September 15, 2025

ପ୍ରାଣୀମାନଙ୍କ ନିମନ୍ତେ ନିର୍ମାଣ ହେବ ପ୍ରଥମ ଯୁଦ୍ଧ ସ୍ମାରକୀ

ନୂଆଦିଲ୍ଲୀ,୨୩/୧: କଶ୍ମୀରରେ ଆତଙ୍କବାଦୀ ବିରୋଧୀ ଅଭିଯାନରେ ପ୍ରାଣ ହରାଇଥିବା ଗୋଟାଏ କୁକୁର ନିମନ୍ତେ ମିରଟରେ ଏକ ଯୁଦ୍ଧ ସ୍ମାରକୀ ନିର୍ମାଣ କରାଯିବ। ମିରଟର ‘ରିମାଉଣ୍ଟ୍‌ ଆଣ୍ଡ୍‌ ଭେଟରିନାରି କର୍ପସ୍‌ ସେଣ୍ଟର୍‌ ଓ କଲେଜ୍‌’ରେ ଏହି ସ୍ମାରକୀ ନିର୍ମାଣ କରାଯିବ। ଏହା ଦିଲ୍ଲୀସ୍ଥିତି ‘ନ୍ୟାସ୍‌ନାଲ୍‌ ଓ୍ଵାର୍‌ ମେମୋରିଆଲ୍‌’ ଭଳି ହେବାକୁ ଥିଲେ ବି ଆକାର କ୍ଷୁଦ୍ରତର ହେବ। ଏଥିନିମନ୍ତେ ଖୁବ୍‌ ଶୀଘ୍ର ପ୍ରତିରକ୍ଷା ମନ୍ତ୍ରାଳୟ ପାଖରୁ ଅନୁମୋଦନ ମିଳିଯିବ ବୋଲି ସେନାଧିକାରୀମାନେ କହିଛନ୍ତି। ୧୯୯୯ ମସିହାରେ କାର୍ଗିଲ୍‌ ଯୁଦ୍ଧ ଲଢ଼ିବାବେଳେ ପ୍ରାଣ ହରାଇଥିବା ପ୍ରାଣୀମାନେ ମଧ୍ୟ ଏଥିରେ ସ୍ଥାନ ପାଇବେ। ଏଥିରେ ଅଧିକାଂଶ କୁକୁର, ଅଳ୍ପ କେତେକ ଅଶ୍ୱ ଏବଂ ଖଚରଙ୍କ ନାମ ରହିବ। ତେବେ ଯୁଦ୍ଧ କ୍ଷେତ୍ରରେ ବୀରତ୍ୱ ପ୍ରଦର୍ଶନ ଓ କର୍ତ୍ତବ୍ୟନିଷ୍ଠା ପାଇଁ ପ୍ରାଣୀମାନଙ୍କ ନିମନ୍ତେ ଏହା ଭାରତର ପ୍ରଥମ ଯୁଦ୍ଧ ସ୍ମାରକୀ ହେବ। ସ୍ମାରକୀସ୍ଥଳରେ ଖଣ୍ଡେ ଗ୍ରାନାଇଟ୍‌ ଶିଳା ଉପରେ ୩୦୦ କୁକୁର, ୩୫୦ କୁକୁର ପରିଚାଳକ, ଅଳ୍ପ କେତେକ ଅଶ୍ୱ ଏବଂ ଖଚରଙ୍କ ନାମ ଖୋଦେଇ କରାଯିବ ବୋଲି ଜଣାପଡ଼ିଛି।

Spread the love