ଅପହରଣର ଷଡଯନ୍ତ୍ର !

 

ଭୁବନେଶ୍ବର: ଖୋଲୁଛି କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ହତ୍ୟାକାଣ୍ଡର ଗୁମର। ଗୋଟିଏ ପରେ ଗୋଟିଏ ସତ ଉଗାଳିବା ଆରମ୍ଭ କରି ଦେଇଛନ୍ତି ଅଭିଯୁକ୍ତ। ମାନସକୁ ଅପହରଣ କରିବା ପାଇଁ ଘଟଣାର ୩ ଦିନ ପୂର୍ବରୁ ରଚାଯାଇଥିଲା ଷଡଯନ୍ତ୍ର। ତା ଠାରୁ ଚିପ୍‌ ହାସଲ କରିବା ଓ ତାର ମୁହଁ ବନ୍ଦ ରଖିବା ଥିଲା ମୁଖ୍ୟ ଲକ୍ଷ୍ୟ। ମାନସକୁ ଚାନ୍ଦବାଲିରୁ ଅପହରଣ କରାଯାଇ ଭୁବନେଶ୍ବର ଅଣାଯାଇଥିଲା। ରାସ୍ତାରେ ଗାଡି ଭିତରେ ତାକୁ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୁକ୍ତଙ୍କଠାରୁ କ୍ରାଇମ୍‌ବ୍ରାଞ୍ଚ ଜାଣିବାକୁ ପାଇଛି। ତେବେ ତାକୁ କେଉଁଠି ଓ କିପରି ଭାବେ ହତ୍ୟା କରାଯାଇଥିଲା ଓ ନୟାଗଡର ପାହାଡ ପାର୍ଶ୍ବରେ ପୋତାଗଲା ଏହା ଜାଣିବା ପାଇଁ ଜେରା ଜାରି ରଖିଛି କ୍ରାଇମବ୍ରାଞ୍ଚ । ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦେଶକ ନିରଞ୍ଜନ ସେଠୀ ଓ ୱେବ୍‌ ଚ୍ୟାନେଲ ମାଲିକାଣୀ ତଥା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ମଧ୍ୟରେ ​‌େ​‌କଉଁପ୍ରକାର ସମ୍ପର୍କ ରହିଥିଲା, ଯେଉଁଥିପାଇଁ ନିରଞ୍ଜନ ଶର୍ମିଷ୍ଠାଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଉଥିଲା ଏହାର ରହସ୍ୟ ଉନ୍ମୋଚନ କରିବା ଲାଗି କ୍ରାଇମବ୍ରାଞ୍ଚ ଉଦ୍ୟମ ଚଳାଇଛି।

ଅନ୍ୟପକ୍ଷେ ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାବେଳେ ଏଥିରେ ରାଜନେତା, ସାମ୍ବାଦିକ, ଅବସରପ୍ରାପ୍ତ ପ୍ରଶାସକ ଓ ବିଭିନ୍ନ ବର୍ଗର ବ୍ୟକ୍ତି ସମ୍ପୃକ୍ତ ଥିବାରୁ ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ ଲାଗି ଅପରାଧ ନିୟନ୍ତ୍ରଣ ଶାଖା ୧୬ରୁ ଅଧିକ ସଦସ୍ୟଙ୍କୁ ନେଇ ୪ଟି ଦଳ ଗଠନ କରିଛି। ଅପରାଧ ନିୟନ୍ତ୍ରଣ ଶାଖା ଏକ ସ୍ବତନ୍ତ୍ର ତଦନ୍ତକାରୀ ଶାଖା ହୋଇଥିବାରୁ ଏହାର ତଦନ୍ତ ପ୍ରକ୍ରିୟା ଭିନ୍ନ ବୋଲି କ୍ରାଇମବ୍ରାଞ୍ଚର ବରିଷ୍ଠ ଅଧିକାରୀ କହିଛନ୍ତି।

ମଙ୍ଗଳବାର କ୍ରାଇମବ୍ରାଞ୍ଚ ୪ଜଣ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ସହଯୋଗୀ ଝୁନା ଭୋଇ, ମୋବାଇଲ ଦୋକାନ ମାଲିକ ରାଜ ଓରଫ ରଞ୍ଜନ ନାୟକ ଓ ନିରଞ୍ଜନ ସେଠୀଙ୍କୁ ୫ଦିନିଆ ଜିମାରେ ଆଣି ଜେରା ଆରମ୍ଭ କରିଛି। ଜେରାର ପ୍ରଥମ ଦିନରେ ସମସ୍ତ ଅଭିଯୁକ୍ତଙ୍କୁ ଅଲଗା ଅଲଗା ପଚରା ଉଚରା କରାଯାଇଥିଲା। ୪ଟି ଟିମ୍‌ ଗଠନ କରାଯାଇ ସମସ୍ତଙ୍କୁ ସ୍ବତନ୍ତ୍ର କକ୍ଷରେ ମାରାଥନ ଜେରା କରିଥିଲେ। ପ୍ରାୟ ୭ଘଣ୍ଟା ଧରି ଜେରା କରାଯାଇଥିବା ଜଣାପଡିଛି। କ୍ରାଇମ୍‌ବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା, ଓ କ୍ରାଇମବ୍ରାଞ୍ଚ ଆଇଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଜେରା କରାଯାଇଥିଲା। ଶର୍ମିଷ୍ଠାଙ୍କୁ ଜେରା କରିବା ପୂର୍ବରୁ ସେ କାନ୍ଦିବା ସହ ତଦନ୍ତରେ ପୂରା ସହଯୋଗ କରିବେ ବୋଲି କହିଥିଲେ। ମାତ୍ର କ୍ରାଇମବ୍ରାଞ୍ଚ ଦଳ ପ୍ରଶ୍ନ ପଚାରିବା ଆରମ୍ଭ କରିବା ପରେ ସେ ନିରବତା ଅବଲମ୍ବନ କରିଥିଲେ। ଅଳ୍ପ କେତୋଟି ପ୍ରଶ୍ନର ସେ ଉତ୍ତର ରଖିଥିଲେ ମଧ୍ୟ ତାହା କ୍ରାଇମବ୍ରାଞ୍ଚ ପାଇଁ ସନ୍ତୋଷଜନକ ହୋଇନଥିଲା।

ହେଲେ ମାନସଙ୍କଠାରୁ ମେମୋରି ଚିପ୍‌ ହାସଲ କରିବା ଲାଗି ଶର୍ମିଷ୍ଠା ରାତିରେ ଭଲ ଭାବେ ଶୋଇ ପାରୁ ନଥିଲେ। ମାନସ ଚାନ୍ଦବାଲିକୁ ବିବାହ କାଯ୍ୟକ୍ରମରେ ଫଟୋ ଉଠାଇବା ଲାଗି ଯାଉଥିବା ଜାଣିବା ପରେ ରଚାଯାଇଥିଲା ଷଡଯନ୍ତ୍ର। ତାକୁ ବିବାହ କାର୍ଯ୍ୟକ୍ରମରୁ ଉଠାଇ ଆଣିବାକୁ ହୋଇଥିଲା ଯୋଜନା। ଯୋଜନାରେ ସଫଳ ହେବା ପରେ ଉକ୍ତ ମୋମୋରି ଚିପ୍‌ ଶର୍ମିଷ୍ଠା ହାସଲ କରି ନେଇଥିଲେ। ଚିପ୍‌ କୁ ସେ ରଖିଛନ୍ତି ନା ସମସ୍ତ ତଥ୍ୟ ନଷ୍ଟ କରିଦେଇଛନ୍ତି ତାହା ଏବେ ସନ୍ଦେହ ଘେରରେ ରହିଛି। ହେଲେ ଉକ୍ତ ଚିପ୍‌ରେ କ’ଣ ଥିଲା ଯାହା ଶର୍ମିଷ୍ଠା ଓ ନିରଞ୍ଜନକୁ ବିଚଳିତ କରିଥିଲା। ସେମାନେ ଏତେ ବଡ ପଦକ୍ଷେପ ନେବା ପାଇଁ ବାଧ୍ୟ ହୋଇଥିଲେ ଏହା ଏବେ ବଡ ରହସ୍ୟ ହୋଇ ରହିଛି। ଅନ୍ୟପକ୍ଷେ ଝୁନା, ରାଜ ଓ ନିରଞ୍ଜନଙ୍କୁ ଜେରା ବେଳେ ମଧ୍ୟ ବହୁ ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିଛି। ଏହି ଘଟଣାରେ ଆଉ ୩ଜଣଙ୍କ ନୂଆ ନାଁ ସାମ୍ନାକୁ ଆସିଛି। ତନ୍ମଧ୍ୟରେ ଭୁବନେଶ୍ବରରେ ଥିବା ଏକ ଆଶ୍ରମର ଜଣେ ବ୍ୟକ୍ତିଙ୍କ ନାଁ ଚର୍ଚ୍ଚାରେ ରହିଛି। ତାଙ୍କର ଏହି ଅପରାଧରରେ ସମ୍ପୃକ୍ତି ରହିଛି କି ନା କ୍ରାଇମବ୍ରାଞ୍ଚ ଏହାର ଯାଞ୍ଚ ଚଳାଇଛି। ଅଭିଯୁକ୍ତମାନଙ୍କୁ ଅଧିକ ଜେରା କରିବା ପରେ ବହୁ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବ। ପୂରା ଘଟଣାର ସତ୍ୟତା ଉନ୍ମୋଚନ ହୋଇପାରିବ ବୋଲି କ୍ରାଇମବ୍ରାଞ୍ଚ ଲକ୍ଷ୍ୟ ରଖିଛି।

ପ୍ରକାଶ ଥାଉକି, ଅଭିଯୁକ୍ତ ଶର୍ମିଷ୍ଠା ସଂପୂର୍ଣ୍ଣା ନାମକ ଏକ ୱେବ ଚାନେଲ ଖୋଲିଥିଲେ। ସେଠାରେ ମାନସ ସ୍ୱାଇଁ କ୍ୟାମେରାମ୍ୟାନ ଭାବେ କାମ କରୁଥିଲେ। ମେମୋରି ଚିପ୍‌କୁ ନେଇ ବିବାଦ ହେବାରୁ ମାନସ ଚାକିରି ଛାଡି ଦେଇଥିଲେ। ମାନସଙ୍କୁ ଫେବୃଆରୀ ୭ରେ ଚାନ୍ଦବାଲି ଥାନା ମତୋ ଫାଣ୍ଡି ଅଧୀନ ପଳାଶପୁର ଛକ ନିକଟରୁ ଅପହରଣ କରାଯାଇଥିଲା। ଫେବୃଆରୀ ୧୪ରେ ମାନସଙ୍କ ପରିବାର ଚାନ୍ଦବାଲି ଥାନାରେ ଏତଲା ଦେଇଥିଲେ। ଅପହରଣର ମାସକ ପରେ ମାନସଙ୍କ ମୃତଦେହ ନୟାଗଡ଼ର ଏକ ପାହାଡ ତଳୁ ଉଦ୍ଧାର ହୋଇଥିଲା। ମାନସଙ୍କ ଅପହରଣ ଓ ହତ୍ୟା ପଛରେ ଶର୍ମିଷ୍ଠାଙ୍କ ହାତ ରହିଥିବା ତାଙ୍କ ପରିବାର ଲୋକେ ଚାନ୍ଦବାଲି ଥାନାରେ ଅଭିଯୋଗ କରିଥିଲେ। ଚାନ୍ଦବାଲି ପୁଲିସ ଏହି ମାମଲାର ତଦନ୍ତ କରି ପ୍ରଥମେ ୩ ଅଭିଯୁକ୍ତ ଭାଗ୍ୟଧର ନାୟକ, ବିବେକ ନାୟକ, କୃଷ୍ଣଚନ୍ଦ୍ର ନାୟକଙ୍କୁ ଗିରଫ କରିଥିଲା। ସେମାନଙ୍କୁ ଜେରା ପ​‌େ​ର ମାନସଙ୍କୁ ଯୋଜନାବଦ୍ଧ ଭାବେ ଅପହରଣ କରାଯାଇ ହତ୍ୟା କରାଯାଇଥିବା ପୁଲିସ ସ୍ପଷ୍ଟ ହୋଇଥିଲା।

ଏହି ହତ୍ୟା ଘଟଣାରେ ପୂର୍ବତନ ବରିଷ୍ଠ ପ୍ରଶାସକ ନିରଞ୍ଜନ ସେଠୀ ଓ ରାଜ କମ୍ୟୁନିକେସନର ମାଲିକ ରଞ୍ଜନ ନାୟକ ଓ ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱରଙ୍କୁ ବିଜୟୱାଡାରୁ ଗିରଫ କରିଥିଲା। ହେଲେ ଶର୍ମିଷ୍ଠା ଗିରଫ ଭୟରେ ଫେରାର ହୋଇଯାଇଥିଲେ। ମାମଲାର ଗୁରୁତ୍ବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗତ ୨୩ ତାରିଖରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦେଶ ଦେଇଥିଲେ। ରବିବାର ଭଦ୍ରକରୁ କ୍ରାଇମବ୍ରାଞ୍ଚ ଟିମ୍‌ ଶର୍ମିଷ୍ଠା ଓ ତାର ସହଯୋଗୀ ଝୁନାକୁ ଗିରଫ କରିଥିଲା। ତନ୍ମଧ୍ୟରୁ କ୍ରାଇମବ୍ରାଞ୍ଚ ୪ଜଣ ଅଭିଯୁକ୍ତଙ୍କୁ ୫ ଦିନିଆ ଜିମାରେ ଆଣି ଜେରା ଜାରି ରଖିଛି।

Spread the love