April 29, 2024

Satya News

odia news channel

ସାରା ଜୀବନ ଜେଲରେ ସଢ଼ିବେ ସେନଗର

ଉନ୍ନାଓ ମାମଲାରେ ଆଜୀବନ ଜେଲ
ଉନ୍ନାଓ ବଳାତ୍କାର ମାମଲାରେ ବିଜେପିର ବହିଷ୍କୃତ ବିଧାୟକ କୁଲଦୀପ ସେନଗରଙ୍କୁ ଦିଲ୍ଲୀ ତିସ୍ ହଜାରି କୋର୍ଟ ଶୁକ୍ରବାର ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଜିଲା ଜଜ୍ ଧର୍ମେଶ ଶର୍ମା ସୋମବାର ତାଙ୍କୁ ଏହି ବହୁ ଚର୍ଚ୍ଚିତ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ । ସେନଗରଙ୍କ ବିରୋଧରେ ବଳାତ୍କାର ଓ ଆପରାଧିକ ଷଡ଼ଯନ୍ତ୍ର ପ୍ରମାଣିତ ହୋଇଛି । ପ୍ରକାଶ ଯେ, ୨୦୧୭ରେ ଉନ୍ନାଓ ପୀଡ଼ିତା ନାବାଳିକା ଥିବାବେଳେ ସେନଗର ତାଙ୍କୁ ଅପହରଣ ପରେ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା । ୨୦୧୮ ଏପ୍ରିଲ ୩ରେ ପୀଡ଼ିତାଙ୍କ ବାପାଙ୍କୁ ଆକ୍ରମଣ କରାଯାଇଥିଲା । ପରେ ତାଙ୍କୁ ଆର୍ମସ ଆକ୍ଟରେ ଫସାଇ ଜେଲ ପଠାଇ ଦିଆଯାଇଥିଲା, ଯେଉଁଠି ସେ ଆଖି ବୁଜି ଦେଇଥିଲେ । ଏହି ମାମଲାକୁ ସୁପ୍ରିମକୋର୍ଟ ୟୁପିରୁ ଦିଲ୍ଲୀକୁ ସ୍ଥାନାନ୍ତର କରିଥିଲେ । ଜୁଲାଇ ୨୮ରେ ପୀଡ଼ିତାଙ୍କ କାରକୁ ଟ୍ରକ୍ ଧକ୍କା ଦେବା ଫଳରେ ସେ ଗୁରୁତର ହୋଇଥିଲେ । ଏହି ଦୁର୍ଘଟଣାରେ ତାଙ୍କର ମାଉସୀ ଓ ଖୁଡ଼ିଙ୍କ ଜୀବନ ଚାଲିଯାଇଥିଲା । ଏହା ତାଙ୍କୁ ହତ୍ୟା କରିବା ପାଇଁ ସେନଗରଙ୍କ ଖେଳ ବୋଲି ପୀଡ଼ିତା ଅଭିଯୋଗ କରିଥିଲେ ।

Spread the love