September 19, 2024

Satya News

odia news channel

୨୭୫କୋଟି ଟଙ୍କାର ବୃହତ୍‍ ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ

 

ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ କନ୍ଦରପୁରଠାରେ ଏକ ବୃହତ ପାନୀୟ ଜଳ ପ୍ରକଳ୍ପ ଲାଗି ଶୁକ୍ରବାର ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ୨୭୫କୋଟି ଟଙ୍କା ବ୍ୟୟରେ ୨ବର୍ଷ ମଧ୍ୟରେ ସଂପୃର୍ଣ୍ଣ ହେବାକୁ ଥିବା ଏହି ବୃହତ ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ଆଠଗଡର ୩୪, ତିଗିରିଆ ବ୍ଲକର ୧୪, ବାଙ୍କୀ ବ୍ଲକର ୭ଟି ଏବଂ ଟାଙ୍ଗିଚୌଦ୍ୱାର ବ୍ଲକର ଗୋଟିଏ ପଞ୍ଚାୟତକୁ ମିଶାଇ ମୋଟ ୫୬ଟି ପଞ୍ଚାୟତ ଅନ୍ତର୍ଗତ ୨୬୨ଗ୍ରାମର ୬୧ହଜାରରୁ ଉର୍ଦ୍ଧ ପରିବାର ଅର୍ଥାତ୍‍ ୪.୨୦ଲକ୍ଷ ଲୋକ ଉପକୃତ ହେବେ। କନ୍ଦରପୁରଠାରେ ମହାନଦୀ କୂଳରେ ଗଭୀର କୂପ ଖନନ ସାଙ୍ଗକୁ ଏକ ବୃହତ ବିଶୋଧନାଗାର ସ୍ଥାପନ କରାଯାଇ ଏହିଠାରୁ ସବୁ ଅଞ୍ଚଳକୁ ପାନୀୟଜଳ ଯୋଗାଇ ଦିଆଯିବ। ଏହି ବିଶୋଧନାଗାରରେ ପ୍ରତିଦିନ ୪୩ ନିୟୁତ ଲିଟର ଜଳ ବିଶୋଧିତ ହୋଇ ପାଇପ ଯୋଗେ ଗ୍ରାମକୁ ଓ ଲୋକମାନଙ୍କ ଘରକୁ ଯୋଗାଇ ଦିଆଯିବ। ଏଥିପାଇଁ ୫୬ଟି ପଞ୍ଚାୟତରେ ୫୬ଟି ସୁଉଚ୍ଚ ପାଣିଟାଙ୍କି ନିର୍ମାଣ କରାଯିବ ବୋଲି ଗ୍ରାମ୍ୟ ପାନୀୟଜଳ ଓ ପରିମଳ ବିଭାଗ ପକ୍ଷରୁ ସୂଚାଇ ଦିଆଯାଇଥିଲା।

ଏହି ଉପଲକ୍ଷେ ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ଦଳାଇଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟଅତିଥି ଭାବେ ବିଧାୟକ ତଥା ମନ୍ତ୍ରୀ ଶ୍ରୀ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାର ରାଜ୍ୟର ପ୍ରତ୍ୟେକ ଅଞ୍ଚଳବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ପ୍ରତିବଦ୍ଧ ବୋଲି କହିବା ସହ ଆଠଗଡର ଏହି ବୃହତ୍‍ ପାନୀୟ ଜଳ ପ୍ରକଳ୍ପ ତାର ଏକ ଜ୍ୱଳନ୍ତ ଉଦାହରଣ ବୋଲି ମତପ୍ରକାଶ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଗ୍ରାମ୍ୟ ପାନୀୟ ଜଳ ପରିମଳ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ କାଳୁଚରଣ ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅ୍ରୁଣ କୁମାର ଦାସ, ତହସିଲଦାର ପ୍ରିୟବ୍ରତ ଦାସ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ନୃସିଂହ ମହାପାତ୍ର, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ ଆଚାର୍ଯ୍ୟ, କନ୍ଦରପୁର ସରପଞ୍ଚ ପରମାନନ୍ଦ ବେହେରା, ସମିତି ସଭ୍ୟ ମାନସ ସାହୁ, ବେଣ୍ଟପଦା ସରପଞ୍ଚ କନକଲତା ସାହୁ, ସମିତି ସଭ୍ୟ ରଜନୀ ଓଝା ପ୍ରମୁଖ ଯୋଗଦେଇ ଉଦ୍‍ବୋଧନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ କନ୍ଦରପୁର ନିକଟବର୍ତ୍ତୀ ତଥା ବେଣ୍ଟପଦା ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଟୋକଳି ଆଦିବାସୀ ଗ୍ରାମର ୩୭ଟି ଆଦିବାସୀ ପରିବାରକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଜମିପଟ୍ଟା ବଣ୍ଟନ କରିଥିଲେ। ପରେ ପରେ ୧ନଂ ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ବଡଭୂଇଁ, ଜେନାପଦା, ଇଚ୍ଛାପୁର, ଖୁଣ୍ଟକଟା, ସମସରପୁର, ସଠିଲୋ, ଦୋରଡ, ଯୋରନ୍ଦା, ତରଡିଙ୍ଗ, ରାଧାଗୋବିନ୍ଦପୁର ଆଦି ୧୦ଟି ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଥିଲା। ସେହିପରି ଜେନାପଦା ପଞ୍ଚାୟତରେ ୪୦ଲକ୍ଷ ଟଙ୍କା ବ୍ୟୟରେ କଲ୍ୟାଣ ମଣ୍ଡପ ସହିତ ୨୪ଟି କୋଠଘର ମନ୍ତ୍ରୀଙ୍କ ଦ୍ୱାରା ଉଦ୍‍ଘାଟିତ ହୋଇଥିଲା। ଏହିସବୁ କାର୍ଯ୍ୟକ୍ରମରେ ଆତ୍ମା ଅଧ୍ୟକ୍ଷ ରବିନ୍ଦ୍ର ନାଥ ରାଉତ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁନିଲ ପରିଡାଙ୍କ ସମେତ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡସଭ୍ୟ ଯୋଗ ଦେଇଥିଲେ।

Spread the love