July 27, 2024

Satya News

odia news channel

ସଙ୍ଗେ ସଙ୍ଗେ ଭାଇରସକୁ ଚିହ୍ନି ପକାଇବ ଏହି ଡିଭାଇସ, ସଂକ୍ରମଣ ରୋକିବାରେ ହେବ ସହାୟକ

ସଙ୍ଗେ ସଙ୍ଗେ ଭାଇରସକୁ ଚିହ୍ନି ପକାଇବ ଏହି ଡିଭାଇସ,
ସଂକ୍ରମଣ ରୋକିବାରେ ହେବ ସହାୟକ
ଆଣ୍ଟି ଭାଇରସ ଡିଭାଇସ
“ଭାଇରସ ସଂକ୍ରମଣକୁ ଧରିବା ପାଇଁ ଅତିକମରେ ଦିନେ ସମୟ ଲାଗିଯାଇଥାଏ । କିନ୍ତୁ ଏହି ଡିଭାଇସ ସାହାଯ୍ୟରେ କିଛି ମିନିଟ ଭିତରେ ଭାଇରସକୁ ଚିହ୍ନଟ କରି ଜରୁରୀ ଚିକିତ୍ସା କରାଯାଇପାରେ ।’’

ଗବେଷକମାନେ ଏକ ଉପକରଣ ବିକଶିତ କରିଛନ୍ତି, ଯାହା ଭାଇରସର ବିଭିନ୍ନ ଉପଦ୍ରବର ବିକାଶ ଗତିକୁ ସଙ୍ଗେ ସଙ୍ଗେ ଧରିବାରେ ସକ୍ଷମ ଅଟେ । ଏହା ଏତେ ହାଲୁକା ଯେ ଏହାକୁ ହାତରେ ଧରି କେଉଁଠିକି ବି ନେବାଆଣିବା କରାଯାଇପାରେ । ଏହି ଡିଭାଇସ ସାହାଯ୍ୟରେ ଭାଇରସର ସଂକ୍ରମଣ ରୋକାଯାଇ ପାରିବ ବୋଲି ଗବେଷକଙ୍କ ବିଶ୍ୱାସ । ପେନ୍ ଷ୍ଟେଟ ୟୁନିଭର୍ସିଟିରେ କାର୍ଯ୍ୟରତ ତଥା ଏହି ଅଧ୍ୟୟନରେ ସାମିଲ ଥିବା ଗବେଷକ ମୋରିସିୟସ ଟେରୋନସ କହିଛନ୍ତି, ଆମେ ସ୍ୱଳ୍ପ ଖର୍ଚ୍ଚରେ ଏକ ଉପକରଣ ବିକଶିତ କରିଛୁ, ଯାହା ଭାଇରସକୁ ତା’ର ଆକାର ଆଧାରରେ ଚିହ୍ନଟ କରିପାରେ । ସେ କହିଲେ, ଆମର ଡିଭାଇସରେ ନାନୋଟୁ୍ୟବ୍ସ ବ୍ୟବହାର କରାଯାଇଛି, ଯାହା ଆକାରରେ ଭାଇରସର ଏକ ବିସ୍ତୃତ ଶୃଙ୍ଖଳା ଭଳି ଦେଖାଯାଏ । ଭାଇରସକୁ ଚିହ୍ନିବା ଲାଗି ଆମେ ସେଥିରେ ରମଣ ସ୍ପେକ୍ଟୋ୍ରସ୍କୋପି ମଧ୍ୟ ବ୍ୟବହାର କରିଛୁ । ଏହି ଟେକ୍ନିକର ପ୍ରୟୋଗ ସାଧାରଣତଃ କମ୍ପନ, ଘୂର୍ଣ୍ଣନ ତଥା ଅନ୍ୟ କମ୍ ଆବୃତ୍ତିର ପ୍ରକାର ଭେଦ ଅଧ୍ୟୟନରେ କରାଯାଇଥାଏ ।

ଡିଭାଇସକୁ ଦିଆଯାଇଛି ଭିରରିୟୋନ ନାମ: ଏହି ଉପକରଣର ନାମକରଣ କରାଯାଇଛି ଭିରରିଓନ । ଏହାର ଉପଯୋଗ ବଡ଼ ସ୍ତରରେ କରାଯାଇପାରେ । ଉଦାହରଣ ସ୍ୱରୂପ ଏହା ସାହାଯ୍ୟରେ କୃଷକମାନେ ଶସ୍ୟ ବୁଣିବା ପରେ ସମୟ ଥାଉ ଥାଉ କ୍ଷେତରେ ମାଡ଼ିଯାଉଥିବା ଭାଇରସ ସମ୍ପର୍କରେ ଜାଣିପାରିବେ । ଏହାବାଦ ପ୍ରାଣୀ ସମ୍ପଦରେ ବି ଭାଇରସ ସଂକ୍ରମଣ ହେଲେ ସେମାନଙ୍କୁ ରକ୍ଷା କରାଯାଇପାରେ । କୌଣସି ଭାଇରସର ସଂକ୍ରମଣକୁ ଚିହ୍ନଟ କରିବାକୁ ହେଲେ ଏବେ ଅତିକମରେ ଦିନେ ସମୟ ଲାଗିଯାଉଛି । କିନ୍ତୁ ଏହି ଡିଭାଇସ ଜରିଆରେ ଅଳ୍ପ ସମୟ ମଧ୍ୟରେ ଭାଇରସକୁ ଧରି ଜରୁରୀ ଚିକିତ୍ସା କରାଯାଇପାରେ । ଜର୍ନାଲ ପ୍ରୋସିଡିଙ୍ଗ୍ ଅଫ୍ ଦି ନ୍ୟାଶନାଲ ଏକାଡେମୀ ଅଫ୍ ସାଇନ୍ସରେ ପ୍ରକାଶିତ ଅଧ୍ୟୟନ ଅନୁସାରେ, ଏହି ଡିଭାଇସର ଆକାର ଛୋଟ ଓ ମୂଲ୍ୟ କମ୍ ହୋଇଥିବାରୁ ଏହାର ମହତ୍ୱ ଅଧିକ । କାରଣ ଅନେକ ସମୟରେ ଡାକ୍ତରମାନଙ୍କ ପାଇଁ ସବୁ ମେଶିନ ନିଜ ଅଫିସରେ ରଖିବା ସମ୍ଭବ ନୁହେଁ । ଦୂର ସ୍ଥାନରେ ସଂକ୍ରମଣ ବଢ଼ିଲେ ବଡ଼ ବଡ଼ ମେଶିନକୁ ସେଠାକୁ ନେଇଯିବା ଅସମ୍ଭବ ହୋଇଥାଏ । ଏମିତିରେ ନୂଆ ଡିଭାଇସ ବିଶେଷ ସହାୟକ ସିଦ୍ଧ ହୋଇପାରେ ।

ଜୀବଜନ୍ତୁଙ୍କ ଠାରେ ଅଛି ୧୬.୭ ଲକ୍ଷ ଭାଇରସ: ଭାଇରୋଲୋଜିଷ୍ଟମାନଙ୍କ ଅନୁମାନ ହେଉଛି ବର୍ତ୍ତମାନ ୧୮.୭ ଲକ୍ଷ ଅଜଣା ଭାଇରସ ଜୀବଜନ୍ତୁଙ୍କ ଶରୀରରେ ରହିଛି । ଯେଉଁଥିରୁ ଅନେକ ମଣିଷଙ୍କୁ ମଧ୍ୟ ସଂକ୍ରମିତ କରନ୍ତି । ଜଣା ଭାଇରସ ଯଥା- ଏଚ୍୧ଏନ୍୧, ଜୀକା ଓ ଇବୋଲା ଯୋଗୁ ଗତ ଦଶନ୍ଧିରେ ବହୁ ସଂଖ୍ୟକ ଲୋକଙ୍କ ଜୀବନ ଯାଇଛି । କାରଣ ସେଗୁଡ଼ିକୁ ଠିକଣା ସମୟରେ ଜାଣିହୋଇ ନଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁସାରେ ଭାଇରସ ସମ୍ପର୍କରେ ଶୀଘ୍ର ଜାଣି ହେଲେ ଏହାର ବିପଦକୁ କମ୍ କରାଯାଇପାରେ ।

ତିଆରି କଲେ ଭାଇରସ ଲାଇବ୍ରେରୀ: ଟେରୋନସ କହିଛନ୍ତି, ଏବେ ଭାଇରସକୁ ଚିହ୍ନଟ କରିପାରୁଥିବା ଅଧିକାଂଶ ଟେକ୍ନିକ ମହଙ୍ଗା । ଭବିଷ୍ୟତରେ ଭିରରିୟୋନ ଲୋକଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ହୋଇପାରେ । ଏହାର ଗୁଣବତ୍ତାକୁ ପ୍ରଭାବଶାଳୀ କରିବା ପାଇଁ ଆମେ ଡିଭାଇସରେ ସୁନାର ନାନୋ ପାର୍ଟିକିଲ ମଧ୍ୟ ବ୍ୟବହାର କରିଛୁ । ଏହା ପରେ କମ୍ ଭାଇରସ ଥିଲେ ବି ସେଗୁଡ଼ିକର ଉପସ୍ଥିତି ସମ୍ପର୍କରେ ସହଜରେ ଜଣାପଡ଼ିଯିବ । ଏଥିପାଇଁ ଆମେ ମେଶିନ ଲର୍ନିଙ୍ଗ୍ ନିୟମ ଜରିଆରେ ଏକ ଲାଇବ୍ରେରି ତିଆରି କରିଛୁ, ଯେଉଁଠି ଅଲଗା ଅଲଗା ପ୍ରକାରର ଭାଇରସ ରଖାଯାଇଛି ।

Spread the love