October 21, 2025

ଥମୁନି କରୋନା: ଚୀନ୍‌ରେ ମୃତ୍ୟୁସଂଖ୍ୟା ୫୬୪କୁ ବୃଦ୍ଧି, ୩୦ ହଜାର ଆକ୍ରାନ୍ତ

ବେଜିଂ,୭/୨: ଚୀନ୍‌ରେ କରୋନା ଭାଇରସ୍ ସଂକ୍ରମଣ ଅଣାୟତ୍ତ ହୋଇ କାୟାବିସ୍ତାର କରିଚାଲିଛି। ସଂକ୍ରମିତ ଲୋକେ ପୋକମାଛି ପରି ମରୁଥିବା ଦେଖାଯାଇଛି। ଅଦ୍ୟାବଧି ମୃତ୍ୟୁସଂଖ୍ୟା ୫୬୪କୁ ବୃଦ୍ଧି ପାଇଥିଲାବେଳେ ପ୍ରାୟ ୩୦ ହଜାର ଲୋକ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ବୁଧବାର ଗୋଟିଏ ଦିନରେ ସର୍ବାଧିକ ୭୩ ଜଣ ପ୍ରାଣ ହରାଇଥିବା ଗୁରୁବାର ଚୀନ୍‌ର ଜଣେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି। ଏହାବ୍ୟତୀତ ଆଉ ୫୩୨୮ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବା ସେ ସୂଚନା ଦେଇଛନ୍ତି। ଇତିମଧ୍ୟରେ ହଂକଂରେ ୧୦ ଜଣ ଓ ତାଇୱାନ୍‌ରେ ୧୧ ଜଣ ଏହି ଭୂତାଣୁରେ ସଂକ୍ରମିତ ହୋଇଥିବା ରିପୋର୍ଟ ମିଳିଛି। ଚୀନ୍ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ କରୋନା ଭାଇରସ୍‌ର ପ୍ରତିକାର ପାଇଁ ରେମଡେସିଭିର ନାମକ ଏକ ନୂଆ ଔଷଧ ଆବିଷ୍କାର କରାଯାଇଥିବାବେଳେ ଖୁବ୍‌ଶୀଘ୍ର ଏହାର କ୍ଲିନିକାଲ୍ ପରୀକ୍ଷା କରାଯିବ। ଉଲ୍ଲେଖଯୋଗ୍ୟ, ବିଶ୍ୱରେ ଇବୋଲା ସଂକ୍ରମଣର ଚିକିତ୍ସା ପାଇଁ ରେମଡେସିଭିରର ଉପଯୋଗ କରାଯାଇଆସୁଛି ବୋଲି ମିଡିଆ ରିପୋର୍ଟରେ କୁହାଯାଇଛି।

Spread the love