January 21, 2025

ମାର୍ଚ୍ଚ ୩ରେ ନିର୍ଭୟା ଦୋଷୀଙ୍କୁ ଫାଶୀ

ନୂଆଦିଲ୍ଲୀ,୧୭/୨: ନିର୍ଭୟା ମାମଲାର ୪ ଦୋଷୀଙ୍କ ନାଁ’ରେ ଡେଥ ୱାରେଣ୍ଟ ଜାରି କରାଯାଇଛି। ନୂଆ ଡେଥ୍‌ ୱାରେଣ୍ଟ ଅନୁଯାୟୀ, ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ସମସ୍ତ ଦୋଷୀଙ୍କୁ ଏକକାଳୀନ ଫାଶୀ ଦିଆଯିବ। ଏ ସମ୍ପର୍କରେ ପଟିଆଲା ହାଉସ କୋର୍ଟ ସୋମବାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ପୂର୍ବରୁ ପଟିଆଲା ହାଉସ କୋର୍ଟ ଦୁଇଟି ଫାଶୀ ତାରିଖ ସ୍ଥିର କରିଥିଲେ। ଶୁଣାଣିବେଳେ ତିହାର ଜେଲ କର୍ତ୍ତୃପକ୍ଷ କୋର୍ଟଙ୍କୁ ଷ୍ଟାଟସ ରିପୋର୍ଟ ଦେଇଥିଲେ। ସରକାରୀ ଓକିଲ ରାଜୀବ ମୋହନ କହିଥିଲେ, ବର୍ତ୍ତମାନ ୪ ଦୋଷୀଙ୍କ ମଧ୍ୟରୁ ୩ ଜଣ ସେମାନଙ୍କ ସମସ୍ତ ଆଇନଗତ ବିକଳ୍ପର ବ୍ୟବହାର କରି ସାରିଛନ୍ତି। କେବଳ ପବନ ଗୁପ୍ତାର କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ଆବେଦନ ବାକି ରହିଛି। କୌଣସି କୋର୍ଟରେ ମଧ୍ୟ ସେମାନଙ୍କର କୌଣସି ଆବେଦନ ପେଣ୍ଡିଂ ହୋଇ ରହିନାହିଁ। ତେଣୁ ଡେଥ ୱାରେଣ୍ଟ ଜାରି କରାଯିବା ଆବଶ୍ୟକ। ସେ ଆହୁରି ମଧ୍ୟ କହିଥିଲେ ଯେ ଦୋଷୀମାନେ ଆଇନର ଗଳାବାଟ ବ୍ୟବହାର କରୁଥିବାରୁ ଦିଲ୍ଲୀ ହାଇକୋର୍ଟ ସେମାନଙ୍କୁ ୭ ଦିନର ସମୟ ଦେଇଥିଲେ। ଏହି ସମୟ ମଧ୍ୟରେ ସମସ୍ତ ଦୋଷୀଙ୍କୁ ସେମାନଙ୍କ ପାଖରେ ଥିବା ଆବେଦନ ବିକଳ୍ପକୁ ବ୍ୟବହାର କରିବାକୁ କୁହାଯାଇଥିଲା। ମାତ୍ର ପବନ ଏହାକୁ ଖାତିର କରିନଥିବାବେଳେ କୋର୍ଟଙ୍କ ଧାର୍ଯ୍ୟ ସମୟସୀମା ଶେଷ ହୋଇଯାଇଛି।

Spread the love