May 17, 2024

Satya News

odia news channel

ବିଧାନସଭା ଷ୍ଟାଣ୍ଡି କମିଟିର ବୌଦ୍ଧ ଗସ୍ତ

 

ବୌଦ୍ଧ: ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟିର ତିନି ଜଣିଆଁ ପ୍ରତିନିଧି ମଣ୍ଡଳୀ କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ବିଧାୟକ ନରସିଂହ ମିଶ୍ରଙ୍କ ନେତୃତ୍ୱରେ ବୁଧବାର ପୂର୍ବାହ୍ନରେ ବୌଦ୍ଧରେ ପହଞ୍ଚିଥିଲେ। କମିଟି ପ୍ରଥମେ ବୌଦ୍ଧ ସର୍କିଟ ହାଉସଠାରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସଂପୃକ୍ତ ବିଭାଗୀୟ କାର୍ଯ୍ୟକ୍ରମ ସଂପର୍କରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ସହିତ ଆଲୋଚନା କରିଥିଲେ। ପରେ କମିଟି ସଦସ୍ୟମାନଙ୍କ ସହିତ ବୌଦ୍ଧ ବିଧାୟକ ତଥା ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗଦେବାପରେ ବିଭାଗୀୟ ଅଧିକାରୀମାନଙ୍କ ସହିତ ସର୍କିଟ ହାଉସଠାରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲାରେ ଚାଷୀମାନଙ୍କ ପାଇଁ କାର୍ଯ୍ୟ କାରୀ ହେଉଥିବା ବିଭିନ୍ନ ଯୋଜନା, ବୀମା ସୁବିଧା, ଧାନକ୍ରୟ ବ୍ୟବସ୍ଥା, ଚାଷୀଙ୍କୁ ଋଣ ପ୍ରଦାନ ବ୍ୟବସ୍ଥା, ପଂଜିକରଣରୁ ବାଦ ପଡ଼ିଥିବା ଚାଷୀମାନଙ୍କ ସମସ୍ୟା ସଂପର୍କରେ ଅଧିକାରୀମାନଙ୍କ ଠାରୁ ବିଭିନ୍ନ ତଥ୍ୟ ସଂଗ୍ରହ କରାଯାଇଥିଲା।

ସେହିପରି ଜିଲ୍ଲାରେ ବୁଣାକାରମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭାଗୀୟ ଯୋଜନା,ତନ୍ତଶାଳା ପାଇଁ ସରକାରୀ ସହାୟତା,ବୁଣାକାର ସମବାୟ ସମିତିମାନଙ୍କୁ ଆର୍ଥିକ ସହାୟତା,ବୁଣାକାରଙ୍କୁ ଇନଭର୍ଟର ପ୍ରଦାନ ଆଦି ସଂପର୍କରେ ଆଲୋଚନା କରାଯାଇଥିଲା। ବୈଠକରେ କିମିଟିକୁ ପ୍ରଦାନ କରାଯାଇଥିବା ତଥ୍ୟକୁ ନେଇ କମିଟି ସନ୍ତୋଷ ପ୍ରକାଶ କରିଥିବାବେଳେ ଆଗାମୀ ଦିନରେ କମିଟି ସଦସ୍ୟମାନେ ଧାନମଣ୍ଡିରେ ପହଞ୍ଚି ବୈଠକରେ ଦିଆଯାଇଥିବା ତଥ୍ୟର ସତ୍ୟତା ସଂପର୍କରେ ଅନୁଧ୍ୟାନ କରିବେ ଏବଂ ଭୁଲ ତଥ୍ୟ ଦିଆଯାଇଥିଲେ ବିଧାନସଭାରେ ହୋଇଥିବା ନିଷ୍ପତି ଅନୁଯାୟୀ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯିବ ବୋଲି କମିଟି ଅଧ୍ୟକ୍ଷ ଶ୍ରୀମିଶ୍ର ସତର୍କ କରାଇଦେଇଥିଲେ। ସେହିପରି ମନ୍ତ୍ରୀ ଶ୍ରୀଅମାତ ସମବାୟ ବ୍ୟାଙ୍କ ପକ୍ଷରୁ ଚାଷୀମାନଙ୍କୁ ଯୋଗାଇଦିଆଯାଉଥିବା ଋଣ ଓ ବୀମା ସୁବିଧା ସଂପର୍କରେ ବିଭାଗୀୟ ଅଧିକାରୀଙ୍କୁ ପଚାରି ବୁଝିବା ସହିତ ଚାଷୀମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯେଗାଇଦେବାକୁ ପରାମର୍ଶ ଦେଇଥିଲେ। ସେହିପରି ବାଉଁଶରେ ବିଭିନ୍ନ ସାମଗ୍ରୀ ତିଆରି କରି ଏବଂ ଏହାକୁ କୌଳିକ ବୃତ୍ତି କରି ପରିବାର ପ୍ରତିପୋଷଣ କରୁଥିବା ବେତେରା ସଂପ୍ରଦାୟ ବର୍ତମାନ ଜୀବନ ଜିବିକା ପାଇଁ ସଂଘର୍ଷ କରୁଥିବା ନେଇ ବୈଠକରେ ଉଦବେଗ ପ୍ରକାଶ କରାଯାଇଥିଲା। ଜିଲାର ତିନୋଟି ବ୍ଲକରେ ବିଭିନ୍ନ ଗ୍ରାମରେ ଏହି ସଂପ୍ରଦାୟର ଲୋକମାନେ ରହୁଥିବାବେଳେ ସେମାନଙ୍କୁ କିଭଳି ସୁବିଧା ସୁଯୋଗ ଯୋଗାଇ ଦିଆଯିବ ଶ୍ରୀଅମାତ ଗରୁତ୍ୱାରୋପ କରିଥିଲେ।

କମିଟିର ଅନ୍ୟତମ ସଦସ୍ୟ କଣ୍ଟାମାଳ ବିଧାୟକ ମହୀଧର ରଣା, ଲାଞ୍ଜିଗଡ଼ ବିଧାୟକ ପ୍ରଦିପ କୁମାର ଦିଶିରୀ ଅଧିକାରୀମାନଙ୍କ ଠାରୁ କାର୍ଯ୍ୟକାରୀ ଯୋଜନା ସଂପର୍କରେ ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ। ବିଧାୟକ ଶ୍ରୀରଣା ଧାନବିକ୍ରୟ ପାଇଁ ପଂଜିକରଣ କରୁଥିବା ଚାଷୀମାନେ ଯେପରି ପରେ ତାଲିକାରୁ ବାଦ ପଡ଼ିବେନାହିଁ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ବୈଠକରେ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ କମିଟି ଅଧ୍ୟକ୍ଷ ,ସଦସ୍ୟ ଓ ମନ୍ତ୍ରୀଙ୍କୁ ଉପଢୌକନ ସହ ବୁଦ୍ଧମୂର୍ତ୍ତି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ବୈଠକରେ ଜିଲ୍ଲାପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରାଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ବୈଠକ ପରେ କମିଟି ସଦସ୍ୟ ଓ ମନ୍ତ୍ରୀ ଶ୍ରୀଅମାତ ବୌଦ୍ଧ ଏନଏସି ଅନ୍ତର୍ଗତ ୧୦ ନମ୍ବର ୱାର୍ଡର ବାପୁଜୀନଗରରେ ରହୁଥିବା ବେତେରା ସଂପ୍ରଦାୟଙ୍କ ବସ୍ତିକୁ ଯାଇ ସେମାନଙ୍କ ସମସ୍ୟା ସଂପର୍କରେ ପଚାରିବୁଝିବା ସହିତ ତାହାର ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ। କୌଳିକ ବୃତ୍ତି କରି ପରିବାର ପ୍ରତିପୋଷଣ କରୁଥିବା ବେତେରା ସଂପ୍ରଦାୟଙ୍କୁ ଉଚିତ ମୂଲ୍ୟରେ ବାଉଁଶ ଯୋଗାଇ ଦିଆଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀଅମାତ ପ୍ରତିଶୃତି ଦେବାସହିତ ସେମାନଙ୍କୁ ଉପଯୁକ୍ତ ତାଲିମ ବ୍ୟବସ୍ଥା କରାଇବାକୁ କମିଟି ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

Spread the love